ଦେଶ ସ୍ୱାଧୀନତା ପାଇବାର ୭୫ ବର୍ଷ ପୂରଣ ହୋଇଥିବା ବେଳେ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ଗଠନ ହେବାର ୮୭ ବର୍ଷ ପୂରଣ ହୋଇସାରିଛି । କିନ୍ତୁ ଆଜି ବି ଦେଶ ଓ ରାଜ୍ୟରେ ଅନ୍ନଦାତା କହାଯାଉଥିବା ଚାଷୀ ଅବହେଳିତ ଅବସ୍ଥାରେ ରହିଛନ୍ତି । କୃଷିକୁ ବୃତ୍ତି କରି ଚଳିବା ଆଉ ସମ୍ଭବ ହେଉନଥିବାରୁ ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲି ଯାଉଛନ୍ତି । ରାଜ୍ୟ ଓ କେନ୍ଦ୍ର ସରକାର କୃଷକମାନଙ୍କ ପାଇଁ ଯୋଜନା ପରେ ଯୋଜନା ପ୍ରଣୟନ କରୁଛନ୍ତି ସତ କିନ୍ତୁ ତଳ ସ୍ତରରେ ତାହା କେତେ କାର୍ଯ୍ୟକାରୀ ହେଉଛି ଏବଂ କେତେ ଚାଷୀ ଉପକୃତ ହେଉଛନ୍ତି, ସେନେଇ ସରକାରଙ୍କ ନଜର ପଡୁନାହିଁ । ରାଜ୍ୟର ସିଂହଭାଗ ଜମିକୁ ଜଳସେଚନର ସୁବିଧା ନାହିଁ । ଚାଷ ଆରମ୍ଭରୁ ବିହନ ଓ ସାରର ଅଭାବ, ଚାଷ କରିବା ସମୟରେ ଶ୍ରମିକ ଅଭାବ, ଫସଲ ହେବାପରେ ରୋଗପୋକ ଦମନ, ଅସନ୍ତୁଳିତ ପାଣିପାଗ, ଶେଷରେ ଧାନ ଅମଳ ପରେ ବିକ୍ରି ସମୟରେ ଅବ୍ୟବସ୍ଥା ଆଦିରେ ପେଶି ହୋଇଯାଉଛି ଚାଷୀ । ବର୍ତ୍ତମାନ କୃଷିଶ୍ରମିକ ଦର ଆକାଶଛୁଆଁ ହୋଇପଡ଼ିଛି । ଅନେକ ଲୋକ ଦାଦନମୁହାଁ ହୋଇଥିବାରୁ କୃଷିଶ୍ରମିକ ଅଭାବ ଦେଖାଦେଇଛି । ଏପଟେ କୃଷିକ୍ଷେତ୍ରରେ ହେଉଥିବା ବ୍ୟୟକୁ ଦେଖିଲେ ଫସଲର ଉଚିତ ମୂଲ୍ୟ ପାଇ ପାରୁନାହିଁ ଚାଷୀ । ଡିଜେଲ ଦରରେ ଆଶାତୀତ ବୃଦ୍ଧି ଯୋଗୁଁ ଟ୍ରାକ୍ଟର, ହାର୍ଭେଷ୍ଟର ଆଦିର ଘଣ୍ଟା ପ୍ରତି ଦର ମନଇଚ୍ଛା ବଢ଼ିଚାଲିଛି । ଗୋଚର ଜମି ଅଭାବ ଯୋଗୁଁ ପୂର୍ବପରି ଆଉ ବଳଦ ରଖି ଚାଷ କରୁନାହିଁ ଚାଷୀ । ଜୈବିକ ଖତ ବ୍ୟବହାର ହେଉନଥିବା ବେଳେ ରାସାୟନିକ ସାରର ପ୍ରବଳ ବ୍ୟବହାର ଯୋଗୁଁ ଜମି ସବୁ ବନ୍ଧ୍ୟା ହେବାକୁ ବସିଲାଣି । ପ୍ରତିବର୍ଷ ଠିକ୍ ସମୟରେ ସାର ବିଶେଷକରି ୟୁରିଆର ଅଭାବ ଯୋଗୁଁ ଚାଷୀର ଚାଷ ବିଶେଷ ଭାବେ ପ୍ରଭାବିତ ହୋଇଥାଏ । ତେବେ ଏଥିପ୍ରତି ନା କେନ୍ଦ୍ର ସରକାର ନା ରାଜ୍ୟ ସରକାର, କେହି ଧ୍ୟାନ ଦେଉନାହାନ୍ତି । କୃଷି ଓ କୃଷକର କିଭଳି ଉନ୍ନତି ହୋଇପାରିବ, ସେଥିପ୍ରତି ଧ୍ୟାନ ଦେବା