ବିଦ୍ୟାଳୟରେ ପ୍ରତିଷ୍ଠା କଲେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି, ଗୁରୁଙ୍କୁ କଲେ ସମ୍ବର୍ଦ୍ଧିତ
ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ପବିତ୍ର ଗୁରୁଦିବସ ବିଭିନ୍ନ ଶିକ୍ଷାନୁଷ୍ଠାନମାନଙ୍କରେ ପାଳିତ ହେଉଥିବା ବେଳେ ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ମାଣିକପୁର ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁ ଦିବସ ଭିନ୍ନଢଙ୍ଗରେ ପାଳିତ ହୋଇଥିବା ଦେଖିବାକୁ ମିଳିଛି। ଉକ୍ତ ବିଦ୍ୟାଳୟରୁ ପାଠ ପଢ଼ି ଉତୀର୍ଣ୍ଣ ହୋଇଥିବା ୨୧ଜଣ ଛାତ୍ର ବର୍ତମାନ ଭାରତ ସରକାରଙ୍କ ପଦାତିକ ବାହିନୀ ଓ ନେଭିରେ ସିପାହୀ ଭାବେ କାମ କରିଆସୁଛନ୍ତି। ସାମରିକ ସେବାରେ ଥିବା ୨୧ଜଣ ପୁରାତନ ଛାତ୍ର ଛୁଟିରେ ଗ୍ରାମକୁ ଆସି ସେମାନେ ପଢିଥିବା ପ୍ରାଥମିକ ବିଦ୍ୟାଳୟରେ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିକୁ ବିଦ୍ୟାଳୟ ପରିସରରେ ସ୍ଥାପନ କରିବା ସହ ପୁରାତନ ଶିକ୍ଷକମାନଙ୍କୁ ସମ୍ବର୍ଦ୍ଧିତ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ବିଦ୍ୟାଳୟ ପରିସରରେ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ପୁରୀ ସ୍ଥିତ ସ୍ୱାଭିମାନ ମଞ୍ଚ, ଗ୍ରାମବାସୀ ଓ ଏସଏମସି ପ୍ରମୁଖ ସହାୟତାର ହାତ ବଢ଼ାଇଥିବା ଜଣାପଡିଛି। ଏ ଉପଲକ୍ଷେ ବିଦ୍ୟାଳୟ ପରିସରରେ ଆୟୋଜିତ ସଭା ଓଡିଶା ସ୍ୱାଭିମାନ ମଞ୍ଚ ପୁରୀର ସଭାପତି ରାଧାକାନ୍ତ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଆ ମାଟିର ଗୌରବ ଓ ମହାପୁରୁଷ ମାନଙ୍କ ପ୍ରତିଷ୍ଠା କରିବା ଦ୍ୱାରା ଆଗାମୀ ପିଢ଼ିର ଛାତ୍ରଛାତ୍ରୀ ଓ ଯୁବଗୋଷ୍ଠୀ ସ୍ୱାଭିମାନରେ ଉଦବୁଦ୍ଧ ହେବେ ବୋଲି ପ୍ରକାଶ କରିଥିଲେ। ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ପ୍ରବୀଣ ଶିକ୍ଷାବିତ ଡ. ପ୍ରଭାକର ତ୍ରିପାଠୀ ଶିକ୍ଷକମାନେ ପିଲାଙ୍କୁ କେବଳ ପାଠପଢା ସାର୍ଟିଫିକେଟ ପଛରେ ଗୋଡ଼ଇବା ପାଇଁ ପ୍ରେରଣା ଦେବା ପରିବର୍ତ୍ତେ ଜାତୀୟ ଧାରାରେ ନିମଗ୍ନ ଥିବା ଭଲ ମଣିଷ ତିଆରି ପାଇଁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବୃଦ୍ଧିଚକ୍ରର ସଭାପତି ଇଂ. ଗିରିଜା ଶଙ୍କର ପାଢ଼ୀ ଓ ଓଡିଶା ସ୍ୱାଭିମାନ ମଞ୍ଚର ସଦସ୍ୟ ଅଟଳ ବିହାରୀ ଜେନା ପ୍ରମୁଖ ଯୋଗଦେଇ ଗାନ୍ଧୀ, ଗୋପବନ୍ଧୁ, ମଧୁସୂଦନ, ସୁଭାଷ ବୋଷ, ରାଧାକୃଷ୍ଣନ୍ ଓ ଜୟୀ ରାଜଗୁରୁଙ୍କ ପ୍ରତିମୂର୍ତ୍ତି ଅନବରଣ କରିଥିଲେ। ମାଣିକପୁର ସରପଞ୍ଚ ଉଦୟନାଥ ବାରିକ, ସମିତି ସଭ୍ୟ ବିପିନ ଗୌଡ଼ଙ୍କ ସମେତ ୨୧ଜଣ ସାମରିକ କର୍ମଚାରୀ ପ୍ରମୁଖ ମଂଚାସୀନ ଥିଲେ। ଗୁରୁଦିବସ ଉପଲକ୍ଷେ ଅବସରପ୍ରାପ୍ତ ଶିକ୍ଷକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।





