● ୨ଲକ୍ଷରୁ ଉର୍ଦ୍ଧ ଟଙ୍କାର ସିଲେଇ ମେସିନ ସହ ସାମଗ୍ରୀ ନଷ୍ଟ
କଳାହାଣ୍ଡି, (ରବିନ୍ଦ୍ର ମିଶ୍ର): ଧର୍ମଗଡ ସହର ଗୋପାଳପଡ଼ା ନିକଟରେ ମୂଖ୍ୟ ସଡ଼କକୁ ଲାଗି ଥିବା ଏକ ଦରଜି ଦୋକାନରେ ଅଗ୍ନିକାଣ୍ଡ ଘଟି ଦୁଇ ଲକ୍ଷ ଟଙ୍କାରୁ ଉର୍ଦ୍ଧ ମୂଲ୍ୟର କପଡା ଓ ସିଲେଇ ମେସିନ ପୋଡି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି ।
ସୂଚନା ମୁତାବକ ଧର୍ମଗଡ ଗୋପାଳପଡ଼ା ମୂଖ୍ୟ ରାସ୍ତା କଡରେ ଲାବଣ୍ୟ ମାଝୀଙ୍କ ଲକ୍କି ଟେଲର ଦୋକାନରେ ଗତ କାଲି ବିଳମ୍ବିତ ରାତିରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା । ଦୋକାନ ସଟର ବନ୍ଦ ଥିବାରୁ ଓ ରାତି ଯୋଗୁଁ ଦୋକାନ ଭିତରେ ସାମଗ୍ରୀ ପୋଡିବା କିଛି ଜଣାପଡି ନଥିଲା । ଦୋକାନରେ ଥିବା ସ୍କାଇ ଲାଇଟ ଦେଇ ଧୁଆଁ ବାହାରିବା ଦେଖି ପାଖ ଲୋକେ ଦୋକାନ ମାଲିକଙ୍କୁ ଭୋର ସମୟରେ ଫୋନ କରିଥିଲେ । ପରେ ଖବର ପାଇ ଦମକଳ ବାହିନୀ ମଧ୍ୟ ଘଟଣା ସ୍ଥଳକୁ ପହଞ୍ଚି ନିଆଁ ଲିଭାଇଥିଲେ । ତେବେ ସେତେବେଳକୁ ଦୋକାନରେ ଥିବା ସମସ୍ତ ସିଲେଇ ମେସିନ ସହ ସିଲେଇ ହୋଇ ଥିବା ଓ ସିଲେଇ ପାଇଁ ରହିଥିବା ବହୁ ନୁଆ କପଡା ପୋଡି ପାଉଁଶ ହୋଇ ସାରିଥିଲା । ସଟ ସର୍କିଟ ଯୋଗୁଁ ନିଆଁ ଲାଗି ଯାଇଥିବା ଅନୁମାନ କରାଯାଉଛି । ତେବେ ଲାବଣ୍ୟ ମାଝୀ ଜଣେ ଗରୀବ ବ୍ୟକ୍ତି ହୋଇ ଥିବାରୁ ଅଗ୍ନି କାଣ୍ଡକୁ ନେଇ ହତାଶ ହୋଇପଡିଛନ୍ତି । ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସେ ନିବେଦନ କରିଛନ୍ତି ।