ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ
ଓଡ଼ିଆ ବାର୍ତ୍ତା / ଥୁଆମୂଳ ରାମପୁର (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୩ କିପରି ମହା ସମାରୋହରେ ବ୍ଲକ ସ୍ତରରେ ପାଳନ କରାଯିବ ସେଥିପାଇଁ ଜିଲ୍ଲା ପ୍ରଶାସନ କଳାହାଣ୍ଡିର ୧୩ଜଣ ବିଡ଼ିଓଙ୍କୁ ଚିଠି କରିଛନ୍ତି। ଏନେଇ ଆଜି ଅପରାହ୍ନରେ ଥୁଆମୂଳ ରାମପୁର ବ୍ଲକ୍ ସମ୍ମିଳନୀ କକ୍ଷରେ ଥୁଆମୂଳ ରାମପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୟାନିଧି ମାଝୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ଲକ ଅଧିନରେ ଥିବା ସମସ୍ତ ସରପଞ୍ଚ, ସମିତି ସଭ୍ୟ, ବିଭିନ୍ନ ଯୁବ ଅନୁଷ୍ଠାନ ତଥା ବୁଦ୍ଧିଜିବୀ, କଳାସଂସ୍କୃତି ଅନୁଷ୍ଠାନ, ଗଣମାଧ୍ୟମ ପ୍ରତିନିଧି, ପୁଲିସ ବିଭାଗ, ଅଗ୍ନିଶମ ବିଭାଗ ସମେତ ଶିଶୁ ବିକାଶ ବିଭାଗ ଉକ୍ତ ବୈଠକରେ ଉପସ୍ଥିତ ରହିଥିଲେ।
ବୈଠକରେ ଅଧ୍ୟକ୍ଷ ଦୟାନିଧି ମାଝୀ, ଏଇଇ ବାଞ୍ଛାଭଟ୍ଟ ପାଣ୍ଡେ, ଏମପି ପ୍ରତିନିଧି ଥୁଆମୂଳ ରାମପୁର ବିଷ୍ଣୁ ନାଏକ, ପୂର୍ବତନ ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ମାଣିକ୍ୟ ଚନ୍ଦ୍ର ନାଏକ, ସ୍ଥାନୀୟ ସରପଞ୍ଚ ବିଜୟା ମାଝୀ, ସ୍ଥାନୀୟ ସମିତି ସଭ୍ୟା ପୁଷ୍ପାଞ୍ଜଳି ନାଏକ, ପ୍ରମୁଖ ଯୋଗଦାନ କରିଥିଲେ। ବ୍ଳକ୍ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୩ ଆସନ୍ତା ବର୍ଷ ଜାନୁଆରୀ ୧୦ରୁ ୧୧ ତାରିଖ ପର୍ଯ୍ୟନ୍ତ ଦୁଇ ଦିନ ଧରି ଆୟୋଜନ ହେବାକୁ ଯାଉଛି। ତେଣୁ ସୁରୁଖୁରୁରେ ଉତ୍ସବକୁ ପରିଚାଳନା କରିବା ପାଇଁ ବିଭିନ୍ନ ବିଭାଗକୁ ନେଇ ଏକ କମିଟି ଗଠନ କରାଯାଇଥିଲା।