ଏସ୍ଏଚଜି ମହିଳାଙ୍କ ହାତ ତିଆରି ମାଣ୍ଡିଆ ଲଡୁ ଓ ପକୁଡି ଖାଇଲେ ମନ୍ତ୍ରୀ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାକୁ ସ୍ୱତନ୍ତ୍ର ଗସ୍ତ କରିଛନ୍ତି ରାଜ୍ୟ ସରକାରଙ୍କର ମହିଳା ଓ ଶିଶୁ ବିକାଶ କଲ୍ୟାଣ ମନ୍ତ୍ରୀ ବାସନ୍ତୀ ହେମ୍ରମ୍ । ଆଜି (ବୁଧବାର) ସକାଳ ୧୦ ଘଣ୍ଟା ସମୟରେ ନର୍ଲା ବ୍ଲକ୍ ଅଧିନସ୍ଥ ଘଣ୍ଟମାଳ ଗ୍ରାମକୁ ଆସି ଘଣ୍ଟମାଳ ବସ୍ତି ମଝିରେ ରହିଥିବା ନବ ନିର୍ମିତ ଅଙ୍ଗନୱାଡି ଗୃହ ଯାହାକି ଗତ ମାସରେ ରାଜ୍ୟସଭା ସାଂସଦ ସୁଜିତ କୁମାର ସେଠଙ୍କ କର କମଳରେ ଉଦ୍ଘାଟିତ ହୋଇଥିଲା । ଉକ୍ତ ଅଙ୍ଗନୱାଡି କେନ୍ଦ୍ରଟି ବୁଲି ଦେଖିବା ସହିତ ଶିଶୁ ମାନଙ୍କର ଖାଦ୍ୟପେୟ ଓ ପଢାପଢି କଥା ପଚାରି ବୁଝିଥିଲେ । ସର୍ଗିଗୁଡା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ତରଫରୁ ମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା ।
ଏହାପରେ ମନ୍ତ୍ରୀ ସର୍ଗିଗୁଡା ତହସିଲ ଅଫିସ୍ ସମ୍ମୁଖସ୍ଥ ସର୍ଗିଗୁଡାର ଦ୍ୱିତୀୟ ଅଙ୍ଗନୱାଡି କେନ୍ଦ୍ରକୁ ଯାଇ ସେଠାରେ ଅଧ୍ୟୟନରତ ଶିଶୁ ମାନଙ୍କୁ ସେମାନଙ୍କ ସୁବିଧା ଅସୁବିଧା, ଖାଦ୍ୟପେୟ ଏଭଳି ସମସ୍ତ ବିଷୟ ପଚାରି ବଝିବା ସହ ଅଙ୍ଗନୱାଡି କର୍ମୀଙ୍କ ସହ ମଧ୍ୟ ଅଙ୍ଗନୱାଡି କେନ୍ଦ୍ର ପରିଚାଳନା ଓ ଶିଶୁଙ୍କ ସମସ୍ୟା କଥା ପଚାରି ବୁଝିଥିଲେ । ଉକ୍ତ ଅଙ୍ଗନୱାଡି କେନ୍ଦ୍ର ନିକଟରେ ନିର୍ମିତ ହେଉଥିବା ଅସମ୍ପୂର୍ଣ୍ଣ ମିଶନ ଶକ୍ତି ଭବନ ମଧ୍ୟ ବୁଲି ଦେଖିବା ସହ ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ମାନଙ୍କ ସହ ଆଲୋଚନା କରିଥିଲେ ।
ଏହାପରେ ମନ୍ତ୍ରୀ ନର୍ଲା ଚାରିଛକ ସ୍ଥିତ ଜୟ ଜଗନ୍ନାଥ ସ୍ୱୟଂ ସହାୟକ ଗୋଷ୍ଠି ତରଫରୁ ଚାଲିଥିବା ବେତକାମ ବୁଲି ଦେଖିବା ସହ ଏହାର ମାର୍କେଟିଂ, ସଫଳତା ଓ ଆଉ ଅଧିକ କଣ କରାଯାଇପାରେ ସେ ବିଷୟରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ପଚାରିଥିଲେ । ଏହାପରେ ମାଣ୍ଡିଆ ମୋବାଇ ଭ୍ୟାନ ଯାହାକୁ କି ମାଣ୍ଡେଲ ମହିଳା ମହାଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠି ପରିଚାଳନା କରୁଛନ୍ତି ସେହି ଭ୍ୟାନରେ ମାଣ୍ଡିଆରେ ନିର୍ମିତ ହୋଇଥିବା ମାଣ୍ଡିଆ ଲଡୁ, ମାଣ୍ଡିଆ ପକୋଡି ଖାଇ ଏହାର ସ୍ୱାଦ ପରୀକ୍ଷଣ କରି ସନ୍ତୋଷ ବ୍ୟକ୍ତ କରିଥିଲେ ।
ଶିଶୁ ବିକାଶ ଓ ମହିଳା ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ହେମ୍ରଙ୍କ ନର୍ଲା ଗସ୍ତ ସମୟରେ ତାଙ୍କ ସହ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂଦେଓ, ନର୍ଲା ବ୍ଲକ୍ ଅଧ୍ୟକ୍ଷା ମନୋରମା ମହାନ୍ତି, ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ପ୍ରଗତିବାଦୀ ଡିଜିଏମ କମ୍ବୁପାଣି ମିଶ୍ର, ଓ୍ବାର୍ଲଡ ଭିଜନ ନର୍ଲା ଏଡିପି ମ୍ୟାନେଜର ପି.ଭି. କ୍ରିଷ୍ଣା, ନର୍ଲା ସିଡିପିଓ ନିବାସିନୀ ବିଶ୍ୱାଳ, ମିଶନ ଶକ୍ତି ବ୍ଲକ୍ ସଂଯୋଜକ ରୋହିତ ବିଶ୍ୱାଳ, ନର୍ଲା ବିଡିଓ ବାସନ୍ତି ସେଠୀ, ଘଣ୍ଟମାଲ ସରପଞ୍ଚ ଦେବେନ୍ଦ୍ର ସା, ସର୍ଗିଗୁଡା ସରପଞ୍ଚ ଦୀପାଞ୍ଜଳୀ ବୁଦ୍ଧିଆ, ସମିତି ସଦସ୍ୟ ଚିରଞ୍ଜିବୀ ଗୌଡ଼ିଆ, ଡିଏସଡବ୍ଲୁ, ଡିିପିସି ମିଶନ ଶକ୍ତି ଅଧିକାରୀ, ଡିସିପିଓ କଳାହାଣ୍ଡି ପ୍ରମୁଖ ମନ୍ତ୍ରୀଙ୍କ ସାଙ୍ଗରେ ରହି ନର୍ଲାରେ ଚାଲିଥିବା ମିଶନ ଶକ୍ତିର ବିଭିନ୍ନ ପ୍ରକଳ୍ପ ସବୁ ଦେଖାଇଥିଲେ ।