ରୁପ୍ରାରୋଡ଼ ଷ୍ଟେସନରେ ସମତା, ତିରୁପତି ଓ ଧାନବାଦ ଏକ୍ସପ୍ରେସ ଟ୍ରେନ ରହଣି ଦାବୀ

ରେଳ ବିଭାଗ ଶୀଘ୍ର ପଦକ୍ଷେପ ନ ନେଲେ ଆନ୍ଦୋଳନ ହେବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ରୁପ୍ରାରୋଡ଼ ରେଳ ଷ୍ଟେସନରେ ସମତା ସୁପରଫାଷ୍ଟ ଏକ୍ସପ୍ରେସ, ଧାନବାଦ- ଆଲପୂଜା ଏକ୍ସପ୍ରେସ ଓ ବିଲାସପୁର- ତିରୁପତି ଏକ୍ସପ୍ରେସ ଟ୍ରେନ ରହଣୀ ଦାବୀ ନେଇ ଆଜି ଶନିବାର ଦିବା ୧୧ ଘଣ୍ଟା ସମୟରେ ରୁପ୍ରାରୋଡ଼ ରେଳଯାତ୍ରୀ ସୁରକ୍ଷା ସମିତିର ଅଧ୍ୟକ୍ଷ ତଥା ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତିଙ୍କ ନେତୃତ୍ୱରେ ସମିତିର ସଭାପତି ବରିଷ୍ଠ ଆଇନଜୀବୀ ସୁବାସ ଅଗ୍ରୱାଲା, ଉପସଭାପତି ପ୍ରଦୀପ ଅଗ୍ରୱାଲା, ସାଧାରଣ ସମ୍ପାଦକ ରାଧେଶ୍ୟାମ ଖେତାନ, କୋଷାଧ୍ୟକ୍ଷ ଦିନଦୟାଲ ଅଗ୍ରୱାଲା, ବରିଷ୍ଠ ସଦସ୍ୟ ଶ୍ୟାମ ସୁନ୍ଦର ଶର୍ମା, ଭାରତୀ ମହାନ୍ତି, ବଣ୍ଟି ଅଗ୍ରୱାଲ, ଅନୀଲ ଅଗ୍ରୱାଲା, ରତନ ଅଗ୍ରୱାଲା, ରାଜେଶ ଦତ୍ତା, ଗୋବିନ୍ଦ ଅଗ୍ରୱାଲା, ନୀରଜ ଶର୍ମା(ସାନୁ), ବିଜୟ ଅଗ୍ରୱାଲା, ପବନ କୁମାର ଶର୍ମା, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କ ସମେତ ୫୦ରୁ ଉର୍ଦ୍ଧ୍ବ ସଦସ୍ୟ ରୁପ୍ରାରୋଡ଼ ରେଳ ଷ୍ଟେସନରେ କରୋନା ପୂର୍ବରୁ ରହଣୀ ରହିଥିବା ଉପରୋକ୍ତ ତିନିଗୋଟି ଏକ୍ସପ୍ରେସ ଟ୍ରେନର ରହଣୀ ଦାବୀ ଓ ରୁପ୍ରାରୋଡ଼ ରେଳ ଫାଟକ ନିକଟରେ ଅଣ୍ଡର ଗ୍ରାଉଣ୍ଡ ବ୍ରିଜ ନିର୍ମାଣ ଦାବୀ ସମେତ ୭ ଗୋଟି ଦାବୀ ସମ୍ବଳିତ ଡିଆରଏମଙ୍କ ଉଦ୍ଦେଶ୍ୟରେ ଷ୍ଟେସନ ଅଧିକ୍ଷକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ କରୋନା ସଂକ୍ରମଣ ହେବା ପୂର୍ବରୁ ବିଶାଖାପାଟନମ- ନିଜାମୁଦ୍ଦିନ ସମତା ସୁପରଫାଷ୍ଟ ଏକ୍ସପ୍ରେସ ଟ୍ରେନ, ଏଲେପି- ଧାନବାଦ, କୋରବା – ବିଶାଖାପାଟନମ ଲିଙ୍କ୍ ଏକ୍ସପ୍ରେସ ଟ୍ରେନ, ପୁରୀ- ଅହମଦାବାଦ ପ୍ରଭୃତି ଏକ୍ସପ୍ରେସ ଟ୍ରେନ ଗୁଡିକ ରୁପ୍ରାରୋଡ ଷ୍ଟେସନରେ ରହଣୀ ରହିଥିଲା । ରୁପ୍ରାରୋଡ ଆଖପାଖ ୧୮ ରୁ ଉର୍ଦ୍ଧ୍ବ ଗାଁର ଲୋକେ ବିଭିନ୍ନ ସ୍ଥାନକୁ ଯାତ୍ରା ନିମନ୍ତେ ରୁପ୍ରାରୋଡ ରେଳ ଷ୍ଟେସନ ଉପରେ ନିର୍ଭର କରିଥାନ୍ତି । ବିଶେଷ କରି ସମତା ଏକ୍ସପ୍ରେସରେ ରାଜଧାନୀ ଦିଲ୍ଲୀ ଯିବାର ସୁବିଧା ରହିଥିବା ବେଳେ ଏଲେପି- ଧାନବାଦ ଏକ୍ସପ୍ରେସ ଟ୍ରେନରେ ଏଠାକାର ଲୋକେ ଗୁଜୁରାଟ, ସୁରଟକୁ ଯାଇଥାନ୍ତି ପେଟ ପାଟଣା ପାଇଁ । କରୋନା ଲକଡାଉନ ଯୋଗୁଁ ଗତ ୨୦୨୦ ଅପ୍ରେଲ ମାସ ୨୫ ତାରିଖରୁ ଟ୍ରେନ ଚଳାଚଳ ବନ୍ଦ ହୋଇ ଯାଇଥିଲା । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଲକ୍ଡାଉନ ଖୋଲିବା ପରେ ଗତ ୨୦୨୧ ଅଗଷ୍ଟ ମାସରୁ ସ୍ୱତନ୍ତ୍ର ଟ୍ରେନ ଭାବରେ ସମତା, କୋରବା, ଏଲେପି-ଧାନବାଦ ପ୍ରଭୃତି ଏକ୍ସପ୍ରେସ ଟ୍ରେନ ଚଳାଚଳ କରିଥିଲେ ମଧ୍ୟ କଳାହାଣ୍ଡି ଜିଲ୍ଲାରେ ଆଗରୁ ଷ୍ଟପେଜ ରହିଥିବା ଷ୍ଟେସନ ଗୁଡିକ ମଧ୍ୟରେ ରୁପ୍ରାରୋଡ ରେ ଏବେ ଆଉ ଉପରୋକ୍ତ ଟ୍ରେନ ଗୁଡିକର ଷ୍ଟପେଜ ଦିଆଯାଇ ନଥିଲା । କଳାହାଣ୍ଡି ଜିଲ୍ଲାର କେବଳ କେସିଙ୍ଗା ଗୋଟିଏ ଷ୍ଟେସନରେ ହିଁ ଷ୍ଟପେଜ ରହିଥିଲା ଉପରୋକ୍ତ ଟ୍ରେନ ଗୁଡିକର । ଯାହା ଫଳରେ ରୁପ୍ରାରୋଡ଼ ଅଞ୍ଚଳରଲୋକେ ଦିଲ୍ଲୀ, ବିଶାଖାପାଟନମ ଯିବା ନିମନ୍ତେ ନାହିଁ ନଥିବା ଅସୁବିଧା ଭୋଗୁଥିବା ଦେଖିବାକୁ ମିଳିଛି । ରୁପ୍ରାରୋଡ ଷ୍ଟେସନରେ କେବଳ ସମ୍ବଲପୁର- ରାୟଗଡା ଇଣ୍ଟରସିଟି ଟ୍ରେନଟି ରହୁଥିଲା । ରୁପ୍ରାରୋଡ଼ ରେଳଯାତ୍ରୀ ସୁରକ୍ଷା ସମିତି ତରଫରୁ ଗତ ଅପ୍ରେଲ ୧୦ ରେ ରେଳରୋକ ଧାରଣା ଦେବା ନିମନ୍ତେ କମିଟି ନିଷ୍ପତି ନେଇଥିଲେ । ଏହା ଜାଣିବା ପରେ ରେଳବାଇ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ ଓ ସ୍ଥାନୀୟ ପୋଲିସ୍ ପ୍ରଶାସନ ନର୍ଲା ଥାନାକୁ ଆସି ଉଭୟ ରେଳଯାତ୍ରୀ ସୁରକ୍ଷା ସମିତି ଓ ସଂଘର କର୍ମକର୍ତ୍ତାଙ୍କୁ ଡାକି ରେଳରୋକ ଧାରଣାରୁ ନିବୃତ ରହିବା ପାଇଁ ଅନୁରୋଧ କରିଥିଲେ । ଏବଂ ଗୋଟିଏ ମାସ ଭିତରେ ରହଣୀ ଦାବୀ ରହିଥିବା ଟ୍ରେନ ଗୁଡିକର ରହଣୀ କରାଯିବ ବୋଲି କଥା ଦେଇଥିଲେ । ଏଥିରେ ନର୍ଲାରୋଡ ରେଳଯାତ୍ରୀ ସୁରକ୍ଷା ସମିତି ସହମତି ପ୍ରକାଶ କରି ଧାରଣାରୁ ନିବୃତ ରହିଥିଲା । ହେଲେ ରୁପ୍ରାରୋଡ ରେଳ ଷ୍ଟେସନ ରେ ଗତ ୧୦ ଅପ୍ରେଲ ୨୦୨୨ ରେ ବଡ ଧରଣର ରେଳରୋକ ଧାରଣା ଅନୁଷ୍ଠିତ ହୋଇଥିଲା । ଫଳ ସ୍ୱରୁପ କୋରବା ଏକ୍ସପ୍ରେସ ରୁପ୍ରାରୋଡ ରେଳ ଷ୍ଟେସନରେ ରହଣୀ ଦେଇଥିଲା ରେଳବାଇ ବିଭାଗ । ହେଲେ ଅଞ୍ଚଳବାସୀଙ୍କ ପ୍ରମୁଖ ଦାବୀ ରହିଥିବା ଏବଂ କରୋନା ପୂର୍ବରୁ ରୁପ୍ରାରୋଡ଼ ଷ୍ଟେସନରେ ରହଣୀ ରହିଥିବା ସମତା ସୁପରଫାଷ୍ଟ ଏକ୍ସପ୍ରେସ, ବିଲାସପୁର- ତିରୁପତି ଓ ଏଲେପି-ଧାନବାଦ ଏକ୍ସପ୍ରେସ ଟ୍ରେନର ରହଣୀ ଦିଆଯାଇନାହିଁ । ଯେଉଁଥି ପାଇଁ ଅଞ୍ଚଳରେ ଜନ ଅସନ୍ତୋଷ ବଢିବାରେ ଲାଗିଛି । ପୂର୍ବରୁ ରହଣୀ ରହିଥିବା ଓ ଅନେକ ଦାବୀ ସତ୍ୱେ ଅଦ୍ୟାବଧି ରହଣୀ ଦିଆ ଯାଇନଥିବା ଉପରୋକ୍ତ ଟ୍ରେନ ଗୁଡିକର ରୁପ୍ରାରୋଡ଼ ଷ୍ଟେସନରେ ରହଣୀ ପାଇଁ ଯଦି ରେଳବାଇ ବିଭାଗ ଶ୍ରୀଘ୍ର ପଦକ୍ଷେପ ନନିଏ ଓ କାର୍ଯ୍ୟକାରୀ ନକରେ ତା’ହେଲେ ରୁପ୍ରାରୋଡ଼ ଷ୍ଟେସନରେ ପୁଣି ଖୁବ୍ ଶୀଘ୍ର ରେଳରୋକ ଆନ୍ଦୋଳନ କରାଯିବ ବୋଲି ରୁପ୍ରାରୋଡ଼ ଯାତ୍ରୀ ସୁରକ୍ଷା ସମିତିର ଅଧ୍ୟକ୍ଷ ତଥା ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ଚେତାବନୀ ଦେଇଛନ୍ତି ।

Omkar Vasthu
Omkar Vasthu
(କ୍ଲିକ୍ କରି ଦେଖନ୍ତୁ ଭିଡ଼ିଓ)

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.