ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଓଡିଶାର ଜଣେ ଖ୍ୟାତନାମା ତଥା ବରିଷ୍ଠ ସାମ୍ବାଦିକ ସ୍ୱାଧୀନ ପାତ୍ରଙ୍କୁ ଏବର୍ଷର ମର୍ଯ୍ୟାଦାଜନକ ଦେବଗିରି ସାମ୍ବାଦିକତା ସମ୍ମାନ ପ୍ରଦାନ କରାଯିବ। ରାଜ୍ୟର ବିଭିନ୍ନ ସ୍ଥାନରେ ‘ସମ୍ବାଦ’ରେ ସାମ୍ବାଦିକତା ଆରମ୍ଭ କରି ସମ୍ବାଦରେ ହିଁ ଅବସର ଗ୍ରହଣ କରିଥିଲେ । ସଂପ୍ରତି ସେ ‘ସକାଳ’ର କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଭାବେ କାର୍ଯ୍ୟରତ। ଶ୍ରୀ ପାତ୍ର ୨୦୦୮ ମସିହାରେ ୪୦୦ରୁ ଉର୍ଦ୍ଧ୍ବ ମାଓବାଦୀଙ୍କ ଦ୍ଵାରା ନୟାଗଡ଼ ଅସ୍ତ୍ରାଗାର ଲୁଟ ପରେ ଗଞ୍ଜାମର ଗାଲେରୀ ନିକଟ ଗସମା ଗାଁ ସିଂହରଡି ପାହାଡ଼ ପାଖରେ ପୋଲିସ ମାଓବାଦୀ ଖବର ପାଇଁ ଜଙ୍ଗଲ ଭିତରେ ୧୫ ଦିନ କଟାଇ ଖବର ପରିବେଷଣ କରିଥିଲେ। ଭରା ଋଷିକୂଲ୍ୟା ନଦୀ ପାର ହୋଇ ବନ୍ୟା ପ୍ରପୀଡ଼ିତଙ୍କ ଖବର ପରିବେଷଣ ପାଇଁ ଯିବାବେଳେ ଡଙ୍ଗା ଓଲଟି ପଡ଼ିବା ଆଉ ବ୍ରହ୍ମପୁର ସହରରେ ସାମ୍ବାଦିକତା କରୁଥିବା ସମୟରେ ୧୯୯୫ ମସିହାରେ ମଦମାଫିଆଙ୍କ ୧୧ଥର ଖଣ୍ଡା ଚୋଟରେ ରକ୍ତାକ୍ତ ହୋଇ ଜୀବନ ବଞ୍ଚାଇବା ଭଳି ଘଟଣା ତାଙ୍କ ସାମ୍ବାଦିକ ଜୀବନର ବିରଳ ମୁହୂର୍ତ୍ତ। ସାମ୍ବାଦିକତା ବ୍ୟତୀତ ସାହିତ୍ୟ ସାଧନା, ଅଭିନୟ ଓ ସଂଗଠନରେ ତାଙ୍କର ଅନୁଭବ ରହିଛି। ସେ ଭଞ୍ଜନଗର ସାଂସ୍କୃତିକ ଅନୁଷ୍ଠାନ ପ୍ରତିଷ୍ଠା କରିଥିବା ବେଳେ ରାଜ୍ୟର ବିଭିନ୍ନ ଅନୁଷ୍ଠାନ ସହ ଜଡ଼ିତ। ୨୦୧୭ରୁ ଡ଼. ଏପିଜେ ଅବଦୁଲ କଲାମ ଫାଉଣ୍ଡେସନ ଟ୍ରଷ୍ଟର ଉପାଧ୍ୟକ୍ଷ ଭାବେ ବର୍ଷ ତମାମ ବିଭିନ୍ନ ସାମାଜିକ ତଥା ସଚେତନତା କାର୍ଯ୍ୟକ୍ରମରେ ସଂଶ୍ଲିଷ୍ଟ ରହିଛନ୍ତି।
ଆସନ୍ତା ୨ରୁ ୪ ତାରିଖ ଯାଏଁ ହେବାକୁ ଥିବା ରାଜ୍ୟର ଅଗ୍ରଣୀ ସଂସ୍ଥା ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୦ତମ ବାର୍ଷିକ ଉତ୍ସବ ତଥା ରାଜ୍ୟସ୍ତରୀୟ କୁମାରସ୍ୱାମୀ ମହୋତ୍ସବ ଅବସରରେ ତାଙ୍କୁ ସମ୍ମାନିତ କରାଯିବ ବୋଲି ଅନୁଷ୍ଠାନର ସଭାପତି ସଞ୍ଜୟ କୁମାର ଧଙ୍ଗଡ଼ାମାଝୀ ଓ ସାଧାରଣ ସଂପାଦକ ସୁନୀଲ କୁମାର ଧଙ୍ଗଡ଼ାମାଝୀ ସୂଚନା ଦେଇଛନ୍ତି।