ଡୋକରିଚଞ୍ଚରାରେ ଶ୍ରୀରାମନବମୀ ଓ ଐତିହାସିକ ଗୁଡହାଣ୍ଡି ମହୋତ୍ସବ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ପ୍ରକୃତି କୋଳରେ ନୈସର୍ଗିକ ଶୋଭାଶ୍ରୀ ବର୍ଦ୍ଧନ କରି ଶାନ୍ତ, କାନ୍ତ, କମନୀୟ ସମ୍ଭାର ତୋଳି ବସିଛି ଡୋକରିଚଞ୍ଚରା। ତା’ ତନୁରେ ଅପୂର୍ବ ଶିହରଣ। ଶୀତଳ ସ୍ନିଗ୍ଧ ଜଳ ସତେ ଯେମିତି ତା ସର୍ବାଙ୍ଗ ଛୁଇଁ ଅନବରତ ବହିଚାଲିଛି। ତା’ ମଥାନରେ ମୁକୁଟ ସାଜିଛି ଆଳମ୍ବ ଉଚାଗଂ ପର୍ବତ ଶିଖରରେ ସୂର୍ଯ୍ୟ କିରଣ ପାଦ ଦେଶରେ ପ୍ରତିବିମ୍ବତ ହୋଇ ଭୂମିରୁ ଭୂମା ଯାଏ ହେଇଛି ମନଲୋଭା। ଅନତି ଦୁରରେ ଝରଣା, ପାହାଡ, ମନ୍ଦିର, ଜୀବଜନ୍ତୁ, ବୃକ୍ଷଲତା, ଅମର ଲିପି, ଗୁମ୍ଫା, ଗୁଡହାଣ୍ଡି ଅନେକ କିର୍ତ୍ତୀ ରାଜିରେ ପୂର୍ଣ୍ଣ ଯୌବନା ହେଇଛି କରଡୋକରିଚଞ୍ଚରା। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଖଲିଗଡ଼ ସୀମାନ୍ତ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ପାଦଦେଶରେ ଥିବା ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀଚଞ୍ଚରାରେ ପ୍ରତିବର୍ଷ ଭଲି ଚଳିତବର୍ଷ ମଧ୍ୟ ୯ଦିନ ଧରି ଶ୍ରୀରାମ ନବମୀ ଓ ଐତିହାସିକ ଗୁଡହାଣ୍ଡି ମହୋତ୍ସବ ପାଳିତ ହେଉଛି। ୨୯ ତାରିଖରୁ ଏହି ମହୋତ୍ସବ ଆରମ୍ଭ ହୋଇଥିବାବେଳେ ପ୍ରତିଦିନ ହଜାର ହଜାର ଲୋକଙ୍କ ସମାଗମ ଦେଖିବାକୁ ମିଲୁଛି। ଏହି ମହୋତ୍ସବରରେ ଶ୍ରୀରାମ ନବମୀ ପୁଜା ସହିତ ବିଭିନ୍ନ କାର୍ଯ୍ୟକ୍ରମ ରାମଚରିତ ମାନସ ପଠନ, ଭୈରବ ପୂଜା, ଐତିହାସିକ ଲିପି ଦର୍ଶନ ଓ ଗୁଡହାଣ୍ଡି ପୂଜା, ଶ୍ରୀ ଜଗଦାନନ୍ଦ ମହାରାଜାଜୀଙ୍କ ଆଧ୍ୟାତ୍ମିକ ପ୍ରବଚନ, ଶ୍ରୀ ମନ୍ମଥନାଥ ପଣ୍ଡା ମହାରାଜାଙ୍କ ପ୍ରବଚନ ଆଦି କାର୍ଯ୍ୟକ୍ରମ ହୋଇଥିବାବେଳେ ଆଜି ଠାରୁ ଷୋହଳ ପ୍ରହର ନାମଯଜ୍ଞ ଆରମ୍ଭ ହୋଇ ୬ ତାରିଖରେ ମହୋତ୍ସବର ଅନ୍ତିମ ଦିବସ ରହିଛି । ତେବେ ଏହି ମହୋତ୍ସବରେ ପ୍ରତି ଦିନ ହଜାର ହଜାର ଲୋକଙ୍କ ସମାଗମ ହେଉଥିବାବେଳେ ଏଠାରେ ଥିବା ଦୁଇ ଜଳପ୍ରପାତ ଡୋକରିଦର ଓ ଭୈରବଧାର ସହିତ ଅନ୍ୟାନ ଦର୍ଶନୀୟ ସ୍ଥାନ ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରୁଛି।

