ବାଲେଶ୍ଵର ଛାତ୍ର ସଂସଦ ନିର୍ବାଚନ: ଚୂଡ଼ାନ୍ତ ହେଲା ପ୍ରାର୍ଥୀ ତାଲିକା, ମଇଦାନରେ ୬୮ ପ୍ରାର୍ଥୀ, ଓହରିଲେ ୩ 

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ତାଲିକା ଚୁଡାନ୍ତ ହୋଇଛି। ତଦନୁସାରେ ୬୮ ପ୍ରାର୍ଥୀ ନିର୍ବାଚନ ଲଢିବେ। ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଆସନ୍ନ ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ୩ ଜଣ ପ୍ରାର୍ଥୀ ନିଜ ନାମାଙ୍କନ ପ୍ରତ୍ୟାହାର କରିଛନ୍ତି। ଫଳରେ ବିଭିନ୍ନ ପଦବି ପାଇଁ ନିର୍ବାଚନୀ ମଇଦାନରେ ଏବେ ୬୮ ଜଣ ପ୍ରାର୍ଥୀ ରହିଛନ୍ତି। ଏ ସମ୍ପର୍କରେ ଶନିବାର ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ପକ୍ଷରୁ ନୋଟିସ୍ ନମ୍ବର ୪୬୯୦ ଜାରି କରାଯାଇଛି। ନୋଟିସ୍ ଅନୁଯାୟୀ, ପ୍ରାର୍ଥୀମାନେ ସକାଳ ୧୦ଟାରୁ ଅପରାହ୍ନ ୧ଟା ମଧ୍ୟରେ ସ୍ୱେଚ୍ଛାକୃତ ଭାବେ ନିଜ ନାମାଙ୍କନ ପ୍ରତ୍ୟାହାର କରିଛନ୍ତି। ପ୍ରତ୍ୟାହାର କରିଥିବା ପ୍ରାର୍ଥୀଙ୍କ ମଧ୍ୟରେ ଡ୍ରାମାଟିକ୍ ସୋସାଇଟି ସମ୍ପାଦିକା ପଦ ପାଇଁ ନାମାଙ୍କନ ଦାଖଲ କରିଥିବା ତୃତୀୟ ବର୍ଷ ବିଜ୍ଞାନ ଛାତ୍ରୀ ଦେବସ୍ମିତା ନାୟକ ରହିଛନ୍ତି। ପିତାମାତାଙ୍କ ଅନିଚ୍ଛା ଯୋଗୁଁ ସେ ନିର୍ବାଚନରୁ ଓହରି ଯାଇଛନ୍ତି। ସେହିପରି ଗାର୍ଲସ୍ କମନ୍ ରୁମ୍ ସମ୍ପାଦିକା ପଦ ପ୍ରାର୍ଥିନୀ ତୃତୀୟ ବର୍ଷ କଳା ଛାତ୍ରୀ ଦିବ୍ୟାଶ୍ରୀତା ସିଂ ପରିସ୍ଥିତିରେ ପରିବର୍ତ୍ତନ ଓ ସାହସର ଅଭାବକୁ କାରଣ ଦର୍ଶାଇ ନାମାଙ୍କନ ପ୍ରତ୍ୟାହାର କରିଛନ୍ତି। ଅନ୍ୟତମ ପ୍ରାର୍ଥୀ ହ୍ୟୁମାନିଟିଜ୍ ଆସୋସିଏସନ୍ ସମ୍ପାଦକ ପଦ ପାଇଁ ନାମାଙ୍କନ କରିଥିବା ରାଜନୀତି ବିଜ୍ଞାନ ବିଭାଗର ତୃତୀୟ ବର୍ଷ ଛାତ୍ର ଆଶିଷ କୁମାର ବିଶ୍ୱାଳ ବ୍ୟକ୍ତିଗତ କାରଣରୁ ନିର୍ବାଚନରୁ ଓହରିଛନ୍ତି। ପ୍ରକାଶ ଥାଉ କି, ଛାତ୍ର ସଂସଦ ନିର୍ବାଚନ ପାଇଁ ମୋଟ ୮୯ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ। ସେମାନଙ୍କ ମଧ୍ୟରୁ ୧୮ ଜଣ କ୍ଲାସ୍ ରିପ୍ରେଜେଣ୍ଟେଟିଭ୍ (ସିଆର୍) ନିର୍ଦ୍ବନ୍ଦ୍ୱରେ ବିଜୟୀ ହୋଇଛନ୍ତି। ଏହାପରେ ଅବଶିଷ୍ଟ ୭୧ ଜଣଙ୍କ ମଧ୍ୟରୁ ୩ ଜଣ ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିବାରୁ ଏବେ ୬୮ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅଛନ୍ତି। କଲେଜ ୟୁନିଅନ୍ ଆଡଭାଇଜର୍ ଅଭିଜିତ ଦାସଙ୍କ ସୂଚନା ଅନୁଯାୟୀ, ସେକ୍ରେଟାରୀ ଓ ଆସିଷ୍ଟାଣ୍ଟ ସେକ୍ରେଟାରୀ ପଦ ସମେତ ମୋଟ ୨୦ଟି ପଦ ପାଇଁ ଏହି ୬୮ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ିବେ। ନାମାଙ୍କନ ପ୍ରତ୍ୟାହାର ପରେ ଏବେ କଲେଜ ଛାତ୍ର ସଂସଦ ନିର୍ବାଚନର ପରବର୍ତ୍ତୀ ପର୍ଯ୍ୟାୟକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.