କଳାହାଣ୍ଡି,୧୯/୧୧:
ପରମ ପୁରୁଷ ଭଗବାନ ଶ୍ରୀକୃଷ୍ଣଙ୍କ ପାବନ ପବିତ୍ର ଗୁଣ ଗାରିମା କଥା ସୁଣି ପ୍ରଫୁଲ୍ଲିତ ହୋଇଯାଉଛନ୍ତି ଶ୍ରୋତା ମଣ୍ଡଳୀ । କାହା ଆଖିରୁ ନିଗିଡି ଯାଉଛି ଆନନ୍ଦାଶ୍ରୃ ତ କିଏ ଭକ୍ତି ଗଦ୍ ଗଦ୍ ହୋଇ ହରିବୋଲ୍ ହୁରି ଛାଡୁଛି । ହରି ରଶାମୃତ ପାନ କରିବାକୁ ଭକ୍ତଙ୍କ ମନରେ ପ୍ରବଳ ଉତ୍କଣ୍ଠା ପ୍ରକାଶ ପାଇଛି । ହରିବୋଲ୍ ହୁଳହୁଳି ଧ୍ବନୀରେ ପକମ୍ପିତ ହେଉଛି ଖଣ୍ଡ ମଣ୍ଡଳ । ଭକ୍ତିମୟ ପରିବେଷରେ ମଧ୍ୟରେ ସତେ ଅବା ସବୁ ହୋଇ ଯାଇଛି କୃଷ୍ଣ ମୟ । କୃଷ୍ଣ ପ୍ରେମରେ ସମସ୍ତେ ମୋହିତ । କୃଷ୍ଣ ହିଁ ଏପରି କୃଷ୍ଣ କଥାର ମାଧୁର୍ଯ୍ୟ ହିଁ ଏହିପରି । ଏପରି ଏକ ମନୋରମ ଦୃଷ୍ୟ ଦେଖିବାକୁ ମିଲିଛି କଳାହାଣ୍ଡି ଜିଲ୍ଲା ରୁପ୍ରାରୋଡ ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ । ଗତ ଶନିବାର ଠାରୁ ଏଠାରେ ଆରମ୍ଭ ହୋଇଛି ଶ୍ରୀମଦ୍ ଭାଗବତ ଜ୍ଞାନ ଯଜ୍ଞ ।
ଓଡିଶାର ଲୋକପ୍ରିୟ ଆଧ୍ୟାତ୍ମିକ ପ୍ରବଚକ ଶ୍ରୀ ଆଶିର୍ବାଦଜୀ ମହାରାଜଙ୍କ ଶ୍ରୀମୂଖରୁ ନିଶୃତ ହେଉଛି ହରିକଥା । ପ୍ରତ୍ୟେକ ଦିନ ଅପରାହ୍ନ ୩ ଘଣ୍ଟା ଠାରୁ ସଂଧ୍ୟା ୭ ଘଣ୍ଟା ପର୍ଯ୍ୟନ୍ତ ପରାୟଣ ହେଉଛି ଶ୍ରୀମଦ୍ ଭାଗବତ କଥା । ପ୍ରବଚକ ମହାରାଜ ଭାଗବତ ମହାତ୍ମ୍ୟ ମାଧ୍ୟମରେ ଭଗବାନ ଶ୍ରୀକୃଷ୍ଣଙ୍କ ଦିବ୍ୟ ଜୀବନ ବୃତ୍ତାନ୍ତ ଓ ବିଭିନ୍ନ ଚରିତ୍ର ଉପରେ ଭାବଗର୍ଭକ ପ୍ରବଚନ ପ୍ରଦାନ କରୁଛନ୍ତି ।
ଶନିବାର କଳସ ଯାତ୍ରାରୁ ଆରମ୍ଭ ହୋଇଥିବା ଏହି ଜ୍ଞାନ ଯଜ୍ଞରେ ଶ୍ରୀମଦ୍ ଭାଗବତ ମହାତ୍ମ୍ୟ , ସୃଷ୍ଟି ତତ୍ବ, ଧୃବ ଚରିତ , ନୃସିଂହ ଜନ୍ମ ଓ ବାମନ ଜନ୍ମ , ଏହାପରେ ପରେ ଶ୍ରୀକୃଷ୍ଣଙ୍କ ଜନ୍ମ ମହେତ୍ସବ , ବାଲ୍ୟ ଲିଳା ଓ ଗୋବର୍ଧନ ପୂଜା , ରୁକୁଣୀ ବିବାହ, ସୁଦାମ ଚରିତ, ଅନ୍ତିମ ଉପଦେଶ ଆଦି ବିଭିନ୍ନ ଚରିତ ରହିଛି । ୨୪ ତାରିଖରେ ପୂର୍ଣାହୁତି ଓ ହବନ ସହ ଏହି ଜ୍ଞାନ ଯଜ୍ଞର ସମାପନ ହେବ ବୋଲି ଆୟୋଜକ ମାନଙ୍କ ଠାରୁ ପ୍ରକାଶ ।
ରୁପ୍ରାରୋଡ ଜଗନ୍ନାଥ ମନ୍ଦିର କମିଟିର ସାଧୁରାମ ଅଗ୍ରୱାଲ , ପ୍ରଦୀପ ଅଗ୍ରୱାଲ , ସତ୍ୟନାରାୟଣ ଜୈନ , ଆଇନଜୀବି ସୁବାଷ ଅଗ୍ରୱାଲଙ୍କ ପ୍ରତ୍ୟକ୍ଷ୍ୟ ତତ୍ତ୍ବାବଧାନରେ ଆୟୋଜିତ ଏହି ଭବ୍ୟ ସମାରୋହରେ ଯଜମାନ ରୂପେ ରାଜେଶ ଅଗ୍ରୱାଲ ସସ୍ତ୍ରୀକ ଯୋଗଦେଇ ଥିବା ବେଳେ ପ୍ରବଚନ କାର୍ଯ୍ୟକ୍ରମରେ ଭକ୍ତଙ୍କ ପ୍ରବଳ ଜନ ସମାଗମ ପରିଳକ୍ଷିତ ହେଉଛି ।