ଅଙ୍ଗନୱାଡି ସହାୟିକା ଚୟନରେ ଅନିୟମିତତା ଅଭିଯୋଗ: ଉପଜିଲ୍ଲାପାଳଙ୍କ ଦ୍ୱାରସ୍ତ ହେଲେ ଗ୍ରାମବାସୀ

କଳାହାଣ୍ଡି, (ସୁଶାନ୍ତ କୁମାର ଦଳେଇ): ଗୋଲାମୁଣ୍ଡା ବ୍ଲକ ଖମାରହଳଦୀ ଗ୍ରାମ ପଞ୍ଚାୟତ ୱାର୍ଡ ନମ୍ବର୨ ର ଅଙ୍ଗନୱାଡି ସହାୟିକା ଚୟନରେ ଅନିୟମିତତା ଅଭିଯୋଗ କରି ଧର୍ମଗଡ଼ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଗ୍ରାମବାସୀ। ସୂଚନାମତେ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଗୋଲାମୁଣ୍ଡା ଅଧିନସ୍ଥ ଖମାରହଳଦୀ ଗ୍ରାମ ପଞ୍ଚାୟତ ୱାର୍ଡ ନମ୍ବର୨ ର ଅଙ୍ଗନୱାଡି ସହାୟିକା ପଦବୀ ଦୀର୍ଘ ଦିନ ହେବ ଖାଲିପଡ଼ିଥିଲା। ଯେ କୌଣସି ପଦବୀ ଖାଲି ଥିଲେ ସରକାରୀ ନିୟମ ଅନୁସାରେ ଜନସାଧାରଣଙ୍କ ଅବଗତି ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରିବା କଥା ହେଲେ ଗୋଲାମୁଣ୍ଡା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପରେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଗୋଲାମୁଣ୍ଡା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ପ୍ରେମମଞ୍ଜରୀ ସାହୁ କୌଣସି ବିଜ୍ଞପ୍ତି ପ୍ରକାଶ ନ କରି କିମ୍ବା ଗ୍ରାମର ଜନସାଧାରଣଙ୍କୁ ନ ଜଣାଇ ସେହି ଗାଁ ର ଜଣେ ୱାର୍ଡ ମେମ୍ବର ରୀନା ଗୋପାଳଙ୍କୁ ସହାୟିକା ଭାବରେ ଚୟନ କରିଥିବା ଜଣାପଡିଛି। ଯାହା କି ଗ୍ରାମବାସୀମାନେ ଏହାକୁ ବିରୋଧ କରିବା ସହ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ପ୍ରେମମଞ୍ଜରୀ ସାହୁଙ୍କ ବିରୋଧରେ ଧର୍ମଗଡ଼ ଉପଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିବା ସହ ତୁରନ୍ତ ଏହାର ଉଚିତ ତଦନ୍ତ କରଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି। ଏହି ଦାବିପତ୍ର ଦେବା ସମୟରେ ଦଶପୁର ଯୋନ ଜିଲ୍ଲା ପରିଷଦ ସଭ୍ୟା ନିରୁପମା ନାଏକ, ସୁଦର୍ଶନ ନାଏକ, ଭୁବନେଶ୍ୱର ନିଆଲ, ଉପେନ୍ଦ୍ର ବାଗ, ଗିରିଧାରୀ ନିଆଲ, ବସନ୍ତ ନାଏକ ସମେତ ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.