ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ଆହ୍ୱାନ ରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀମାନେ ଆଜି ସ୍ଥାନୀୟ ବିଇଓ ଅଫିସ ଘେରାଉ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବି ପୂରଣ ନହେଲେ ଆସନ୍ତା ୧୬ ତାରିଖରୁ ସାମୁହିକ ଛୁଟିରେ ଯିବାର ଚେତାବନୀ ଦେଇଛନ୍ତି । ଦାବି ଗୁଡିକ ମଧ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟର ଠିକା ନିଯୁକ୍ତି ଉଚ୍ଛେଦ କରିଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବା ସହିତ ସମସ୍ତ ବର୍ଗ ର ଶିକ୍ଷକ ଓ ଶିକ୍ଷା ସହାୟକଙ୍କ ଠିକା କାର୍ଯ୍ୟକାଳକୁ ନୋସନାଲ ଇନକ୍ରୀମେଣ୍ଟ୍ ପ୍ରଦାନ କରି ମୂଳ ଚାକିରୀ ରେ ଗଣନା କରିବା ସହିତ ଏକ୍ସ କ୍ୟାଡର ଶିକ୍ଷକଙ୍କୁ କ୍ୟାଡ଼ର ଭୁକ୍ତ କରାଯାଉ । କଳା ଓ କ୍ରୀଡା ଶିକ୍ଷକ ମାନଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ କରାଯାଉ । ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ବେତନ (ମୂଳ ବେତନ ଲେଭେଲ୍ ୯ ଗ୍ରେଡ ପେ ୪୨୦୦ ଅନୁଯାୟୀ) ପ୍ରଦାନ କରାଯାଉ। ନୂତନ ପେନସନ ପ୍ରଥା ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ପୁନଃ ପ୍ରଚଳନ କରାଯାଉ ।ଦାବି ପୂରଣ ନହେଲେ ଆସନ୍ତା ଏଗାର ତାରିଖରେ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ଦାବିପତ୍ର ଦିଆଯିବ ଓ ତାପରେ ଯଦି ପୂରଣ ନହୁଏ ତାହେଲେ ଆସନ୍ତା ୧୬ ତାରିଖରୁ ସାମୁହିକ ଛୁଟିରେ ଯାଇ ପ୍ରତ୍ୟେକ ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଫିସ ଆଗରେ ଧାରଣା ଦିଆଯିବ ବୋଲି କୁହାଯାଇଛି । ଆଜିର ଏହି ରାଲି ଗୋଲାମୁଣ୍ଡାସ୍ଥିତ ମହାଭାରତ ପଡ଼ିଆରୁ ଆରମ୍ଭ ହୋଇ ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା। ଏହି ରାଲିରେ ଏୟୁପିଟିଏଫ୍ ର ରାଜ୍ୟ ଉପସଭାପତି ଦୀପକ ଦାସ, ରାଜ୍ୟ ମିଳିତ ମଞ୍ଚ ର ଆବାହକ ମଣ୍ଡଳୀ ତଥା କଳାହାଣ୍ଡି ଜିଲ୍ଲା ମିଳିତ ଶିକ୍ଷକ ମହାସଂଘର ସାଂଗଠାନିକ ସଂପାଦକ ଅଜିତ ପ୍ରଧାନ, ବ୍ଲକ ସଭାପତି ବିଶ୍ୱଜିତ୍ ନେଗି, ବ୍ଲକ ଏନ୍ପିଏସ ଶିକ୍ଷକ ସଂଘ ସଭାପତି ଶିବ ରାମ ସୁନାନି, ବ୍ଲକ କନିଷ୍ଠ ଶିକ୍ଷକ ସଂଘ ର ସଭାପତି ଜନ୍ମେ ଜୟ ବିଶି, ସଂପାଦକ ତରଙ୍ଗ ଚଣ୍ଡୀ, ଜିଲ୍ଲା ମିଳିତ ମଞ୍ଚ ର ମିଡ଼ିଆ ସଂଯୋଜକ ଅମିତ୍ ଜାଲ, ମୋହନ ଲାଲ ବିଶି, ଗମ୍ଭୀର ନାୟକ, ରାଜଶ୍ରୀ ନାୟକ, ସ୍ବରାଜ ବାଗ, ରମେଶ ସାହୁ, ତଥା ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ଗର୍ଜନ କରିଥିଲେ, ଆଗାମୀ ୧୬ ଅଗଷ୍ଟ ସୁଦ୍ଧା ଉପୋରକ୍ତ ଦାବୀ ପୂରଣ ନ ହୁଏ ତାହେଲେ ରାଜ୍ୟର ସମସ୍ତ ବିଦ୍ୟାଳୟରେ ତାଲା ପଡ଼ିବ ଓ ସମସ୍ତ ଶିକ୍ଷକ ସାମୂହିକ ଛୁଟି ଘୋଷଣା କରିବେ ବୋଲି ଏୟୁପିଟିଏଫର ରାଜ୍ୟ ଉପସଭାପତି ଶ୍ରୀ ଦାସ ଚେତାବନୀ ଦେଇଛନ୍ତି ।