ଅପେକ୍ଷା ଭୋଟ ପଲିସି ପାଇଁ କାଳିଆ, ବଳିଆ ଆଦି ଯୋଜନା କରାଯାଇ ଚାଷୀଙ୍କୁ ଭୁଆଁ ବୁଲାଉଥିବା ବିରୋଧୀ ଅଭିଯୋଗ କରୁଛନ୍ତି । ଉଦ୍ୟାନ କୃଷି ବିଭାଗ ଅନେକ କ୍ଷେତ୍ରରେ କାଗଜ କଲମରେ ଚାଷ କରୁଥିବା ଦେଖାଯାଉଛି । ଏହି ବିଭାଗ ତୃଣମୂଳ ସ୍ତରରେ ସଠିକ ଢ଼ଙ୍ଗରେ ପହଞ୍ଚି ପାରୁନାହିଁ । ମିଶ୍ରିତ କୃଷି ମଧ୍ୟ ଦିଗହରା ହୋଇଯାଇଛି । କୃଷି ବିଭାଗର ଅନେକ ଅସାଧୁ ଅଫିସର ଓ କର୍ମଚାରୀମାନେ ଚାଷୀମାନଙ୍କ ପାଇଁ ଆସୁଥିବା ଯୋଜନା ଓ ଅର୍ଥକୁ ଆତ୍ମସାତ କରୁଥିବା ଅଭିଯୋଗ ଉପରେ ଅଭିଯୋଗ ହେଉଛି । କିନ୍ତୁ ବିଭାଗ ଏସବୁ ଜାଣି ଅଜଣା ହୋଇ ବସିରହିଛି । ଚାଷୀମାନଙ୍କ ସରଳତାର ସୂଯୋଗ ନେଇ ଅନେକ କୃଷି କର୍ମଚାରୀ ଦୁର୍ନୀତିର ପାହାଡ଼ ଉପରେ ଛିଡ଼ା ହୋଇଛନ୍ତି । କିନ୍ତୁ ସେମାନଙ୍କ ଉପରେ କିପରି କାହାର ନଜର ପଡୁନାହିଁ, ତାହାକୁ ନେଇ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ନାମମାତ୍ର ଚାଷୀ ଓ ଭାଗଚାଷୀଙ୍କ ସମସ୍ୟା ପ୍ରତି ଯଥେଷ୍ଟ ଗୁରୁତ୍ବ ଦିଆଯାଉ ନାହିଁ । ଉତ୍ପାଦନ ବଢ଼ାଇବା ଲକ୍ଷ୍ୟ ନେଇ ସରକାରୀ ଓ ବେସରକାରୀ ସ୍ତରରେ କୃଷକ ତାଲିମ ଶିବିର ସବୁ ଆୟୋଜିତ ହେଉଛି । ଏଥିପାଇଁ ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । କିନ୍ତୁ ଗ୍ରାମାଞ୍ଚଳରେ ହଜାର ହଜାର ଚାଷୀ ଏଥିରୁ ବଞ୍ଚିତ ହେଉଛନ୍ତି । କୃଷି ତାଲିମ, କ୍ଷେତ୍ର ପରିଦର୍ଶନ ଆଦି ବିଭିନ୍ନ ଯୋଜନା ପାଇଁ ଆସୁଥିବା ଟଙ୍କା ଅନେକ ସମୟରେ କୃଷି ଅଧିକାରୀମାନେ ହଡ଼ପ କରୁଥିବା ଅଭିଯୋଗ ହୋଇଆସୁଛି । ତେବେ ଏସବୁ ବିଷୟରେ ଅଜ୍ଞ ଥିବାରୁ କିମ୍ବା ସ୍ୱାଭିମାନ ଦୃଷ୍ଟିରୁ ଅନେକ କୃଷକ ଏସବୁ କଥାରେ ମୁଣ୍ଡ ଖେଳାନ୍ତି ନାହିଁ । ମଣ୍ଡି ଡେରିରେ ଖୋଲିବା ସହ ଅବ୍ୟବସ୍ଥା ଯୋଗୁଁ ଅସାଧୁ ବେପାରୀଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି । ଅନେକ ସମୟରେ ଅଭାବୀ ବିକ୍ରିର ଶିକାର ହେଉଛି ଅନ୍ନଦାତା । ବର୍ତ୍ତମାନ ସମୟ ଏପରି ହୋଇଛି, ଏହି କ୍ଷେତ୍ର ଅସାଧୁ ବ୍ୟକ୍ତିମାନଙ୍କ ପାଇଁ ବର୍ଷସାରା ପୁଷମାସ ପାଲଟିଛି ।