ଚିନ୍ତା ବଢାଇଲା ଡେଙ୍ଗୁ, ସବୁ ଡାକ୍ତରଙ୍କ ଛୁଟି ବାତିଲ

ଓଡ଼ିଆ ବାର୍ତ୍ତା/ ଲକ୍ଷ୍ନୌ: ଉତ୍ତରପ୍ରଦେଶ ସରକାରଙ୍କ ସମସ୍ତ ସଜାଗତା ସତ୍ତ୍ବେ ଦିନକୁ ଦିନ ଡେଙ୍ଗୁ ମାମଲା ଅତି ଭୟଙ୍କର ଭାବେ ବଢିବାରେ ଲାଗିଛି । ଡେଙ୍ଗୁ ଜ୍ୱରର କ୍ରମାଗତ ବୃଦ୍ଧି ନେଇ କେନ୍ଦ୍ର ସରକାର ଚିନ୍ତିତ ଅଛନ୍ତି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୬ ଜଣିଆ ସଦସ୍ୟ ବିଶିଷ୍ଟ ଉଚ୍ଚସ୍ତରୀୟ ଟିମ ଗଠନ କରି ୟୁପିରେ ପଠାଇଛି । ଡାକ୍ତର ଭିକେ ଚୌଧୁରୀ ଏହି ଟିମର ନେତୃତ୍ୱ ନେବେ। ଏହି ଟିମ୍ ପ୍ରଥମେ ଫିରୋଜାବାଦ, ଆଗ୍ରା ଏବଂ ଏଟାୱା ଡେଙ୍ଗୁ ପ୍ରଭାବିତ ଜିଲ୍ଲାରେ ସ୍ଥିତିର ଅନୁଧ୍ୟାନ କରିବ । ଏହି ଦଳ ଡେଙ୍ଗୁ ଜ୍ୱରର କାରଣ ଖୋଜି ବାହାର କରିବା ସହିତ ଅଳ୍ପ ସମୟ ମଧ୍ୟରେ ଏହାର ପ୍ରତିରୋଧ ପାଇଁ ବ୍ୟବସ୍ଥା କରିବ । ସୂଚନା ଥାଉ କି ଯେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩୦୦୦ ରୁ ଅଧିକ ଡେଙ୍ଗୁ ରୋଗରେ ଚିହ୍ନଟ ହୋଇଛନ୍ତି। ଆଗାମୀ ଦିନରେ ଡେଙ୍ଗୁ ରୋଗ ସଂଖ୍ୟା ବୃଦ୍ଧି ପାଇବ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି । ଚଳିତ ବର୍ଷ ଜାନୁଆରୀରୁ ସେପ୍ଟେମ୍ବର ମଧ୍ୟରେ ରାଜ୍ୟରେ ୨,୧୦୩ ଡେଙ୍ଗୁ ମାମଲା ରିପୋର୍ଟ କରାଯାଇଥଇଲା । ଏହି ସମୟରେ ଦିଲ୍ଲୀରେ ଅକ୍ଟୋବର ୬ ରୁ ୧୨ ମଧ୍ୟରେ ୩୧୪ ଡେଙ୍ଗୁ ରୋଗ ରେକର୍ଡ କରି ବାର୍ଷିକ ସଂଖ୍ୟା ୧,୫୭୨ କୁ ନେଇଥିଲା । 

ସେପଟେ ଡେଙ୍ଗୁ ନିୟନ୍ତ୍ରଣ ଦିଗରେ ୟୁପି ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ସରକାର ରାଜ୍ୟର ସମସ୍ତ ଡାକ୍ତର ଏବଂ ପାରାମେଡିକାଲ କର୍ମଚାରୀଙ୍କ ଛୁଟି ବାତିଲ କରିଛି । ଏନେଇ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ କହିଛନ୍ତି, ଗତବର୍ଷ ତୁଳନାରେ ଚଳିତ ବର୍ଷ ଡେଙ୍ଗୁ ମାମଲା କମ୍ ରହିଛି । ସମସ୍ତ ହସ୍ପିଟାଲରେ ବେଡ ସଂରକ୍ଷିତ ରଖାଯାଇଛି ଏବଂ ପର୍ଯ୍ୟାପ୍ତ ପ୍ଲେଟଲେଟ ଉପଲବ୍ଧ ପାଇଁ ପ୍ରସ୍ତୁତି ଜାରି ରହିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.