କଳାହାଣ୍ଡି, ୨୮|୮ (ଲିଙ୍ଗରାଜ ମିଶ୍ର ): ନର୍ଲାର ମୋହନ କୁମାର ଭଟ୍ଟଙ୍କୁ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ସ୍ଥିତ ହୋଟେଲ କେଶରୀ ଠାରେ ଆଶା କିରଣ ଫାଉଣ୍ଡେସନ ଭୁବନେଶ୍ୱର ପକ୍ଷରୁ ଆୟୋଜିତ ମଦର ଟେରେସା ଜୟନ୍ତୀ ସମାରୋହ- ୨୦୨୧ କାର୍ଯ୍ୟକ୍ରମରେ ଜଣେ ବିଶିଷ୍ଟ ସାହିତ୍ୟିକ ଓ ସମାଜସେବୀ ଭାବରେ ସମ୍ବର୍ଦ୍ଧିତ କରାଯାଇଛି । ଏହି ଖବର ଜାଣିବା ପରେ ନର୍ଲାରେ ଖୁସିର ଲହରୀ ଖେଳିଯାଇଛି । ଗୁରୁବାର ସଂଧ୍ୟା ୬ ଘଣ୍ଟା ସମୟରେ ଆଶା କିରଣ ଫାଉଣ୍ଡେସନ ତରଫରୁ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବ୍ରଜ କିଶୋର ତ୍ରୀପାଠୀ, ମୁଖ୍ୟ ବକ୍ତା ଭାବରେ ରାଜ୍ୟ ପରିବହନ ବିଭାଗର ଅଧ୍ୟକ୍ଷ ମନୋରଞ୍ଜନ ମହାପାତ୍ର, ବିଶିଷ୍ଟ ଅତିଥି ଭାବରେ ସମାଜସେବୀ ତୁଳସୀ ମୁଣ୍ଡା, ସ୍ୱତନ୍ତ୍ର ଅତିଥି ଭାବରେ ପଦ୍ମଶ୍ରୀ ଦିଲିପ ତିର୍କୀ ଓ ସମ୍ମାନୀତ ଅତିଥି ବୃନ୍ଦ ଯୋଗଦାନ କରି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୮ ଜଣ ବ୍ୟକ୍ତି ବିଶେଷ ଙ୍କୁ ସମ୍ବଦ୍ଧିତ କରିଥିଲେ । ତନ୍ମଧ୍ୟରୁ ନର୍ଲାର ବିଶିଷ୍ଟ ସାହିତ୍ୟିକ ତଥା ସମାଜସେବୀ ମୋହନ କୁମାର ଭଟ୍ଟଙ୍କୁ ମଧ୍ୟ ମଞ୍ଚାସୀନ ଅତିଥି ବୃନ୍ଦ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଶ୍ରୀ ଭଟ୍ଟ ବିଭିନ୍ନ ସମୟରେ ଯୁଗୋପଯୋଗୀ କବିତା ମାନ ରଚନା କରି ଯୁବ ସମାଜଙ୍କୁ ପରିବେଶ ସୁରକ୍ଷା, ନର୍ଲାର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ ଭଳି କାର୍ଯ୍ୟକ୍ରମ, ସ୍ୱଚ୍ଛ ଭାରତ ଯୋଜନା, ବାଲ୍ୟ ବିବାହରୁ ନିବୃତ୍ତ, ଅନ୍ଧ ବିସ୍ୱାସ ଭଳି ସାମାଜିକ ବ୍ୟାଧିକୁ ସମାଜ କ୍ଷେତ୍ରରୁ ମୂଳୋତ୍ପାଟନ ଦିଗରେ ସଦା ସର୍ବଦା ତତ୍ପର ରହି ସଚେତନତାର ବାର୍ତ୍ତା ପ୍ରଦାନ କରି ଆସୁଛନ୍ତି । ଗୁରୁବାର ଏକ ସ୍ୱତନ୍ତ୍ର ଉତ୍ସବରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବାରୁ ନର୍ଲା ବିଧାୟକ ଭୁପିନ୍ଦର ସିଂ, ବ୍ଲକ୍ ଅଧ୍ୟକ୍ଷା ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ନର୍ଲା ସରପଞ୍ଚ ଚିରଞ୍ଜିବୀ ଗୌଡିଆ, ସର୍ଗିଗୁଡା ସରପଞ୍ଚ ନରସିଂହ କୁମାର, ରୁପ୍ରାରୋଡ ସରପଞ୍ଚ ଚିତ୍ତରଞ୍ଜନ ରଣା, ଯୁବ ସ୍ୱେଚ୍ଛାସେବୀ ନଗେନ୍ଦ୍ର ପଧାନ, କନ୍ଧ ସଂସ୍କୃତି ଗବେଷକ ମେଦିନୀଧର ଜାନୀ, ନର୍ଲା ସାମ୍ବାଦିକ ୟୁନିଅନର କର୍ମକର୍ତ୍ତା ତଥା ନର୍ଲାର ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରିବା ସହ ତାଙ୍କର ଉତ୍ତୋରତ୍ତର ଉନ୍ନତି କାମନା କରିଛନ୍ତି।