ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବିଘ୍ନ ବିନାଶକ ଭଗବାନ ଗଣେଶଙ୍କ ପୂଜାକୁ ନେଇ ଉତ୍ସବମୁଖର ପୁରପଲ୍ଲୀ। ଗାଁ ଠୁ ସହର ସବୁଠାରେ ଉତ୍ସବର ମାହୋଲ। ଦୁଇ ବର୍ଷର କରୋନା କଟକଣା ପରେ ଏବର୍ଷ ମୁକ୍ତ ପରିବେଶ ମଧ୍ୟରେ ପାଳିତ ହେଉଛି ଶିଦ୍ଧିଦାତା ଗଜାନନଙ୍କ ପୂଜାନୋତ୍ସବ। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର ବ୍ୟବସାୟୀକ ପେଣ୍ଠସ୍ଥଳୀ ରପ୍ରାରୋଡର ବିଭିନ୍ନ ପୂଜା ମଣ୍ଡପରେ ପୂଜିତ ହେଉଛନ୍ତି ଗଣନାୟକ। ସ୍ଥାନୀୟ ଅଗ୍ରସେନ ଭବନଠାରେ ରୁପ୍ରାରୋଡ ରୋୟଲ ଗୃପ ଗଣେଶ ପୂଜା କମିଟି ପକ୍ଷରୁ ୨୪ତମ ଗଣେଶ ପୂଜା ଅନୁଷ୍ଠିତ ହେଉଛି। ଏଥିରେ ରଞ୍ଜନ ମହାନ୍ତି ସପତ୍ନୀକ କର୍ତ୍ତା ଦାୟିତ୍ୱ ତୁଳାଇଛନ୍ତି। ପ୍ରତି ବର୍ଷ ପରି ଏଥର ମଧ୍ୟ ରୟାଲ ଗୃପ ପୂଜା ମଣ୍ଡପରେ ଭଗବାନ ଗଣେଶଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି। ବୈଦିକ ବିଧାନ ଅନୁସାରେ ପୂଜକ ଶୁକଦେବ ପାଢି ପୂଜା ବିଧାନ ସଂପାଦନ କରୁଥିବାବେଳେ ଶ୍ରୀ ଗଜାନନଙ୍କୁ ସକାଳେ ଓ ସନ୍ଧ୍ୟାରେ ଭୋଗ ଲାଗି ହୋଇ ଭକ୍ତ ମାନଙ୍କୁ ପ୍ରସାଦ ବଣ୍ଟନ କରାଯାଉଛି। ଆଲୋକମାଳାରେ ସୁସଜ୍ଜିତ ହୋଇ ଉଠିଛି ପୂଜା ମଣ୍ଡପ। ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ପୂଜା ଆରମ୍ଭ ହୋଇଥିବାବେଳେ ରବିବାର ବିସର୍ଜନ କରାଯିବ ବୋଲି କମିଟିର ସଭାପତି ଅମିତ ଶର୍ମା ସୂଚନା ଦେଇଛନ୍ତି। ଏଥିସହ ରୁପ୍ରାରୋଡ ରୁପ୍ରାରୋଡ ବସ୍ତିର ସମସ୍ତ ପୂଜା ମଣ୍ଡପ, ଶିକ୍ଷାନୁଷ୍ଠାନ ଓ ଘରେ ଘରେ ଭକ୍ତିମୟ ପରିବେଶ ମଧ୍ୟରେ ପୂଜା ପାଉଛନ୍ତି ଅଗ୍ରପୂଜ୍ୟ ଗଣେଶ।