ଓଲମା ଗ୍ରାମରେ ଆଦିବାସୀଙ୍କ ନିଆରା ଟୋକୀମରା ପର୍ବ ଉଦଯାପିତ
ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ମାଟି ମା’ ଓ ଆଦିମ କୃଷି ସଂସ୍କୃତି ସହ ଜଡ଼ତ ଟୋକୀମରା ପରବର ମୁଖ୍ୟ ଆକର୍ଷଣ ହେଉଛି ଧାଙ୍ଗଡି ଦୋଲା। ଟୋକୀମରା ପର୍ବ ପରେ ପାଳିତ ହୁଏ ଧାଙ୍ଗଡି ଦୋଲା। ଏହିଦିନ ଖୁସିରେ ମାତି ଉଠନ୍ତି ଆଦିବାସୀ ପରିବାର। ଗାଁର ବୟୋଜ୍ୟେଷ୍ଠ ବ୍ୟକ୍ତି ହେଉ କି ଧାଙ୍ଗଡା ଧାଙ୍ଗଡି ହୁଅନ୍ତୁ ସମସ୍ତ ମସଗୁଲ ରୁହନ୍ତି ଏହି ବିଶେଷ ମୁହୁର୍ତ୍ତକୁ ନେଇ। ନିମନ୍ତ୍ରିତ ଅତିଥି, ଗୈନ୍ତିଆ, ଯାନି ପୁଝାରୀ ମାନଙ୍କୁ ସେଦିନ ଖଟରେ ଆଦିବାସୀ ଯୁବକ ଯୁବତୀ ଝୁଲାଇ ନଚାଇଥାନ୍ତି। ଏହିଦିନ କୌଣସି ଆଦିବାସୀ ପିଲା କୈାଣସି ଯୁବତୀକୁ ଯଦି ନେଇ ପଳାଏ ତଥା ଦୁହିଁଙ୍କ ମର୍ଜିରେ ଗଲେ ସେମାନଙ୍କୁ ସମାଜ ସ୍ୱାମୀ ସ୍ତ୍ରର ମର୍ଯ୍ୟଦା ଦେଇଥାଏ। ହେଲେ କାଳକ୍ରମେ ଏହି ପ୍ରଥା ବିଲୁପ୍ତ ହେବାକୁ ବସିଲାଣି। ତେବେ ଧାଙ୍ଗଡିଦୋଲା ପାଇଁ ଏହି ପର୍ବର ସ୍ୱତନ୍ତ୍ରତା ଅନେକ ଲୋକଙ୍କୁ ଆକର୍ଷିତ କରିଥାଏ। ଏପରି ଏକ ନିଆରା ପରମ୍ପରା ଦେଖିବାକୁ ମିଳିଛି ଓଲମା ଗ୍ରାମରେ ପାଳିତ ହୋଇଥିବା ଟୋକୀମରା ପର୍ବର ସମାପନର ପରବର୍ତ୍ତୀ ଦିବସରେ। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ଓଲମା ଠାରେ ରବିବାର ଆଦିବାସୀଙ୍କ ନିଆରା କୃଷି ଭିତ୍ତିକ ତଥା ବିଶ୍ବାସର ପର୍ବ ଟୋକିମରା ପାଳିତ ହୋଇଥିବା ବେଳେ ସୋମବାର ପର୍ବର ମୂଖ୍ୟ ଆକର୍ଷଣ ଧାଙ୍ଗଡି ଦୋଳା ସହ ଉତ୍ସବର ସମାପନ ହୋଇଛି। ଦେବା ଦେବୀଙ୍କୁ ଶାନ୍ତି କରିବା ପାଇଁ ମାଟି ସିତଲା କାର୍ଯ୍ୟକ୍ରମ ସହ ପାରମ୍ପରିକ ଅସ୍ତ୍ରଶସ୍ତ୍ରକୁ ସମର୍ପଣ କରିବା ପରେ ପର୍ବଟି ଉଦଯାପିତ ହୋଇଛି। କାର୍ଯ୍ୟକ୍ରମରେ କମିଟିର ସଭାପତି ତଥା ଗୈନ୍ତିଆ ବିଭୁତି ଭୁଷଣ ପଣ୍ଡା, ସମ୍ପାଦକ ବ୍ରହ୍ମାନନ୍ଦ ମାଝୀ, କୋଷାଧ୍ୟକ୍ଷ ଅଚ୍ୟୁତ କୁମାର ସାହୁ, ସହ ସମ୍ପାଦକ ବାଲ ସାଗର, ପର୍ଯ୍ୟବେକ୍ଷକ ଭାଗବତ କଟା, ଫୁଲଚନ୍ଦ ସାହୁ, ତ୍ରିନାଥ ସବର, ପ୍ରମୋଦ କୁମାର ପଣ୍ଡା, ସଞ୍ଜିବ କୁମାର ପଣ୍ଡା, ଧନଞ୍ଜୟ ସାହୁ, ବିଶ୍ଵ ରଞ୍ଜନ ପଣ୍ଡା, ବଲ୍ଲଭ ସାହୁ ପ୍ରମୁଖ ସହିତ ଓଲମା ଗ୍ରାମବାସୀ ଉପସ୍ଥିତ ରହି ପରିଚାଳନାରେ ସହେଯାଗ କରିଥିଲେ।