ଏହି ମହୋତ୍ସବ ଭିତରେ ରହିଛି ଅନେକ ଦର୍ଶନୀୟ ସ୍ଥାନ, ଏହି ସବୁ ଦୃଶ୍ୟ ଦେଖିବାକୁ ଚାଲି ଅସିଥାନ୍ତି ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ପର୍ଯ୍ୟଟକ ଓ ଶ୍ରଧାଲୁ ଭକ୍ତ। ଶ୍ରୀରାମ ମନ୍ଦିର ନିକଟରୁ ଦକ୍ଷିଣ-ପଶ୍ଚିମ ଦିଗରେ ପ୍ରାୟ ୨କିମି. ପାଖାପାଖି ଗଲାପରେ ଭୈରବଧାର ଝରଣା ପଡେ । ଏହି ଝରଣାର ଭୟଙ୍କର ଦୃଶ୍ୟ ପ୍ରାୟ ୨ଶହ ପୁଟ୍ ଉର୍ଦ୍ଧ ରୁ ପାଣି ଝରିଥାଏ। ପାଣିର ଛୋଟଛୋଟ ବିନ୍ଦୁରେ ଇନ୍ଦ୍ରଧନୁ ଦୃଶ୍ୟ ମାନ ସବୁ ସୃଷ୍ଟିହୋଇ ଥାଏ । ଏମିତି କି ଗ୍ରୀଷ୍ମର ପ୍ରଚଣ୍ଡ ତାପରେ ମଧ୍ୟ ଏଠାରେ ଦେହ ଶୀତେଇ ଯାଇଥାଏ । ଏହି ସ୍ଥାନରେ ଶହଶ୍ର ଲୋକେ ଦୂରଦୂରାନ୍ତରୁ ଆସି ଗାଧୋଇବାର ବେଶ୍ ମଜା ନେଇଥାନ୍ତି। ଶହଶ୍ର ମଧୁମଖି ଙ୍କ ଫେଣ ସାଙ୍ଗ କୁ ଜଙ୍ଗଳୀ ପକ୍ଷୀର କିଚିରୀ ମିଚିରୀ ମନମିତାଣିଆ ସ୍ବର ଦର୍ଶକଙ୍କ ମନରେ ଭରପୁର ଆନନ୍ଦ ଭରିଦେଇଥାଏ । ଏମିତି କି ଝରଣାରୁ ଝରୁଥିବା ପାଣିର ଛେଟ ଛେଟ ବିନ୍ଦୁରେ ଇନ୍ଦ୍ରଧନୁ ସୃଷ୍ଟି ହେଇଥିବାବେଳେ ସେଲଫି ନେବାରେ ଯୁବପିଢୀ ବିଭୋର ହୋଇଥାନ୍ତି। ଏଣଜ ଭୈରବଧାର ଝରଣା ପାଖକୁ ଗଲାପରେ ଫେରିଆସିବା ପାଇଁ ମନମାନି ନଥାଏ, ଯେତେଦେଖୁଥିଲେ ମଧ୍ୟ ଆହୁରି ଦେଖିବାକୁ ମନ ଲାଗିଯାଇଥାଏ । ସେହିପରି ଡୋକରୀଚଞ୍ଚରା ଶିଳା ଅଞ୍ଚଳରେ ରହିଛି ପୁଣ୍ୟକୁଣ୍ଡ ଝରଣା । ବିଶ୍ୱାସ ରହିଛି ଏଠାରେ ବୁଢ ପକାଇଲେ ଧଳାଫେଣ ବାହାରେ ତାକୁ ପୁଣ୍ୟବାନ ଲୋକ ଏବଂ ଯିଏ ବୁଢପକାଇଳେ ଫେଣ ବାହାରେ ନାହିଁ ତାକୁ ପାପି ବୋଳି ଧରିନିଆଯାଏ । ଏହାର ଉପରେ ଯେଉ ସଦୃଶ୍ୟ ପର୍ବତ ଶ୍ରେଣୀ ରହିଛି ସେଥିରେ ପବିତ୍ର ଋଷିଗୁମ୍ଫା ବିଦ୍ୟମାନ । କେଉଁ ସ୍ମରଣାଦିତ କାଳରୁ ଏହି ଗିରୀ ଗୁହାଲେ ତପସ୍ୱୀମାନେ ତପସ୍ୱା କରୁଥିବା ଜଣାଯାଏ । ଡୋକରୀ ଚଞ୍ଚରା ପରିସର ମଧ୍ୟରେ ଶୀରାମ ମନ୍ଦିର ଅବସ୍ଥିତ। ତ୍ରେତୟା ଯୁଗରୁ ସୀତା ଚୋରୀ ପରେ ପ୍ରଭୂ ଶ୍ରୀରାମ ବନଗିରୀ ମଧ୍ୟରେ ରହୁଥିବା ସମୟରେ ଡୋକରୀ ଚଞ୍ଚରା ଅତିକ୍ରମ କରି ପ୍ରମାଣ ପୂର୍ବକ ପଦଚିହ୍ନ ଛାଡିଯାଇଥିବା ଅନେକ କୁହନ୍ତି । ପ୍ରଭୂ ଶ୍ରୀରାମ ଏହିସ୍ଥାନର ପ୍ରଧାନ ଠାକୁର । ଏଠାରେ ପ୍ରଭୂ ଶ୍ରୀରାମଙ୍କ ସହ ଜାନକୀ, ଅନୁଜ ଳକ୍ଷ୍ମଣ ଓ ପବନ ପୂତ୍ର ହନୁମାନ ପୂଜା ପାଆନ୍ତି । ମର୍ଯ୍ୟଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଜନ୍ମ ଦିବସକୁ ନବଦିନ ଧରି ନବମୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ମହାଆଡମ୍ବରେ ରାମ ନବମୀ ପାଳନ କରାଯାଏ । ତେବେ ବସନ୍ତର ମଳୟ ହିଲ୍ଲୋନରେ ବନଭୂମି ମୂଖରିତ ହୋଇଥାଏ । ଡୋକରୀଚଞ୍ଚରା ଏକ ପଥର ଶଯ୍ୟା । ପଥର ଶଯ୍ୟା ଉପରେ ଏକ ଡୋକରିଦର ପ୍ରାୟ-୨ ଶହ ଫୁଟର ଜଳପ୍ରପାତ ରହିଛି । କଥା ଅଛି ଏହି ବେଳେରେ ଏବେ ଗଭୀର ପାଣି ଅଛି ମାପି ହେବ ନାହିଁ । ଏଠାରେ ବଡବଡ ମାଛ ଥିବାର ଅନେକ କହିଛନ୍ତି । କଳାପୂର୍ଣ୍ଣ ରୁପେ ପରିଚିତ କଳାହାଣିର ଗୈାରବ ଗୁଡହାଣ୍ଡି ଅଟେ । ଗୁଡହାଣ୍ଡି ଅର୍ଥାତ ଗୁଡ ଓ ହାଣ୍ଡି। କେଉଁ ଆଦିମ କାଳରୁ ମଣିଷ ସଭ୍ୟତା ବସତି ସ୍ଥାପନ କରିଥିବାର ଏଠାରୁ ଅନୁମାନ କରାଯାଏ। ତିନିପଟେ ପହାଡ ହାଣ୍ଡି ଆକୃତି ମନେହୁଏ ଓ ଭେଲା ଭେଲା ପଥର ମୁଣ୍ଡା ସତେ ଯେମିତି ଗୁଡ। ତେଣୁ ଏହାକୁ ଅନୁମାନ କରୀ ଗୁଡହାଣ୍ଡି କୁହାଯାଇଥିବା ଜନ ସ୍ମୃତିରୁ ଜଣାପଡେ। ଏହା ସହିତ ଗୁଡହାଣ୍ଡି ପର୍ବତର ପଥର ଦେହରେ ଲିଖିତ ହଜାର ହଜାର ବର୍ଷତଲର ଶିଳାଲିପି, ଚିତ୍ର ରହିଛି । କୁହାଯାଏ ଗୁଡହାଣ୍ଡିର ନାମନୁସାରେ କଳାହାଣ୍ଡିର ନାମ କରଣ ହୋଇଛି। ରାଜ୍ୟ ସରକାର ୨୦୦୭ ମସିହାରେ ଗୁଡହାଣ୍ଡି ଡୋକରିଚଞ୍ଚରାକୁ ପର୍ଯ୍ୟଟନସ୍ଥଳିର ମାନ୍ୟତା ପ୍ରଦାନ କରିଛନ୍ତି। ଏବଂ ବିକାଶ ଦିଗରେ ଏକ କୋଟି ଟଙ୍କା ଅନୁଦାନ ଦେଇଥିବା ବେଳେ ବର୍ତ୍ତମାନ ଏହାର ବିକାଶ ଅନେକ ଆଗକୁ ବଢ଼ିଛି। ତଥାପି ଅନେକ ବିକାଶ ମୂଳକ କାର୍ଯ୍ୟ ବାକି ରହିଥିଲେ ମଧ୍ୟ ଦର୍ଶକଙ୍କ ମନକୁ ଛୁଇଁ ପାରିଛି। ଏଠାରେ ଶ୍ରୀରାମ ନବମୀ ଓ ଗୁଡହାଣ୍ଡି ମହୋତ୍ସବ ଲାଗିରହିଥିବାରୁ ଏବେ ହଜାର ହଜାର ଲୋକଙ୍କ ସମାଗମ ଦେଖିବାକୁ ମିଲୁଥିବା ବେଳେ ମଙ୍ଗଳବାର ରୁ ଶୋହଲ ପ୍ରହର ନାମଯଜ୍ଞ ଥିବାରୁ ପ୍ରବଳ ଲୋକଙ୍କ ସମାଗମ ଦେଖିବାକୁ ମିଳୁଛି। ତେବେ ଗୁରବାର ଦିନ ପର୍ଯ୍ୟନ୍ତ ମହୋତ୍ସବ ଲାଗି ରହିବା ନେଇ ସୂଚନା ରହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.