ମହିଚଲାରେ ରକ୍ଷକ କାର୍ଯ୍ୟକ୍ରମ, ୬୦ ଜଣଙ୍କୁ ଦିଆଗଲା ତାଲିମ

ଜୁନାଗଡ଼: ସଡ଼କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ଅଭିନବ ତାଲିମ୍ କାର୍ଯ୍ୟକ୍ରମ ‘ରକ୍ଷକ’ ମହିଚଲା ଠାରେ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ରାଜପଥ ୨୬ ସଂଲଗ୍ନ ରାଜିବ ଗାନ୍ଧୀ ସେବା ଗୃହ ମହିଚଲା ଠାରେ ଘୋଲିଜୁବା ଛକ ଦୋକାନୀ ଓ ମହିଚଲା, ଘୋଲିଜୁବା, ସନ୍ୟାସୀ କୁଣ୍ଡାମାଲ, ଚକୁଳି ଗ୍ରାମର ବିଭିନ୍ନ ବ୍ୟକ୍ତି, ଦୋକାନୀ ଓ ସ୍ବେଚ୍ଛାସେବୀ ଏପରି ୬୦ଜଣଙ୍କୁ ତାଲିମ ପ୍ରଦାନ କରାଯାଇଛି।


ଜାତୀୟ ସ୍ତରର ମାଷ୍ଟର ଟ୍ରେନର ଡ଼ଃ. ରତିକାନ୍ତ ନାଥ ଏବଂ ଅଙ୍କୁର ଶର୍ମାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମର ଉଦଘାଟନୀ ସଭାରେ ସ୍ଥାନୀୟ ସରପଞ୍ଚ ଅଜୟ କୁମାର ବେହେରା, ଜୁନାଗଡ ଥାନାରୁ ସୁବୋଧ କୁମାର ଫୁଲୋ ଓ ଶଙ୍କର ଲାଲ ବାଗ ପ୍ରମୁଖ ଉପସ୍ଥିତ ଥିଲେ। ସଡ଼କ ଦୁର୍ଘଟଣାର ଶୀକାର ହେଉଥିବା ଲୋକମାନଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦେଇ ସେମାନଙ୍କ ଜୀବନ ରକ୍ଷା କରିବା ପାଇଁ ରାଜ୍ୟ ସରକାର ‘ରକ୍ଷକ’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏହା ଅଧୀନରେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ନିକଟସ୍ଥ ହସ୍ପିଟାଲରେ ପହଞ୍ଚାଇବା ଲାଗି ଜୀବନ ରକ୍ଷାକାରୀମାନଙ୍କୁ ତାଲିମ ଦିଆଯାଉଛି। ମହିଚଲା ଠାରେ ଆୟୋଜିତ ଏହି ତାଳିମ କାର୍ଯ୍ୟକ୍ରମରେ ଟ୍ରେନର ଭାବେ ରେଡକ୍ରସ ପରାମର୍ଶଦାତା ଶାନ୍ତନୁ କୁମାର ପରିଡା, ଭବାନୀ ଶଂକର ପଣ୍ଡା, ସଂଜୟ କୁମାର ପୁରୋହିତ, ସୁଶାନ୍ତ କୁମାର ସାହୁ ,ଅନିଲ କୁମାର ମାଝୀ ଓ ମୋହନ ଚରଣ ବିଷି ପ୍ରମୁଖ ଦୁର୍ଘଟଣା ପ୍ରବଣ ସ୍ଥାନରେ ଥିବା ପ୍ରଥମ ଦେଖଣାହାରୀ ମାନଙ୍କୁ ରକ୍ଷକ ତାଲିମ ପ୍ରଦାନ କରିଥିଲେ। କଳାହାଣ୍ଡି ଆଞ୍ଚଳିକ ପରିବହନ ଅଧିକାରୀ ରାମ ନିବାସ ସିରିକାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ରକ୍ଷକ ତାଲିମ କାର୍ଯ୍ୟକ୍ରମ ପରିଚାଳନାରେ କୁମାର ସୌଭାଗ୍ୟ, କାହ୍ନୁ ଚରଣ ହଂସ ଓ ସୁମନ୍ତ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.