ସୁବର୍ଣ୍ଣପୁରରେ ଶାନ୍ତି ଶୃଙ୍ଖଳା ସହ ସାଧାରଣ ନିର୍ବାଚନ ସମ୍ପନ୍ନ

ସୋନପୁର,୧୯/୪ : ସୁବର୍ଣ୍ଣପୁର ଜିଲାର ଉଭୟ ସୋନପୁର ଓ ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି । ତେବେ ମତଦାନ ସମୟରେ ବିଭିନ୍ନ କାରଣରୁ ଜିଲାର ଉଭୟ ନିର୍ବାଚନ ମଣ୍ଡଳୀର ପ୍ରାୟ ୪୦ଟି ବୁଥ୍ ରେ ରାତି ପର୍ଯ୍ୟନ୍ତ ମତଦାନ
ଚାଲିଥିବା ଅତିରିକ୍ତ ଜିଲା ନିର୍ବାଚନ ଅଧିକାରୀ ଶରତ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି । ଜିଲା ନିର୍ବାଚନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୧୮ ତାରିଖ ପୁର୍ବାହ୍ନ ୯ଟା ସୁଦ୍ଧା ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ହାର ୧୭ % ହୋଇଥିବା ବେଳେ ଦିନ ୧୧ଟା ସୁଦ୍ଧା ଏହା
ସାମାନ୍ୟ ବୃଦ୍ଧି ପାଇ ୨୮% ଓ ଦିନ ଗୋଟାଏ ସୁଦ୍ଧା ମତଦାନ ହାର ୩୪%ରେ ପହଞ୍ଚଥିଲା । କିନ୍ତୁ ପ୍ରଚଣ୍ଡ ଖରା ସତ୍ତ୍ବେ ଭୋଟର ମାନେ ବିଭିନ୍ନ ମତଦାନ କେନ୍ଦ୍ରରେ ଧାଡିରେ ଠିଆ ହୋଇ ନିଜର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିଥିବାରୁ ଏହି ହାର ଅପରାହ୍ନ ୩ଟା ସୁଦ୍ଧା ୪୬ %ରେ ପହଞ୍ଚିଥିବା ବେଳେ ସନ୍ଧ୍ୟା ୫ଟା ସୁଦ୍ଧା ୬୮ % ରହିଥିଲା । ସେହିପରି ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ମଧ୍ୟ ସକାଳ ୯ଟା ସୁଦ୍ଧା ମତଦାନ ହାର ମାତ୍ର ୧୫ % ରହିଥିବା ବେଳେ ଜିଲାର ହାରାହାରି ମତଦାନ ହାର ୧୬% ରହିଥିଲା । ଦିନ ୧୧ଟା ସୁଦ୍ଧା ବୀରମହାରାଜପୁରରେ ଏହି ହାର ବୃଦ୍ଧି ପାଇ ୨୮.୩ % ରହିଥିବା ବେଳେ ଦିନ ଗୋଟାଏ ସୁଦ୍ଧା ୩୫ %ରେ ପହଞ୍ଚଥିଲା । ସେହିପରି ଅପରାହ୍ନ ୩ଟା ସୁଦ୍ଧା ମତଦାନ ହାର ୪୨% ରହିଥିବା ବେଳେ ସନ୍ଧ୍ୟା ୫ଟା ସୁଦ୍ଧା ୬୨% ରହିଥିଲା । ଏହି ସମୟ ମଧ୍ୟରେ ଜିଲାର ହାରାହାରି ମତଦାନ ହାର ୬୫% ରହିଥିଲା ୭ଟା ସୁଦ୍ଧା ଜିଲାର ହାରାହାରି ମତଦାନ ୭୧.୫% ରହିଥିବା ବେଳେ ଏ ଖବର ଲେଖା ହେବା ପର୍ଯ୍ୟନ୍ତ ଜିଲାର ଅନେକ ମତଦାନ କେନ୍ଦ୍ରରେ ମତଦାନ ଚାଲୁ ରହିଥିବା ଜିଲା ନିର୍ବାଚନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମତଦାନ ଆରମ୍ଭରୁ ଅନେକ ସ୍ଥାନରେ ଇଭିଏମ୍, ଭିଭିପାଟ ମେସିନରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେବାରୁ ବିଳମ୍ବରେ ମତଦାନ ଆରମ୍ଭ ହୋଇଥିବା ସୂଚନା ମିଳିଛି । ଅନ୍ୟ ପକ୍ଷରେ ସାଲେପାଲି, ବାଉଁଶୁଣୀ, ସେଲେଡି, ଜୁଲୁଣ୍ଡା, ସରଗଜ, ସିଲାଟିମୁଣ୍ଡା ଭଳି ଜିଲାର ଉଭୟ ନିର୍ବାଚନ ମଣ୍ଡଳୀର ପ୍ରାୟ ୪୦ରୁ ଊଦ୍ଧ୍ୱର୍ ମତଦାନ କେନ୍ଦ୍ରରେ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଚାଲିଥିବା ସୂଚନା ମିଳିଛି । କିନ୍ତୁ ଗୁରୁବାର ସନ୍ଧ୍ୟାରେ ଜିଲାର ବିଭିନ୍ନ ଅଞ୍ଚଳରେ କାଳ ବୈଶାଖିର ପ୍ରଭାବ ଦେଖା ଦେବାରୁ ଅନେକ ମତଦାନ କେନ୍ଦ୍ରରେ ବିଦ୍ୟୁତ ବିଭ୍ରାଟ ଫଳରେ ଭୋଟର ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଥିବା ସୂଚନା ମିଳିଛି । ତେବେ ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲା ନିର୍ବାଚନ ବିଭାଗ ପକ୍ଷରୁ ଭୋଟ ଗ୍ରହଣ ଚାଲିଥିବା ମତଦାନ କେନ୍ଦ୍ର ଗୁଡିକରେ ଯେପରି ଭୋଟ ଦେବାକୁ ଥିବା ଭୋଟର ମାନେ ନିର୍ଭୟରେ ନିଜର ମତଦାନ ସାବ୍ୟସ୍ତ କରି ପାରିବେ ସେଥିପାଇଁ କଡା ପୁଲିସ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଏପରିକି ସେହି ସବୁ ମତଦାନ କେନ୍ଦ୍ରରେ ନିୟୋଜିତ ଥିବା ପୁଲିଂ କର୍ମଚାରୀ ମାନଙ୍କ ସହ ଇଭିଏମ୍ ଓ ଭିଭିପାଟ୍ ମେସିନ ଗୁଡିକୁ ସୁରକ୍ଷିତ ଅବସ୍ଥାରେ ଫେରାଇ ଅଣାଯିବ ସେଥି ପାଇଁ ମଧ୍ୟ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଜିଲା ନିର୍ବାଚନ ଅଧିକାରୀ ତଥା ଜିଲାପାଳ ମଧୁସୂଦନ ମିଶ୍ର ସୂଚନା ଦେଇଛନ୍ତି ।

ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.