ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବିଶ୍ୱନାଥପୁର ଉ.ପ୍ରା. ବିଦ୍ୟାଳୟ ପରିସରରେ ଲାଞ୍ଜିଗଡ଼ ବିଇଓ ନମିତାରାଣୀ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ପର୍କିତ ଏକ କର୍ମଶଳା ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା ଶିକ୍ଷା ଓ ତାଲିମ ପ୍ରତିଷ୍ଠାନର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଈଶ୍ୱର ଚନ୍ଦ୍ର ବେହେରା କାର୍ଯ୍ୟକ୍ରମରେ ଯୋଗଦେଇ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଯୋଜନାର ସଫଳ କାର୍ଯ୍ୟକାରିତା ଉପରେ ଆଲୋଚନା କରି ସାକ୍ଷରତା କିଟ୍ ର ବ୍ୟବହାର ଓ ସି.ଆର.ଏ. ପଦ୍ଧତି ଆଧାରରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ କରିଥିଲେ। ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଯୋଜନାକୁ ସଫଳ କରିବା ପାଇଁ ପର୍ଯ୍ୟାୟକ୍ରମେ ବ୍ଲକର ପାଞ୍ଚ ଗୋଟି ସ୍ଥାନରେ ପ୍ରଧାନ ଶିକ୍ଷକ ଓ ଏଫ.ଏଲ.ଏନ ଶିକ୍ଷକମାନଙ୍କ କର୍ମଶାଳା ଆୟୋଜନ ପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଯୋଜନା କରାଯାଇଛି। ଗୁଣାତ୍ମକ ଶିକ୍ଷାର ଅଭିବୃଦ୍ଧି ପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ଜିଲ୍ଲା ଶିକ୍ଷା ଓ ତାଲିମ ପ୍ରତିଷ୍ଠାନର ମିଳିତ ଉଦ୍ୟମକୁ ଶିକ୍ଷକ ମହଲରେ ସ୍ୱାଗତ କରାଯାଇଛି। ତେବେ ବିଶ୍ବନାଥପୁର ଉ.ପ୍ରା. ବିଦ୍ୟାଳୟରେ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦ୍ରୋଣ ରଣା, ସୁଢ଼ଲଦେବ ମୁଣ୍ଡ ଓ ଭାରତ ଭୂଷଣ ସାହୁ ଯୋଗଦାନ କରି ମାର୍ଗଦର୍ଶନ କରିଥିଲେ। ବ୍ଲକର ମନୋନୀତ ସମସ୍ତ ସାଧନକର୍ମୀ ଓ ସମସ୍ତ ସି.ଆର.ସି.ସି. କର୍ମଶାଳାରେ ଅଂଶ ଗ୍ରହଣ କରିଥିଲେ। ସି.ଆର.ସି.ସି. ତପନ କୁମାର ଭୋଇ ଅତିଥି ପରିଚୟ ସହ ଧନ୍ୟବାଦ ଅର୍ପଣ କରିଥିଲେ।