ନିମ୍ନ ମଧ୍ୟବିତ୍ତ ପରିବାରର ଭୋଟ୍ ହାତେଇବାକୁ ମୋଦୀ ସରକାରଙ୍କ ମେଗା ପ୍ଲାନ୍!

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: କେନ୍ଦ୍ରର ମୋଦୀ ସରକାର ଆସନ୍ତା ୫ ବର୍ଷ ମଧ୍ୟରେ କ୍ଷୁଦ୍ର ସହରାଞ୍ଚଳ ଗୃହ ନିର୍ମାଣ ପାଇଁ ସବସିଡି ଯୁକ୍ତ ଋଣ ପ୍ରଦାନ କରିବା ପାଇଁ ୬୦୦ ବିଲିୟନ୍ ଟଙ୍କା ଖର୍ଚ୍ଚ କରିବାକୁ ବିଚାର କରୁଛନ୍ତି। ଖବର ସରବରାହ ସଂସ୍ଥା ରୟଟର୍ସ ପକ୍ଷରୁ ଏହି ସୂଚନା ମିଳିଛି। ଏହି ଯୋଜନା ଦୁଇ ମାସ ମଧ୍ୟରେ କାର୍ଯ୍ୟକାରୀ ହେବାର ସମ୍ଭାବନା ରହିଛି । ଏହାଦ୍ୱାରା ସହରାଞ୍ଚଳର ନିମ୍ନ ଆୟ ବର୍ଗର ୨.୫ ନିୟୁତ ଋଣ ଆବେଦନକାରୀ ଉପକୃତ ହୋଇପାରିବେ। ଏହି ଯୋଜନାରେ ୨୦ ବର୍ଷର ଅବଧି ପାଇଁ ୫୦ ଲକ୍ଷ ଟଙ୍କାରୁ କମ୍ ରିହାତିରେ ମିଳୁଥିବା ଗୃହ ଋଣ ଉପରେ ୦.୯ ନିୟୁତ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ୩-୬.୫% ସୁଧ ସବସିଡି ମିଳିବ। ସହରର ଯେଉଁ ପରିବାରମାନେ ଭଡ଼ା ଘର, ବସ୍ତି, ଚାଳଘର, ଅନାଧିକୃତ କଲୋନୀରେ ରହୁଛନ୍ତି ସେମାନଙ୍କୁ ସହାୟତା କରିବା ପାଇଁ ଏହି ଯୋଜନା କରାଯାଇଛି। ସହରାଞ୍ଚଳରେ କମ୍ ଆୟ କରୁଥିବା ଋଣଗ୍ରହୀତାଙ୍କୁ ସରକାର ସୁଧ ରିହାତି ପ୍ରଦାନ କରିବାର ଏହା ପ୍ରଥମ ଘଟଣା ନୁହେଁ। ଅନୁରୂପ ଯୋଜନା ୨୦୧୭-୨୦୨୨ ମଧ୍ୟରେ ଚାଲିଥିଲା ଏବଂ ୧୨.୨୭ ନିୟୁତ ଘର ମଞ୍ଜୁର କରାଯାଇଥିଲା। ଅତ୍ୟଧିକ ସୁଧ ହାର ଏବଂ ସମ୍ପତ୍ତି ମୂଲ୍ୟ ବୃଦ୍ଧି ଯୋଗୁ ଅନେକ ଲୋକ ଘର ନିର୍ମାଣ କରିବା ବା କିଣିବା ଏବେ ଦିବା ସ୍ବପ୍ନ ପାଲଟି ଯାଉଛି। ଖାସ କରି ନିମ୍ନ ମଧ୍ୟବିତ ପରିବାର ପାଇଁ। ଏପରି ସ୍ଥିତିରେ ଶସ୍ତା ଗୃହ ନିର୍ମାଣ ପାଇଁ ମୋଦୀ ସରକାର ଏହି ଯୋଜନା ସତରେ ଯଦି କାର୍ଯ୍ୟକାରୀ ହୁଏ ତାହେଲେ ନିର୍ବାଚନ ପୂର୍ବରୁ  ଶାସକ ଦଳକୁ ଏହା ବେଶ ସୁହାଇବ। ଏହାବ୍ୟତୀତ ଏହି ସେଗମେଣ୍ଟରେ ବ୍ୟାଙ୍କଗୁଡ଼ିକ ଦ୍ୱାରା ଋଣ ପ୍ରଦାନରେ ବୃଦ୍ଧି ଘଟିବ ବୋଲି ଆଶା କରାଯାଉଛି। ସରକାର ଏ ପର୍ଯ୍ୟନ୍ତ ଯୋଜନାର ସବିଶେଷ ବିବରଣୀ ଚୂଡ଼ାନ୍ତ କରି ନ ଥିଲେ ମଧ୍ୟ ଆଗାମୀ କିଛି ମାସ ମଧ୍ୟରେ ଏହା କାର୍ଯ୍ୟକାରୀ ହେବ ବୋଲି ଆଶା କରାଯାଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.