କଳାହାଣ୍ଡି, (ହେମନ୍ତ ସାହୁ): କଳାହାଣ୍ଡିର ଅନ୍ୟତମ ଅଗ୍ରଣୀ ସାହିତ୍ୟ ସଂସଦ ଯୁଗଯାତ୍ରୀ ସାହିତ୍ୟ ସଂସଦର ପ୍ରକୃତି କବି ଗଂଗାଧର ମେହେରଙ୍କ ଜୟନ୍ତୀ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସଂସଦଗୃହରେ ଅନୁଷ୍ଠିତ ହେଇଯାଇଛି। ଏଥିରେ ସଂପାଦକ ହେମନ୍ତ ସାହୁ ପୂର୍ବ ବୈଠକର ବିବରଣୀ ପଠନ କରିବା ସହିତ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ସଭାପତି ପଦ୍ମ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ କୋଭିଡ଼ କଟକଣାକୁ ଦୃଷ୍ଟିରେ ରଖି କିଭଳି ଭାବରେ ଗଂଗାଧର ମେହେର ଜୟନ୍ତୀ ପାଳନ କରାଯାଇପାରିବ ସେ ଦିଗରେ ଆଲୋକପାତ କରିଥିଲେ। ପୂର୍ବବର୍ଷ ମାନଙ୍କ ଭଳି ଚଳିତ ବର୍ଷ ପ୍ରାଥମିକ ବିଦ୍ୟାଳୟରୁ ମହାବିଦ୍ୟାଳୟଯାଏଁ ହେଉଥିବା ସମସ୍ତ ପ୍ରତିଯୋଗୀତାକୁ ବାତିଲ କରାଯିବା ସହିତ ସାହିତ୍ୟ ସଭା ଏବଂ କବିତା ପାଠୋତ୍ସବ, ପୁସ୍ତକ ଉନ୍ମୋଚନ ଆଦି କାର୍ଯ୍ୟକ୍ରମ ହେବ ବୋଲି ସଦସ୍ୟମାନେ ମତବ୍ୟକ୍ତ କରିଥିଲେ। ଏହି ବୈଠକରେ ସଂସଦର କୋଷାଧ୍ୟକ୍ଷ ଉଦୟ ନାୟକ, ପବନ କୁମାର ମହାଲିକ, କୀର୍ତ୍ତନ ଘିଭେଲା, ପରମାନନ୍ଦ ବିଶି, ମାନସ ରଂଜନ ପ୍ରହରାଜ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମତ ରଖିଥିଲେ। ଆସନ୍ତା ୨୨ ତାରିଖ ଶ୍ରାବଣ ପୂର୍ଣ୍ଣିମା ଅବସରରେ ପ୍ରକୃତି କବିଙ୍କ ଜୟନ୍ତୀ ପାଳନ କରାଯିବ ବୋଲି ସଂପାଦକ ଶ୍ରୀ ସାହୁ ପ୍ରକାଶ କରିଛନ୍ତି ।