କଳାହାଣ୍ଡି: ନର୍ଲା ବ୍ଲକର ମାଣ୍ଡେଲ ଗ୍ରାମପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଭାବେ ପଦ୍ମଲୋଚନ ଜାଲ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତାଙ୍କର ନାମାଙ୍କନ ପତ୍ର ଦାଖଲ ସମୟରେ ପ୍ରସ୍ତାବକ ଖୁସିରାମ ସାହୁ, ଗଙ୍ଗାଧର ବହିଦାରଙ୍କ ସମେତ କିଛି ସମର୍ଥକ ଉପସ୍ଥିତ ଥିଲେ । ଦୀର୍ଘଦିନରୁ ରାଜନୀତି ଅଭିଜ୍ଞତା ଥିବା ଶ୍ରୀ ଜାଲ ଜଣେ ଉଚ୍ଚଶିକ୍ଷିତ ଯୁବକ ହେଇଥିବାବେଳେ ସମାଜର ବିଭିନ୍ନ ବର୍ଗର ମଣିଷଙ୍କ ସହିତ ତାଙ୍କରି ସୁସମ୍ପର୍କ ରହିଛି । ସେହିପରି ଅଂଚଳର ବିଭିନ୍ନ ସମସ୍ୟାକୁ ପ୍ରଶାସନର ଦୃଷ୍ଟିକୁ ଆଣି ତାର ସମାଧାନ ଦିଗରେ କାମ କରିବା ସହ ଜଣେ ସମାଜସେବୀ ଭାବେ ମଧ୍ୟ ସେ ବେଶ ପରିଚିତ ।
ସମ୍ପ୍ରତି ଭାରତୀୟ ଜନତା ପାର୍ଟିର ନର୍ଲା ମଣ୍ଡଳ ସଭାପତି ଦାୟିତ୍ୱରେ ସେ ଅବସ୍ଥାପିତ । ମାଣ୍ଡେଲ ପଞ୍ଚାୟତର ଦୀର୍ଘଦିନରୁ ସୁଧୁରି ପାରୁନଥିବା କୃଷି, ଜଳସେଚନ, ଆର୍ଥିକ ପ୍ରଗତି, ଅସୁରଗଡ଼ ଦୁର୍ଗର ବିକାଶ ଓ ସଂରକ୍ଷଣ, ସାଗରର ଉନ୍ନତିକରଣ ପାଇଁ ସେ କାର୍ଯ୍ୟ କରିବା ସହ ଏହି ପଞ୍ଚାୟତକୁ ଦେଶର ସ୍ମାର୍ଟ ପଞ୍ଚାୟତ ରୂପେ ଗଢିବେ ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି । ତେବେ ମାଣ୍ଡେଲରେ ତାଙ୍କରି ଏହି ବିକାଶର ସ୍ୱପ୍ନକୁ ସାକାର କରିବା ଦିଗରେ ଜନସାଧାରଣ ଦୃଢ ସମର୍ଥନ କରିବେ ବୋଲି ସେ ଖୁବ୍ ଆଶାବାଦୀ ରହିଥିବା ମତବ୍ୟକ୍ତ କରିଛନ୍ତି ।