• କେବୁଲ ତାର ଚୋରୀ ଯୋଗୁଁ ଜଳ ଯୋଗାଣ ବନ୍ଦ
• ଚୋର ଧରିବାରେ ଅକ୍ଷମ ନର୍ଲା ପୋଲିସ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ଅଞ୍ଚଳରେ ଆରଡବ୍ଲୁଏସ୍ଏସ୍ ବିଭାଗ ପକ୍ଷରୁ ୩୪ ଗୋଟି ପାନୀୟ ଜଳ ପ୍ରକଳ୍ପ ନିର୍ମିତ ହୋଇଥିବା ବେଳେ, ୩୦ ଗୋଟି ଠିକ୍ ଚଲିଛି ଓ ୪ ଗୋଟି ପ୍ରକଳ୍ପ ବନ୍ଦ ହୋଇପଡିଛି । ସେଥି ମଧ୍ୟରୁ ନର୍ଲା ବ୍ଲକ୍ ର ବଡ ଗ୍ରାମ ପଞ୍ଚାୟତ ଭାବରେ ଜଣାଶୁଣା ଭାନ୍ପୁର ଗ୍ରାମ ପଞ୍ଚାୟତକୁ ଦୀର୍ଘ ୩ ମାସ ହେଲା ପାନୀୟ ଜଳ ଯୋଗାଣ ବନ୍ଦ୍ ହୋଇ ପଡିଛି । ଦେଢ଼ କୋଟି ଟଙ୍କା ବ୍ୟୟ ଅଟକଳରେ ୫୦,୦୦୦ ଲିଟର କ୍ଷମତା ସମ୍ପନ୍ନ ଓଭରହେଡ୍ ଟ୍ୟାଙ୍କ୍ ନିର୍ମାଣ ସମେତ ମାଟିତଳେ ପାଇପ ପକା ଯାଇଥିଲେ ମଧ୍ୟ ଭାନ୍ପୁର ଲୋକେ ପାନୀୟ ଜଳ ମୁନ୍ଦିକ ପାଇପାରୁ ନାହାନ୍ତି । ଏହାର ଏକମାତ୍ର କାରଣ ହେଉଛି ବିଦ୍ୟୁତ କେବୁଲ ତାର ଚୋରୀ ସମସ୍ୟା । ଭାନ୍ପୁର ଗ୍ରାମ ପଞ୍ଚାୟତର ବାଲିପଡା ସ୍ଥିତ ସହଭାଗୀ ବିକାଶ ଅଭିଯାନ ନିକଟରେ ପାନୀୟ ଜଳ ଯୋଗାଣ ନିମନ୍ତେ ଓଭରହେଡ୍ ପାଣି ଟାଙ୍କି ନିର୍ମାଣ କରାଯାଇ ନିକଟରେ ଗଭୀର ନଳକୂପ ଖୋଳାଯାଇ ଚାଲିଥିଲା ପାନୀୟ ଜଳ ଯୋଗାଣ । ଇନଟେକ କୂଅରୁ ୫୦୦ ମିଟର ଦୂରରେ ରହିଛି ବିଦ୍ୟୁତ ଖମ୍ବ । ସେଠାରୁ ଇନଟେକ କୂଅ ପର୍ଯ୍ୟନ୍ତ ଆସିଛି ବିଦ୍ୟୁତ କେବୁଲ ତାର । ହେଲେ ୨୦୦ ମିଟର ତାର କୁ କଂକ୍ରୀଟ ଘୋଡେଇ ହୋଇ ରହିଥିଛି ଓ ବାକି ଖୋଲାଥିବା ଖମ୍ବ ଯାଏଁ ୩୦୦ ମିଟର କେବୁଲ ତାର ଚୋରୀ ହୋଇଯାଇଥିବା ନର୍ଲା ଆରଡବ୍ଲୁଏସଏସ ର କନିଷ୍ଠ ଯନ୍ତ୍ରୀ ଶ୍ରୀ ସେଠୀ ସୂଚନା ଦେଇଛନ୍ତି । ଏନେଇ ଭାନପୁର ଗ୍ରାମ ପଞ୍ଚାୟତ ତରଫରୁ ନର୍ଲା ଥାନାରେ ଚୋରୀ କେସ ଦିଆଯାଇଛି ହେଲେ ଏଯାଏଁ ତାର ଚୋରକୁ ଧରିବାରେ ସକ୍ଷମ ହୋଇପାରିନି ନର୍ଲା ପୋଲିସ । ନଭେମ୍ବର ମାସରୁ ଭାନପୁର କୁ ବନ୍ଦ ହୋଇ ପଡ଼ିଛି ପାନୀୟ ଜଳ ଯୋଗାଣ ।