ଡ୍ୟୁଟିକୁ ଫେରିଲେ ରେସଲର ଭିିନେଶ, ସାକ୍ଷୀ, ବଜରଙ୍ଗ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘର ପୂର୍ବ ଅଧ୍ୟକ୍ଷ ଓ ସାଂସଦ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ରେସଲରଙ୍କ ଆନ୍ଦୋଳନ ଧିରେ ଧିରେ ଦୁର୍ବଳ ହେବାରେ ଲାଗିଛି । ଏହି ଆନ୍ଦୋଳନର ମୂଖ୍ୟ କର୍ଣ୍ଣଧାର ସାକ୍ଷୀ ମଲିକ, ବଜରଙ୍ଗ ପୁନିଆ ଓ ଭିନେଶ ଫୋଗଟ ଇତି ମଧ୍ୟରେ ସେମାନଙ୍କ ରେଲୱେ ଚାକିରୀରେ ଯୋଗଦାନ କରିଛନ୍ତି । ରେଲୱେ ପବ୍ଲିକ ରିଲେଶନ ଡାଇରେକ୍ଟର ଜେନେରାଲ ଯୋଗେଶ ବାବେଜା ଏହି ସୂଚନା ଦେଇଛନ୍ତି । କେତେକ ରିପୋର୍ଟ ଅନୁସାରେ ନାବାଳିକା ପୀଡିତା ତାଙ୍କ ବୟାନରୁ ଓହରି ଯାଇଛି । ଏହା ଦେଖି ରେସଲରମାନେ ଆନ୍ଦୋଳନରୁ ଓହରିବା ନିଷ୍ପତି ନେଇଛନ୍ତି । ଅବଶ୍ୟ ଏନେଇ ବିଧିବଦ୍ଧ ଭାବେ କୌଣସି ବୟାନ ଜାରୀ କରାଯାଇ ନାହିଁ । ଯଦି ଏହା ସତ ହୋଇଥାଏ ତାହାହେଲେ ବ୍ରିଜଭୂଷଣଙ୍କ ବିରୋଧରେ ଲଗା ଯାଇଥିବା ପୋକସୋ ଆକ୍ଟ ଉଠିଯିବ । ଏହା ପରେ ତାଙ୍କୁ ଗିରଫ କରିବା ଆବଶ୍ୟକ ହେବ ନାହିଁ । ପୂର୍ବରୁ ନାବାଳିକାଙ୍କ ବାପା କହିଥିଲେ ମୋ ଝିଅ ୧୬ ବର୍ଷ ବୟସରେ ଜାତୀୟ ଜୁନିୟର ରେସଲିଂରେ ସ୍ୱର୍ଣ୍ଣ ପଦକ ଜିତିଥିଲା । ଫଟୋ ଉଠାଇବା ବାହାନାରେ ବ୍ରିଜଭୂଷଣ ତାକୁ ଜୋରରେ ଭିଡି ଧରିଥିଲେ । ଏହି ଖବର ପ୍ରସାରିତ ହେବା ପରେ ଭିନେଶ ଓ ବଜରଙ୍ଗ କହିଛନ୍ତି ଆମକୁ ଚାକିରୀର ଡର ଦେଖାଅ ନାହିଁ । ୧୦ ସେକେଣ୍ଡରେ ଏହାକୁ ଛାଡି ଦେବୁ । ଆମ ଲଢ଼େଇରେ ଚାକିରୀ ଯଦି ବାଧା ସୃଷ୍ଟି କରେ ତାହାହେଲେ ଏହାକୁ ମଧ୍ୟ ଛାଡିଦେବୁ ବୋଲି କହିଛନ୍ତି । ସୂଚନାଯୋଗ୍ୟ, ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବା ପରେ ରେସଲରଙ୍କ ଆନ୍ଦୋଳନ ନାଟକୀୟ ଢ଼ଙ୍ଗରେ ଦୁର୍ବଳ ହେବାରେ ଲାଗିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.