ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବିଶିଷ୍ଟ ସାହିତ୍ୟିକ, ବାଗ୍ମୀ ତଥା ପ୍ରଶାସକ ଡ. ନୃପରାଜ ସାହୁଙ୍କୁ ଚଳିତ ବର୍ଷର ମର୍ଯ୍ୟାଦାଜନକ ‘ଦେବଗିରି ସାହିତ୍ୟ ସମ୍ମାନ’ ପ୍ରଦାନ କରାଯିବ। ତରୁଣ ବୟସରୁ ସାହିତ୍ୟ ସାଧନାରେ ନିମଜ୍ଜିତ ଥିବା ଡ. ସାହୁ ଗଳ୍ପ, କବିତା, ଅନୁବାଦ ଆଦି କ୍ଷେତ୍ରରେ ନିଜର ଉତ୍କର୍ଷତା ପ୍ରତିପାଦନ କରିସାରିଛନ୍ତି। ଏଯାବତ ତାଙ୍କର ଦୁଇଟି ଗଳ୍ପ ସଂକଳନ ‘ପ୍ରୀତିଲଗ୍ନା ଓ ଅନ୍ୟାନ୍ୟ ଗଳ୍ପ’, ‘ପ୍ରୀତିପଦ୍ମା ଓ ଅନ୍ୟାନ୍ୟ ଗଳ୍ପ’, ଗୋଟିଏ କବିତା ସଂକଳନ ‘ସମର୍ପିତ ସ୍ୱପ୍ନ’ ପ୍ରକାଶିତ ହୋଇଥିବା ବେଳେ ସେ କଳାହାଣ୍ଡି ମହାରାଜ ପ୍ରତାପ କେଶରୀ ଦେଓଙ୍କ ପୁସ୍ତକ ‘ମେମୋଇର୍ସ ଅଫ୍ ଏ ବାଏଗନ୍ ଏରା’ର ଅନୁବାଦ କରିଛନ୍ତି, ଯାହାକି ଏବେ ପ୍ରକାଶ ଅପେକ୍ଷାରେ ରହିଛି। ଜଣେ ପ୍ରବୀଣ ବାଗ୍ମୀ ଓ ପ୍ରଶାସକ ଭାବରେ ସାରା ରାଜ୍ୟରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଡ. ସାହୁ ସଂପ୍ରତି ସମ୍ବଲପୁର ବିଶ୍ୱବିଦ୍ୟାଳୟରେ କୁଳସଚିବ ଭାବେ କାର୍ଯ୍ୟରତ। ଆସନ୍ତା ୨ ରୁ ୪ ତାରିଖ ଯାଏଁ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ବୁଢ଼ୀପଦର ସ୍ଥିତ ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୦ତମ ବାର୍ଷିକ ଉତ୍ସବ ତଥା ରାଜ୍ୟସ୍ତରୀୟ କୁମାରସ୍ୱାମୀ ମହୋତ୍ସବ ଅବସରରେ ତାଙ୍କୁ ସମ୍ମାନିତ କରାଯିବ ବୋଲି ଅନୁଷ୍ଠାନର ସଭାପତି ସଂଜୟ କୁମାର ଧଙ୍ଗଡ଼ାମାଝୀ ଓ ସାଧାରଣ ସଂପାଦକ ସୁନୀଲ କୁମାର ଧଙ୍ଗଡ଼ାମାଝୀ ସୂଚନା ଦେଇଛନ୍ତି।