ଘରେ ପଶି ମାରଣାସ୍ତ୍ରରେ ଆକ୍ରମଣ କରି ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କା ଓ ସୁନାରୂପା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ପଞ୍ଜିଆ ଗ୍ରାମରେ ଘଟିଛି ଏକ ବଡଧରଣର ଡକାୟତି । ଘରେ ପସି ବୃଦ୍ଧ ଦମ୍ପତ୍ତିଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ଲକ୍ଷାଧିକ ଟଙ୍କା ଓ ସୁନା ରୂପା ଲୁଟି ନେଇଥିବା ବେଳେ ଥାନାରେ ଅଭିଯୋଗ ପରେ ଗୋଲାମୁଣ୍ଡା ପୋଲିସ ତନାଘନା ତଦନ୍ତ ଆରମ୍ଭ କରିଛି । ଦିନକୁ ଦିନ ଗୋଲାମୁଣ୍ଡା ବ୍ଲକରେ ଚୋରି ଡକାୟତି ବଢିବାରେ ଲାଗିଛି । ଗତ ଏକ ମାସ ତଳେ ଗୋଲାମୁଣ୍ଡା ଥାନା ଖମାରହଳଦୀ ଗ୍ରାମରେ ସିନ୍ଧି କରି ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଲୁଟି ନେଇଥିଲେ ଡକାୟତ ଦଳ । ଏହି ଘଟଣାର ଡକାୟତି ଦଳର ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ ଟେର ମଧ୍ୟ ପାଇନଥିବା ବେଳେ ବିଳମ୍ବିତ ରାତ୍ରିରେ ପଞ୍ଜିଆ ଗ୍ରାମରେ ପ୍ରାୟ ୧୦ ଜଣ ଡକାୟତ ମୁଖା ପିନ୍ଧି କିଶନ ମେହେରଙ୍କ ଘର ପଛପଟ ଝରକା ଭାଙ୍ଗି ଘର ଭିତରକୁ ପସିଥିଲେ । କିଶନ ମେହେର ଓ ତାଙ୍କ ସ୍ତ୍ରୀଙ୍କୁ ଧାରୁଅସ୍ତ୍ରରେ ଆକ୍ରମଣ କରି ଘରେ ଥିବା ୫ ଲକ୍ଷ ୩୫ ହଜାର ଟଙ୍କା, ୫ ଭରି ସୁନା ଓ ୩୪ ତୋଳା ରୂପା ଲୁଟିନେଇଛନ୍ତି । ଏସଂକ୍ରାନ୍ତରେ ଶ୍ରୀ ମେହେର ଗୋଲାମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିବା ପରେ ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରୀ ଧିରଜ କୁମାର ଚୋପଦାର, ଗୋଲାମୁଣ୍ଡା ଥାନା ଆଇଆଇସି ଯୁଗଳ ଶବର ଘଟଣାସ୍ଥଳକୁ ଯାଇ ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ ଆରମ୍ଭ କରିଛନ୍ତି । ବର୍ତ୍ତମାନ ଉଭୟ ସ୍ୱାମୀ ସ୍ତ୍ରୀ ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଶ୍ରୀ ମେହେର ଜଣେ କପଡା ବ୍ୟବସାୟୀ ହୋଇଥିବା ବେଳେ ଘରେ କେବେଳ ଦୁଇ ସ୍ୱାମୀ ସ୍ତ୍ରି ହିଁ ରହୁଥିଲେ। ଗୋଲାମୁଣ୍ଡା ବ୍ଲକରେ ଚୋରି ଡକାୟତି ବଢି ଚାଲିଥିବା ବେଳେ ଏହି ଡକାୟତି ଘଟଣାର ଡକାୟତ ଦଳକୁ ଶିଘ୍ର ଧରିବାକୁ ସ୍ଥାନୀୟ ଲୋକେ ଦାବୀ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.