ଗତ ନଭେମ୍ବର ରୁ ପାନୀୟ ଜଳ ମୁନ୍ଦିକ ପାଇଁ ଭାନ୍ପୁର ଓ ବାଲିପଡା ଗ୍ରାମବାସୀ ନାହିଁ ନଥିବା ଅସୁବିଧା ଭୋଗୁଥିବା ଜଣାପଡିଛି । ରାଜ୍ୟ ସରକାର ୨୦୨୫ ସୁଦ୍ଧା ରାଜ୍ୟର ସମସ୍ତ ଗାଁ କୁ ଘର ଘର ଜଲ ଯୋଜନାରେ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ଘୋଷଣା କରି ସାରିଥିବା ବେଳେ ବିଭିନ୍ନ କାରଣକୁ ନେଇ ନର୍ଲା ବ୍ଲକ ର ଅନେକ ଗା ପାନୀୟ ଜଳ ପାଇବାରୁ ବଞ୍ଚିତ ରହିବା ଫଳରେ ସରକାରଙ୍କ ଘର ଘର ଜଲ ଯୋଜନା ବାଟ ହୁଡ଼ିଥିବା ଆଲୋଚନା ହେଉଛି । କେବଳ ଭାନପୁର ବୋଲି ନୁହଁ ଭାନପୁର ଗ୍ରାମ ପଞ୍ଚାୟତ ର କମେଗାଁ ରେ ଜମି ବିବାଦକୁ ନେଇ ପାନୀୟ ଜଳ ଯୋଗାଣ ବନ୍ଦ ହୋଇପଡିଛି । ସେହିଭଳି ନର୍ଲା ବ୍ଲକ ର କର୍ମେଗାଁ ରେ ମଧ୍ୟ କେବୁଲ ତାର ଚୋରୀ ଯୋଗୁଁ ବନ୍ଦ ହୋଇ ଲଡିଛି ପାନୀୟ ଜଳ ଯୋଗାଣ। ସେହିଭଳି ମୋଟର ପୋଡି ଯାଇଥିବା ଯୋଗୁଁ ରାକସୀ ଗ୍ରାମ ପଞ୍ଚାୟତ ର ରାକସୀ ଗ୍ରାମରେ ଠପ ହୋଇ ପଡିଛି ପାନୀୟ ଜଳ ଯୋଗାଣ । ଆଗକୁ ଆସୁଛି ଖରା ଦିନ । ବିଦ୍ୟୁତ କାଟ ସମସ୍ୟା, ତାର ଚୋରୀ ସମସ୍ୟା ଓ ମୋଟର ପୋଡି ସାଙ୍ଗକୁ ନଦୀରେ ଜଳ ବିହୀନ ସମସ୍ୟା ନର୍ଲା ଅଞ୍ଚଳ ରେ ପାନୀୟ ଜଳ ଯୋଗାଣରେ ବ୍ୟାଘାତ ସୃଷ୍ଟି କରିବ । ନର୍ଲା ରେ ଚାଲିଥିବା ଅନେକ ଗୁଡିଏ ପାନୀୟ ଜଳ ଯୋଗାଣ ପ୍ରକଳ୍ପରୁ ବାରମ୍ବାର କେବୁଲ ତାର ଚୋରୀ, କୂଅ ଭିତରୁ ମୋଟର ଚୋରୀ ଭଳି ଅଭାବନୀୟ ଘଟଣାକୁ ସମୀକ୍ଷା କଲେ ନର୍ଲା ପୋଲିସ ର ନିସ୍କ୍ରୀୟତା ସ୍ପଷ୍ଟ ପ୍ରମାଣିତ ହୁଏ । ନର୍ଲା ଅଞ୍ଚଳରେ ପୋଲିସ ର ପେଟ୍ରୋଲିଂ ବିଲକୁଲ ବି ନହେବା ହେତୁ ଦିନକୁ ଦିନ କେବୁଲ ତାର ଚୋରୀ, ବାଇକ ଚୋରୀ ଭଳି ଘଟଣା ବଢ଼ିବାରେ ଲାଗିଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାଓ ଆଲୋଚନା ହେଉଛି । ଜନ ସାଧାରଣଙ୍କୁ ପାନୀୟ ଜଳ ଯୋଗାଇଦେବା ନିମନ୍ତେ ଏବେ କେବୁଲ ଚୋରୀ ହୋଇଥିବା ପାନୀୟ ଜଳ ପ୍ରକଳ୍ପ ଗୁଡିକରେ ଉକ୍ତ ଗ୍ରାମ ପଞ୍ଚାୟତ ତରଫରୁ ହଜାର ହଜାର ଟଙ୍କା ଖର୍ଚ୍ଚ କରି କେବୁଲ ତାର ସଂଯୋଗୀ କରଣ କରାଯିବ ଠିକ । ହେଲେ ଲାଭ କଣ ମିଳିବ । ପୋଲିସ ର ତତ୍ପରତା ନଥିବା ଯୋଗୁଁ ଚୋର ପୁଣି କେବୁଲ ତାର କାଟିନେବେ । ଅଞ୍ଚଳବାସୀ ଜନ ସାଧାରଣ ପୁଣି ପାନୀୟ ଜଳ ସଙ୍କଟ ଭୋଗୀବା ସ୍ଥିର ନିଶ୍ଚିତ । ରାଜ୍ୟ ସରକାର ସମସ୍ତ ଗ୍ରାମ କୁ ବିଜୁଳି ଓ ସମସ୍ତ ଗ୍ରାମ କୁ ପାନୀୟ ଜଳ ଯୋଗାଣର ପ୍ରୟାସ୍ କୁ ସ୍ଥାନୀୟ ଅଧିକାରୀଙ୍କ ଯୋଗୁଁ ଏହି ଯୋଜନା ସବୁ ପ୍ରହସନ ପାଲଟିଛି । ଯାହା ଫଳରେ ଭାନପୁର ଗ୍ରାମବାସୀ ପାନୀୟ ଜଳ କଷ୍ଟ ଭୋଗୁଛନ୍ତି ବୋଲି ଭାନପୁର ସରପଞ୍ଚ ଅନନ୍ତରାମ ମାଝୀ ମତବ୍ୟକ୍ତ କରିଥିବା ବେଳେ, ଭାନପୁର ବରିଷ୍ଠ ନାଗରିକ ମାନେ ଭାନପୁର ଭଳି ଏକ ଜନ ବହୁଳ ଅଞ୍ଚଳକୁ ପାନୀୟ ଜଳ ନମିଳିବା ଦୁର୍ଭାଗ୍ୟ ଜନକ ବିଷୟ ବୋଲି କହିଛନ୍ତି। ଥରେ ନୁହଁ କି ଦୁଇଥର ନୁହଁ ଏବକୁ ତିନି ତିନି ଥର ଭାନପୁର ପାନୀୟ ଜଳ ପ୍ରକଳ୍ପରୁ କେବୁଲ ତାର ଚୋରୀ ହୋଇଛି । ବାରମ୍ବାର କେସ ଦିଆଯାଇଛି ହେଲେ ଚୋର ଧରି ପାରୁନି ନର୍ଲା ପୋଲିସ । ବାରମ୍ବାର କେବୁଲ ତାର ଚୋରୀ ଯୋଗୁଁ ଆଜି ସବୁ କାମ କରାଯାଇ ମଧ୍ୟ ପାନୀୟ ଜଳ ଯୋଗାଣ ହୋଇପାରୁନି ଏହା ଦୁର୍ଭଗ୍ୟ ଜନକ ବୋଲି କହିଛନ୍ତି ଜନ ସାଧାରଣ । କାରଣ ଯାହା ବି ଥାଉନା କାହିଁକି ପାନୀୟ ଜଳ ମୁନ୍ଦିକ ପାଇଁ ଭାନ୍ପୁର ବାସୀ ଅନେକ କଷ୍ଟ ପାଉଛନ୍ତି । ଏଥିପାଇଁ ଦାୟୀ କିଏ? ପାନୀୟ ଜଳ ଯୋଗାଣ ପାଇଁ ଏତେ ବ୍ୟୟ ଅଟକଳ କାହା ସ୍ୱାର୍ଥରେ ବୋଲି ଜନସାଧାରଣ ପ୍ରଶ୍ନ କରୁଛନ୍ତି ।