ଆରମ୍ଭ ହେଲା ପତ୍ରାପଡ଼ାରେ ମାଁ ଠାକୁରାଣୀ ଘଣ୍ଟ ପର୍ବ 

୭ଦିନ ଧରି ଚାଲିବ ଯାତ୍ରା, ଆକର୍ଷଣ ବଢ଼ାଉଛି ମିନାବଜାର ଓ ସାଂସ୍କୃତିକ କାର୍ଯ୍ୟକ୍ରମ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ଛତ୍ରପୁର ପଞ୍ଚାୟତ ପତ୍ରାପଡ଼ାଠାରେ ପ୍ରତ୍ୟକ୍ଷ ଦେବୀ ମାଁ ଠାକୁରାଣୀଙ୍କ ଘଣ୍ଟ ପର୍ବ ମହାସମାରୋହରେ ଶୁଭାରମ୍ଭ ହୋଇଛି । ଦୀର୍ଘ ସାତବର୍ଷର ବ୍ୟବଧାନ ପରେ ହେଉଥିବା ଏହି ପର୍ବକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ବେଶ୍ ଉତ୍ସୁକତା ଦେଖାଦେଇଛି ।  ଆଜି ସକାଳୁ ଗ୍ରାମବାସୀ ବାଜାଗୋଜା ସହିତ ପୂଜକ ବରଣ କରିବା ପରେ ପରେ ଘଣ୍ଟ ପର୍ବର ଶୁଭାରମ୍ଭ ହୋଇଛି । ବୁଢ଼ାରାଜା ଗ୍ରାମ୍ୟ କମିଟି, ବାବାସାହେବ ୟୁଥ୍ କ୍ଲବ ଓ ପତ୍ରାପଡ଼ା ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ହେଉଥିବା ଏଇ ପର୍ବର ଉଦଘାଟନୀ ଉତ୍ସବରେ ଛତ୍ରପୁର ସରପଞ୍ଚ ସୁଷମା ମାଝୀ, ସମିତିସଭ୍ୟ ସନ୍ୟାସୀ ମାଝୀ, ପୂର୍ବତନ ସରପଞ୍ଚ ରାଜୀବ ମାଝୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।

ବୁଢ଼ାରାଜା ଗ୍ରାମ୍ୟ କମିଟିର ସଭାପତି ଶରତ ନାଏକ, ଘଣ୍ଟପର୍ବ ଆୟୋଜକ କମିଟିର ମୁଖ୍ୟ ମହେନ୍ଦ୍ର କରୁଆଁ, କମିଟି ସଦସ୍ୟ ସୁବାସ ହିଆଁଲ, ମହାନ୍ତି କରୁଆଁ, ନୀଳକଣ୍ଠ ସୁନା, ପ୍ରଭାକର ନିଆଲ, ଶିବରାମ ହରପାଲଙ୍କ ସମେତ ଗ୍ରାମ୍ୟ କମିଟି, ବାବାସାହେବ ୟୁଥ କ୍ଲବର ସମସ୍ତ ସଦସ୍ୟ ଏବଂ ଗ୍ରାମବାସୀ ଆୟୋଜନରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି । ଏକ ପର୍ବକୁ ସରସ ସୁନ୍ଦର କରିବାକୁ କମିଟି ତରଫରୁ ନିଷ୍ପତ୍ତି ନିଆଯାଇଛି । ଏହା ସାତଦିନ ଧରି ପାଳିତ ହେଉଥିବା ଏହି ପର୍ବର ପ୍ରତ୍ୟେକ ସନ୍ଧ୍ୟାରେ ରଙ୍ଗାରଙ୍ଗ ସାଂସ୍କ୍ରୁତିକ କାର୍ଯ୍ୟକ୍ରମ ଓ ମୀନାବଜାର ଏହାର ମୁଖ୍ୟ ଆକର୍ଷଣ ବୋଲି ଆୟୋଜକ କମିଟି ସୂତ୍ରରୁ ସୂଚନା ମିଳିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.