ବିଶ୍ବନାଥପୁରଠାରେ ମିଶନ ସୂର୍ଯ୍ୟୋଦୟର ସଫଳତା ସମାରୋହ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ମନରେଗା ଯୋଜନାକୁ ଆହୁରି କ୍ରିୟାଶୀଳ କରିବାକୁ ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ନିଜସ୍ବ କାର୍ଯ୍ୟକ୍ରମ ମିଶନ ସୂର୍ଯ୍ୟୋଦୟ ଆରମ୍ଭ କରାଯାଇଥିବାବେଳେ ଗତ ବର୍ଷକ ମଧ୍ୟରେ ଏହି ଯୋଜନା ମନରେଗା ଶ୍ରମିକ ଓ ଜନସାଧାରଣଙ୍କ ପାଇଁ ଉପକାରୀ ସାବ୍ୟସ୍ତ ହୋଇଛି । ଏଇ ଯୋଜନାର ସଫଳତାକୁ ନେଇ ବ୍ଲକ ମୁଖ୍ୟାଳୟ ବିଶ୍ବନାଥପୁରସ୍ଥିତ ବ୍ଲକ ସମ୍ମିଳନୀ କକ୍ଷରେ ଏକ ସ୍ବତନ୍ତ୍ର ସମାରୋହ ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ସଚିନ ପାୱାର ଯୋଗ ଦେଇଥିବାବେଳେ ପିଏ ଆଇଟିଡିଏ ଟୁକୁ ମେହେର ଯୋଗ ଦେଇଥିଲେ । ଲାଞ୍ଜିଗଡ଼ ବିଡିଓ ଜିତେନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାରୋହରେ ମନରେଗା ଅତିରିକ୍ତ ପ୍ରକଳ୍ପ ଅଧିକାରୀ ସଞ୍ଜିତ ପରିଡ଼ା, ସହକାରୀ ଯନ୍ତ୍ରୀ ସାଲଖୁ ହେମ୍ବ୍ରମ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏଇ ଅବସରରେ ବ୍ଲକର ୨୬ଟି ପଞ୍ଚାୟତ ଅଞ୍ଚଳରୁ ଗ୍ରାମରୋଜଗାର ସେବକ ଏବଂ ବହୁସଂଖ୍ୟାରେ ଗାଁସାଥୀ ମାନେ ଯୋଗ ଦେଇଥିଲେ । ମନରେଗା ଯୋଜନାରେ ଶ୍ରମିକମାନଙ୍କୁ କାମ ଯୋଗାଇଦେବା ଓ ରେକର୍ଡ ସଂଖ୍ୟକ ଶ୍ରମଦିବସ ସୃଷ୍ଟି କରିବାରେ ମିଶନ ସୂର୍ଯ୍ୟୋଦୟ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବାରୁ ଏହାକୁ ଶ୍ରମିକ ଓ ଜନସାଧାରଣ ପ୍ରଶଂସା କରୁଥିବାବେଳେ କାମ କରି ଲୋକେ ମାସମାସ ଧରି ପାଉଣା ପାଇପାରୁନଥିବାରୁ ଏହାକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.