ଖଡଗେ ହେଲେ ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସର ନୂତନ ଅଧ୍ୟକ୍ଷ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଦେଶର ସର୍ବପୁରାତନ ଦଳ କଂଗ୍ରେସର ନେତୃତ୍ୱ ନେବେ ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ । କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନର ଫଳାଫଳ ଆଜି ଆସିଥିବା ବେଳେ ବାଜି ମାରିନେଇଛନ୍ତି ମଲ୍ଲିକାର୍ଜୁନ ଖଡଗେ । ତାଙ୍କୁ ମିଳିଛି ୭ ହଜାର ୮୯୭ ଭୋଟ୍ । ସେହିପରି ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଶଶୀ ଥରୁରଙ୍କୁ ମିଳିଛି ମାତ୍ର ୧୦୭୨ ଭୋଟ୍ । ଏହା ବ୍ୟତୀତ ୪୧୬ ଖଣ୍ଡ ଭୋଟ ନାକଚ ହୋଇଛି । ଫଳରେ ମଲ୍ଲିକାର୍ଜୁନ୍ କଂଗ୍ରେସର ରାଷ୍ଟ୍ରିୟ ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି । ଏହି ନିର୍ବାଚନରେ ମୋଟ ୯୫୦୦ ରୁ କିଛି ଅଧିକ ଡେଲିଗେଟ ଭୋଟ ଦେଇଥିଲେ । ଏହି ନିର୍ବାଚନରେ ପରାସ୍ତ ହୋଇଥିବା ତାଙ୍କ ପ୍ରତିଦ୍ୱନ୍ଦ୍ୱି ଡ଼ଃ ଶଶୀ ଥରୁର ଖଡଗେଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଟୁଇଟ୍‌ କରି ଡ଼ଃ ଥରୁର ଲେଖିଛନ୍ତି, ଭାରତୀୟ ଜାତୀୟ କଂଗ୍ରେସର ଅଧ୍ୟକ୍ଷ‌ ହେବା ବଡ଼ ସମ୍ମାନ ଓ ଗୁରୁ ଦାୟିତ୍ବ କଥା । ସେ କାର୍ଯ୍ୟ ତୁଲାଇବାରେ ଖ‌ଡ଼ଗେ ସଫଳ ହୁଅନ୍ତୁ ।

ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସ ପ୍ରାୟ ୨୪ ବର୍ଷ ପରେ ଗାନ୍ଧୀ ପରିବାର ବାହାରୁ ଅଧ୍ୟକ୍ଷ ପାଇଛି । ଏହାପୂର୍ବରୁ ସୀତାରାମ କେସରୀ ଅଣ-ଗାନ୍ଧୀ ଅଧ୍ୟକ୍ଷ ଥିଲେ । ଆଜି ନିର୍ବାଚନ ଫଳାଫଳ ଘୋଷଣା ପରେ ନୂଆ ଅଧ୍ୟକ୍ଷ ମଲ୍ଲିକାର୍ଜୁନ୍ ଖଡ଼ଗେ ସୋନିଆ ଗାନ୍ଧୀଙ୍କ ସ୍ଥାନ ନେବେ । ୨୦୧୯ ଲୋକସଭା ନିର୍ବାଚନରେ ଦଳର ପରାଜୟ ପରେ ରାହୁଲ ଗାନ୍ଧୀ ଇସ୍ତଫା ଦେବାରୁ ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷ ଭାବରେ ସୋନିଆ ଗାନ୍ଧୀ ଦାୟିତ୍ୱ ନେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.