ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ବର୍ତ୍ତମାନ କଳାହାଣ୍ଡି ଜିଲ୍ଲାର ପ୍ରାୟ ପ୍ରତ୍ୟେକ ବ୍ଲକ ଅଞ୍ଚଳରେ ଚୋରି ଡକାୟତି ପାଇଁ ଲୋକେ ରାତ୍ରି ଉଜାଗର ହୋଇ ଗାଁ ଜଗୁଛନ୍ତି । ଚୋରି ଡକାୟତିକୁ ଲୋକଙ୍କ ମନରେ କୋକୁଆଭୟ ଥିବା ବେଳେ ରାତ୍ର ସମୟରେ ଗାଁକୁ କୌଣସି ଗାଡି ମୋଟର ଆସିଲେ ଗାଡିକୁ ଅଟକଲାଇ ତଦାରଖ ମଧ୍ୟ କରୁଛନ୍ତି ଲୋକେ । ଏପରି ଭୟର ବାତାବରଣ ମଧ୍ୟରେ ଗତକାଲି ରାତ୍ର ସମୟରେ ଗୋଲାମୁଣ୍ଡା ବ୍ଲକର ଅନେକ ଗ୍ରାମର ଆକଶ ମାର୍ଗରେ ଡ୍ରୋନ ବୁଲୁଥିବା ନେଇ ଚର୍ଚ୍ଚା ହୋଇଥିବା ବେଳେ ଲୋକେ ଡ୍ରୋନକୁ ଦେଖି ଫଟୋ ଓ ଭିଡିଓ ଉତ୍ତୋଳନ ମଧ୍ୟ କରିଛନ୍ତି । ଯାହାକି ବର୍ତ୍ତମାନ ସୋସିଆଲ ମଡିଆରେ ଚାରିଆଡେ ବ୍ୟାପି ଯାଇଛି, ଏହାକୁ ନେଇ ଲୋକେ ଆତଙ୍କିତ ହୋଇ ପଡିଛନ୍ତି । ବ୍ଲକର ଗୋଲାମୁଣ୍ଡା, ଦଶପୁର, ଚିଚିଆ, କେଗାଁ, ନୂଆଗାଁ, ମହାଲିଙ୍ଗ ଓ ବୋର୍ଡି ଅଞ୍ଚଳରେ ଏହି ଡ୍ରୋନ ବୁଲୁଥିବା ଚର୍ଚ୍ଚା ହେଉଛି । ଅପରପକ୍ଷରେ ଏହି ଡ୍ରୋନର ଶକ୍ତିଶାଳି କ୍ଷମତାକୁ ନେଇ ଚର୍ଚ୍ଚା ଯୋର ଧରିଛି । ସାଧାରଣତଃ ବାହାଘର ଭିଡିଓ କରିବା ପାଇଁ ଯେଉଁମାନେ ଡ୍ରୋନ ରଖିଛନ୍ତି ସେହି ଡ୍ରୋନ କିଛି ମିଟର ଅବା ବ୍ୟାଟେରି ଚାର୍ଜ ରହିବା ପର୍ଯ୍ୟନ୍ତ ତାର ଉଡିବାର କ୍ଷମତା ରହିଥିବା ବେଳେ ଏହି ଡ୍ରୋନ କେତେ ଶକ୍ତଶାଳି କ୍ଷମତା ବିଶିଷ୍ଟ ହୋଇଥିବ ଯେ ଯାହାକି ଗାଁକୁ ଗାଁ ବୁଲିପାରୁଛି । ଲୋକଙ୍କ ମନରେ ରାତ୍ର ସମୟରେ ଚୋର ଡକାୟତଙ୍କ ଭୟ ଥିବା ବେଳେ ଏହି ଡ୍ରୋନ ବୁଲିବା ଘଟଣା ଲୋକଙ୍କ ଭୟକୁ ଦୁଇଗୁଣିତ କରିଛି । ଏଣୁ ଏହି ଡ୍ରୋନ ବୁଲିବାର ପଛର ପ୍ରକୃତ ରହସ୍ୟକୁ ପୋଲିସ ତଦନ୍ତ କରି ବାହାର କରିବାକୁ ସାଧାରଣରେ ଦାବୀ ହେଉଛି ।