ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଗଣ୍ଡାମେର ଗ୍ରାମପଞ୍ଚାୟତରୁ ବାବେଗୁଡା ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଥିବାରୁ ଏହି ରାସ୍ତାକୁ ମରାମତି କରିବା ଦାବୀରେ ଗ୍ରାମବାସୀ ଆଜି ଜିଲ୍ଲା ଯୁବ କଂଗ୍ରେସ ସଭାପତି ସାଉଲ ମଙ୍ଗରାଜଙ୍କ ନେତୃତ୍ୱରେ ଲିମସେର ନିକଟରେ ବିଜୁ ଏକ୍ସପ୍ରେସ ୱେକୁ ଅବରୋଧ କରିଥିଲେ । ଆନ୍ଦୋଳନକାରୀଙ୍କ ଅଭିଯୋଗରେ ଗଣ୍ଡାମେରରୁ ବାବେଗୁଡା ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି । ଖରାଦିନେ ଏହି କଚ୍ଚା ରାସ୍ତାରେ ଆସିବା ସମ୍ଭବ ଥିବା ବେଳେ ଅଳ୍ପ ବର୍ଷା ହେଲେ ଅବସ୍ଥା ଅସମ୍ଭାଳ ହୋଇ ପଡେ । ଚାରିଚକିଆ ତ ଦୂରର କଥା ଦୁଇ ଚକିଆ ମଧ୍ୟ ଯିବା ଆସିବା କରିବା ବନ୍ଦ ହୋଇ ଯାଏ । ଏଣୁ ଏହି ରାସ୍ତାର ମରାମତି କରିବାକୁ ବାରମ୍ବାର ଗ୍ରାମବାସୀ ଦାବୀ କରି ଆସୁଥିଲେ ସୁଦ୍ଧା କୌଣସି ସୁଫଳ ନମିଳିବାରୁ ଆଜି ରାସ୍ତା ଅବୋରଧ କରି ବାସିଥିଲେ । ଏଥିରେ ଏହି ଗ୍ରାମର ଶତାଧିକ ମହିଳା ଓ ପୁରୁଷ ମଧ୍ୟ ସାମିଲ ଥିଲେ । ଦୀର୍ଘ ସମୟ ପରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ବିଡ଼ିଓ ଶ୍ରୀଧର ପଣ୍ଡା, ତହସିଲଦାର ଅଶୋକ ପଟ୍ଟନାୟକ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ସହିତ ଦୁଇ ମାସ ମଧ୍ୟରେ ଏହି ରାସ୍ତା ମରାମତି ହେବ ବୋଲି ଲିଖିତ ପ୍ରତିଶୃତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା । ଅପରପକ୍ଷରେ ଏହି ରାସ୍ତାଟିକୁ ଗ୍ରାମ ଉନ୍ନୟନ ବିଭାଗକୁ ହସ୍ତାନ୍ତର ହୋଇ ଥିବାବେଳେ ଆଗାମୀ ଦିନ ମଧ୍ୟରେ ଏହା ପିଚୁ ରାସ୍ତା ହେବ ବୋଲି ଜଣାପଡିଛି ।