ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ଶିକରପାଇ ଗ୍ରାମରେ ଗୋଟିଏ ଘରେ ଅଗ୍ନିକାଣ୍ଡ ଘଟିଥିବା ଘଟଣାରେ ଗୋଟିଏ ପରିବାରର ୫ଜଣ ଗୁରୁତରଙ୍କ ମଧ୍ୟରେ ବାପା ଓ ମା ୨ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକମାନେ ହେଲେ ବାପା ଦୟାନିଧି ବେହେରା ଓ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ବେହେରା । ବର୍ତମାନ ଦୟାନିଧିଙ୍କ ମଝିଆ ପୁଅ ଅନୀଲ, ବଡବୋହୁ ସ୍ୱପ୍ନା ଓ ସାନପୁଅ ଶ୍ରୀକାନ୍ତଙ୍କୁ ଉଚ୍ଚ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ଏମକେସିଜି ହସ୍ପିଟାଲରୁ କଟକ ବଡ ମେଡିକଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ୨ଜଣଙ୍କ ମୃତ୍ୟୁ ଘଟଣାରେ ଶିକରପାଇ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ମୃତ ଶ୍ରୀ ବେହେରା ଶିକରପାଇ ଅଂଚଳରେ ଏକ ବେକେରୀ ଦୋକାନ କରି ଅତି ଜଣାଣୁଣା ବ୍ୟକ୍ତିତ୍ୱ ରହିଥିଲେ । ସୂଚନା ପ୍ରକାରେ ରାୟଗଡା ଜିଲ୍ଳା କଲ୍ୟାଣସିଂହପୁର ବ୍ଳକ ଶିକରପାଇ ସ୍ଥିତ ନିଜ ଘରେ ଗତକାଲି ସଂଧ୍ୟାରେ ପାରିବାରିକ କଳହକୁ କେନ୍ଦ୍ର କରି ଦୟାନିଧି ଓ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ନିଜ ଶୋଇବା ଘର କବାଟ ପକାଇ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଫଳରେ ଏକ ବଡଧରଣର ଅଗ୍ନିକାଣ୍ଡ ଘଟିଥିଲା । ମଝିଆ ପୁଅ ଅନୀଲ, ବଡବୋହୁ ସ୍ୱପ୍ନା ଓ ସାନପୁଅ ଶ୍ରୀକାନ୍ତ ବାପା, ବୋଉକୁ ଉଦ୍ଧାର କରିବାକୁ ଯାଇଥିବା ବେଳେ ଅନୀଲ ମଧ୍ୟ ନିଆଁରେ ଗୁରୁତର ଭାବେ ପୋଡି ଯାଇଥିଲେ । ଘଟଣା ସଂପର୍କରେ ଖବର ପାଇ କଲ୍ୟାଣସିଂହପୁର ଥାନା ଅଧିକାରୀ ଶ୍ରୀମତି ସୁକମା ହାଁସଦା, ଅଗ୍ନିଶମ ବାହିନୀ ପଂହଚି ସମସ୍ତଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ରାୟଗଡା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ବେଳେ ୯୦ ପ୍ରତିଶତରୁ ଅଧିକ ପୋଡି ଯାଇଥିବାରୁ ଦୟାନିଧି, ଲକ୍ଷ୍ମୀ, ଅନୀଲଙ୍କ ସମେତ ବଡବୋହୁ ସ୍ୱପ୍ନା ଓ ଶ୍ରୀକାନ୍ତଙ୍କୁ ମଧ୍ୟ ବ୍ରହ୍ମପୁର ମେଡିକଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ବ୍ରହ୍ମପୁର ଠାରେ ଦୟାନିଧି ଓ ଲକ୍ଷ୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନିଜଣଙ୍କୁ କଟକ ମେଡିକଲ ସ୍ଥାନାନ୍ତର କରାଯାଇଛି । କଲ୍ୟାଣସିଂହପୁର ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଘରେ ମିଳିଥିବା ପେଟ୍ର୍ରୋଲରୁ ଏହା ଆତ୍ମହତ୍ୟା ନାଁ ହତ୍ୟା ତାହାର କାରଣ ସ୍ପଷ୍ଟ କରିନାହିଁ ।