ନୂଆଖାଇରେ ଲୋକକଳାର ସମ୍ଭାର 

ଲିଙ୍ଗରାଜ ମିଶ୍ର

ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଖାଇ ନିଜର ମହାନ ତତ୍ତ୍ବଦର୍ଶନ ଓ ସାଂସ୍କୃତିକ ବିଭବ ଯୋଗୁଁ ଦେଶ ବିଦେଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ବିଶ୍ବ ଭାତୃତ୍ବର ବାର୍ତ୍ତା ବହନକରି ଆସୁଥିବା ନୂଆଖାଇ ମହାନ ଗଣଚେତନାର ପର୍ବ ଭାବେ କଳାହାଣ୍ଡିରେ କେଉଁ ଏକ ସ୍ମରଣାତୀତ କାଳରୁ ପାଳିତ ହୋଇ ଆସୁଛି। ଏହି ମହାନ ପର୍ବକୁ ନେଇ କୃଷକଙ୍କ ଠାରୁ କଳାକାର ପର୍ଯ୍ୟନ୍ତ ପ୍ରତ୍ୟକ ବର୍ଗର ଲୋକ ଉତ୍ସାହିତ ରହିଥାନ୍ତି। ନୂଆଖାଇର ବହୁ ପୂର୍ବରୁ ପ୍ରସ୍ତୁତ ହୋଇଥାନ୍ତି ଲୋକ କଳାକାର। ଆଖଡ଼ା ଘରେ ଚାଲିଥାଏ ରିହଲସେଲ। ନୂଆଖାଇ ଦିନ ସହ ନୂଆଖାଇ ଭେଟଘାଟ ମାନଙ୍କରେ ନୃତ୍ୟ ପରିବେଷଣ କରିଥାନ୍ତି କଳାହାଣ୍ଡିଆ ବଜାସାଲ୍, ବନାବାଡି, ଘୁମୁରା, ଢାପ୍, ଘୁଡକା ଆଦି ବିଭିନ୍ନ ଦଳ। ପଶ୍ଚିମ ଓଡ଼ିଶା ସାରା ନୂଆଖାଇ ପାଳିତ ହେଉଥିବା ବେଳେ କଳାହାଣ୍ଡିର ନୂଆଖାଇ କଳା ସଂସ୍କୃତି ଓ ବିବିଧତା ମଧ୍ୟରେ ଏକତା ଯୋଗୁଁ ନିଜର ସ୍ବତନ୍ତ୍ରତା ପ୍ରତିପାଦନ କରିଥାଏ। ନୂଆଖାଇ ଦିନ ବୀର ବାଦ୍ୟ ଘୁମୁରା ପରିବେଷିତ ହେବା ପୂର୍ବ ପରମ୍ପରା ଅନୁକ୍ରମେ ଚାଲି ଆସିଛି। ଘୁମୁରା ରଣବାଦ୍ୟରୁ ଗଣବାଦ୍ୟ ଭାବେ ରୂପାନ୍ତରିତ ହୋଇଛି। ନୂଆଖାଇରେ ଘୁମୁରାର ଘୁମୁ ଘୁମୁ ନାଦ ଗ୍ରାମ୍ୟ ସଂସ୍କୃତିରେ ନୂତନ ପୂଳକ ଆଣି ଆସିଥାଏ। ଡମ୍ ସଂସ୍କୃତିର ନିଆରା ବାଦ୍ୟ ନୃତ୍ୟ ତଥା କଳାହାଣ୍ଡିର ଆଦ୍ୟ ବାଦ୍ୟ ଡମ୍ ବଜା ନୂଆଖାଇ, ନୂଆଖାଇ ଭେଟଘାଟ ତଥା ଅନ୍ୟାନ୍ୟ ସମୟରେ ରୂପାନ୍ତରିତ ହୋଇ ବଜାସାଲ ନାମରେ ପରିବେଶଷିତ  ହୋଇଥାଏ। ବଜାସାଲ ଏବେ ଘୁମୁରା ପରି ଦେଶ ବିଦେଶରେ ପରିବେଷଣ ହୋଇ ପ୍ରଶଂସିତ ହୋଇପାରିଛି। ନୂଆଖାଇ ସାରିବା ପରେ ଯାଦବ ଯୁବକ, କିଶୋର ଏପରିକି ବୃଦ୍ଧମାନେ ବନାବାଡି ବା ବାଡିଖେଳ ପରିବେଷଣ କରିଥାନ୍ତି। ଯାଦବ ସଂସ୍କୃତିର ମହାନ ବିଭବ ବନାବାଡି ଖେଳରେ ଭାଗ ନେଇଥିବା ଯାଦବଙ୍କ କୁହାଟରେ ପ୍ରକମ୍ପିତ ହୋଇ ଉଠିଥାଏ ଗାଁ ମାଟି। ସେହିପରି ଭାବେ କନ୍ଧାନ୍ ସଂସ୍କୃତିର ମହାନ ବାଦ୍ୟ ଢାପ୍ ନୂଆଖାଇ ସମୟରେ ପରିବେଷଣ ହେଲେ ଦେହରେ ଶତ ସିଂହର ଶିହରଣ ଖେଳିଯାଏ ବୋଲି କହିଥାନ୍ତି ବୟୋବୃଦ୍ଧମାନେ। ଏହି ସମୟରେ ସ୍ଥାନେ ସ୍ଥାନେ ଘୁଡୁକା ମଧ୍ୟ ପରିବେଷଣ ହୋଇଥାଏ, ଯାହା ହୃଦୟ ତନ୍ତ୍ରୀରେ ନବରସର ପୂଳକ ଆଣି ଆସିଥାଏ। କଳାହାଣ୍ଡିର ଅନନ୍ୟ ଲୋକ ସଂସ୍କୃତି ପରି ନୂଆଖାଇ ପାର୍ବଣ ଲୋକାଚାର ଓ କୂଳାଚାର ଭିତ୍ତିରେ ଭିନ୍ନ ଭିନ୍ନ ହୋଇଥାଏ। ଏହାସହ ବିଭିନ୍ନ ତିଥିରେ ନୂଆ ଖାଇଥାନ୍ତି କଳାହାଣ୍ଡିବାସୀ। ପଥର୍ଲା, ପାଲକାପଡା ଓ ବାହାଦୁର ପଦରବାସୀ ଭାଦ୍ର ଶୁକ୍ଳ ପ୍ରତିପଦା ତିଥିରେ ନୂଆ ଖାଇଥାନ୍ତି। କିଡିଙ୍ଗ ଗ୍ରାମବାସୀ ଚତୁର୍ଥୀ ରାତି ଓ ମୁଣ୍ଡିଗୁଡା ଏବଂ ବାଗଡୁଙ୍ଗରୀ ଗ୍ରାମର ମଗଧା ଯାଦବ ବଗର୍ତ୍ତି ବଂଶଜ ମାନେ ପଞ୍ଚମୀ ରାତିରେ ନୂଆ ଖାଇଥାନ୍ତି। ବିଶେଷ କରି ପଞ୍ଚମୀ ତିଥିରେ ଜିଲ୍ଲାର ଭବାନୀପାଟଣା, ଥୁଆମୂଲ ରାମପୁର, ମଦନପୁର ରାମପୁର, କର୍ଲାପାଟ, ଲାଞ୍ଜିଗଡ଼, ଜୟପାଟଣା ସହର ଓ ତାହାର ଆଖପାଖ ଅଞ୍ଚଳକୁ ଛାଡ଼ି ଦେଇ ଅନ୍ୟ ଅଞ୍ଚଳବାସୀ ନୂଆ ଖାଇଥାନ୍ତି। ଦଶମୀ ତିଥିରେ ନୂଆ ଖାଇଥାନ୍ତି ଭବାନୀପାଟଣା ସହର ସମେତ ଜିଲ୍ଲାର ଉପରୋକ୍ତ ସହରବାସୀ। ତିନୋଟି ପର୍ଯ୍ୟାୟରେ କଳାହାଣ୍ଡି ଜିଲ୍ଲାରେ ନୂଆଖାଇ ପର୍ବ ପାଳିତ ହେଉଥିବାରୁ କଳା ପରିବେଷଣ ପାଇଁ ବିଶେଷ ସୂଯୋଗ ପାଇଥାନ୍ତି ଗ୍ରାମ୍ୟ କଳାକାର। ଏମାନେ ନିଜ ଅଞ୍ଚଳରେ ନିଜର ବାଦ୍ୟ ନୃତ୍ୟ ପ୍ରଦର୍ଶନ କରିବାସହ ନିମନ୍ତ୍ରଣ ପାଇ ଜିଲ୍ଲା ତଥା ଜିଲ୍ଲା ବାହାରର ଅନେକ ନୂଆଖାଇ ଭେଟଘାଟ ମଞ୍ଚରେ ନିଜ କଳା ପ୍ରତିଭାକୁ ପ୍ରଦର୍ଶିତ କରି ପାରିଥାନ୍ତି।  ଆଜିକାଲି ପ୍ରାୟ ଗ୍ରାମରେ ନୂଆଖାଇ ଭେଟଘାଟ ଆୟୋଜିତ ହେଉଛି। ଏଥିରେ ଲୋକକଳାକାରମାନେ ମଞ୍ଚ ପାଇବା ସହ ଉତ୍ତମ ପାରିତୋଷିକ ମଧ୍ୟ ପାଉଛନ୍ତି। ତେଣୁ ନୂଆଖାଇକୁ ନେଇ ଗ୍ରାମ୍ୟ କଳାକାରମାନେ ବେଶ୍ ଉତ୍ସାହିତ ରହିଥାନ୍ତି। 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.