ଫିଲ୍ମ ‘ଦ କେରଳ ଷ୍ଟୋରୀ’ ରିଲିଜ୍‌କୁ ନେଇ ତାମିଲନାଡୁରେ ହାଇ ଆଲର୍ଟ

ଓଡ଼ିଆ ବାର୍ତ୍ତା/ ଚେନ୍ନାଇ: ଫିଲ୍ମ ‘ଦ କେରଳ ଷ୍ଟୋରୀ’କୁ ନେଇ ବିବାଦ ଲାଗି ରହିଥିବା ବେଳେ ତାମିଲନାଡୁରେ ହିଂସା ସୃଷ୍ଟି ହେବାର ଆଶଙ୍କା ଦେଖା ଦେଲାଣି। ଏନେଇ ଗୁପ୍ତ ସୂଚନା ଦେଲାଣି ଗୁଇନ୍ଦା ବିଭାଗ। ଫିଲ୍ମ ମୁକ୍ତିଲାଭ କଲେ ରାଜ୍ୟରେ ଆନ୍ଦୋଳନ ତୀବ୍ର ହେବ ବୋଲି ତାମିଲନାଡୁକୁ ଆଲର୍ଟ କରିଛି ଗୁଇନ୍ଦା ବିଭାଗ। ମେ ୫ ତାରିଖରେ ‘ଦି କେରଳ ଷ୍ଟୋରୀ’ ଫିଲ୍ମ ରିଲିଜ୍ ହେବ। କେରଳରେ କିଭଳି ହିନ୍ଦୁ ଯୁବତୀମାନଙ୍କର ଧର୍ମ ପରିବର୍ତ୍ତନ କରାଯାଇ ସେମାନଙ୍କୁ ଆତଙ୍କବାଦୀ ସଂଗଠନ ଆଇଏସ୍ଆଇଏସ୍‌ଆଇରେ ଭର୍ତ୍ତି କରିବା ପାଇଁ ସିରିଆ ଓ ଆଫଗାନିସ୍ତାନକୁ ପଠାଯାଉଛି ସେ ନେଇ ଫିଲ୍ମର କାହାଣୀ ଆଧାରିତ। ଏଥିରେ ୩୨ ହଜାର ହିନ୍ଦୁ ଯୁବତୀଙ୍କ ଧର୍ମ ପରିବର୍ତ୍ତନ କରି ଇସ୍‌ଲାମିକ୍‌ ଷ୍ଟେଟ୍‌ରେ ଭର୍ତ୍ତି କରାଯାଇଛି ବୋଲି କୁହାଯାଇଛି। ତେବେ ଫିଲ୍ମ ରିଲିଜ୍ ହେବା ପୂର୍ବରୁ ଏହାକୁ ନେଇ ଆନ୍ଦୋଳନ ତେଜିବାରେ ଲାଗିଛି। କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ଫିଲ୍ମ କଡ଼ା ନିନ୍ଦା କରିବା ସହ ହିଂସା ସୃଷ୍ଟି କରିବାକୁ ଏପରି କରାଯାଇଛି ବୋଲି ସେ କହିଛନ୍ତି। ଅନ୍ୟପଟେ ବିଜେପି ଫିଲ୍ମ ସମର୍ଥନରେ ବାହାରିଛି। କେରଳ ମୁଖ୍ୟମନ୍ତ୍ରୀଙ୍କର ସବୁବେଳେ ଦୁମୁହାଁ ନୀତି ରହିଛି। କିଛି ନିର୍ଦ୍ଦିଷ୍ଟ କ୍ଷେତ୍ରରରେ ତାଙ୍କର ବାକ୍‌ ସ୍ୱାଧୀନତା ନୀତିକୁ ବିଜେପି  ସମାଲୋଚନା କରିଛି। ସୁଦୀପ୍ତ ସେନ ‘ଦି କେରଳ ଷ୍ଟୋରୀ’କୁ ନିର୍ଦ୍ଦେଶନା ଦେଇଥିବା ବେଳେ ବିପୁଲ ଅମୃତଲାଲ ଶାହ ଏହାର ପ୍ରଯୋଜନା କରିଛନ୍ତି। ଅଦାହ ଶର୍ମା, ୟୋଗିତା ବିହାନୀ, ସିଦ୍ଧି ଇଦନାନୀ ଓ ସୋନିଆ ବଲାନୀ ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।କେରଳର ଶାସକ ଦଳ ସିପିଆଇଏମ୍ ଓ କଂଗ୍ରେସର କହିବା କଥା ହେଲା ଫିଲ୍ମରେ ଦାବି କରାଯାଇଥିବା ତଥ୍ୟରେ କୌଣସି ସତ୍ୟତା ନାହିଁ। ଫିଲ୍ମ ବିବାଦରେ ରହିଲେ ବି କେନ୍ଦ୍ରୀୟ ଫିଲ୍ମ ପ୍ରମାଣନ ବୋର୍ଡ(CBFC) ପକ୍ଷରୁ ଏହାକୁ ‘ଏ’ ବର୍ଗରେ ସାର୍ଟିଫିକେଟ୍ ମିଳିଛି। ଅନ୍ୟପଟେ ସେନ୍ସର ବୋର୍ଡର ଫିଲ୍ମର ୧୦ ସିନ୍‌ କୁ କାଟି ଦେଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.