ଏଣିକି ଯୁକ୍ତ ଦୁଇ ବିଜ୍ଞାନରେ ବାୟୋଲୋଜି ରଖିନଥିବା ପିଲା ବି ହୋଇପାରିବେ ଡାକ୍ତର

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଏଣିକି +୨ ସାଇନ୍ସରେ ବାୟୋଲୋଜି ରଖିନଥିବା ପିଲା ମଧ୍ୟ ହୋଇପାରିବେ ଡାକ୍ତର। ଯୁକ୍ତ ଦୁଇ ବିଜ୍ଞାନରେ ବାୟୋଲୋଜି ନରଖି ପାସ୍-ଆଉଟ୍ ହୋଇଥିବା ପିଲାମାନେ ଡାକ୍ତର ହେବା ପାଇଁ ଯୋଗ୍ୟ ହୋଇପାରିବେ। ଏନେଇ ଏନଏମସି (NMC) ଲାଗୁ କରିବାକୁ ଯାଉଛି ନୂଆ ନିୟମ। ଯେଉଁ ଛାତ୍ରଛାତ୍ରୀ ମୁଖ୍ୟ ବିଷୟ ଭାବରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଏବଂ ଗଣିତ ସହିତ ଯୁକ୍ତ ଦୁଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ସେମାନେ ମଧ୍ୟ ହୋଇପାରିବେ ଡାକ୍ତର। କାରଣ ନ୍ୟାସନାଲ ମେଡିକାଲ କମିଶନ (ଏନଏମସି) ର ସର୍ବଶେଷ ନିର୍ଦ୍ଦେଶାବଳୀ ଅନୁଯାୟୀ, ସେମାନଙ୍କୁ କେବଳ କୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଯୁକ୍ତ ଦୁଇ କିମ୍ବା ଦ୍ୱାଦଶ ଶ୍ରେଣୀ ସ୍ତରରେ ଅତିରିକ୍ତ ବିଷୟ ଭାବରେ ଜୀବବଜ୍ଞାନ କିମ୍ବା ବାୟୋଲୋଜି / ବାୟୋଟେକ୍ନୋଲୋଜି ପରୀକ୍ଷା ଦେବାକୁ ପଡିବ। ଜାତୀୟ ମେଡିକାଲ କମିଶନର ନୂଆ ନିୟମ ଅନୁଯାୟୀ, ଯୁକ୍ତ ଦୁଇ ବିଜ୍ଞାନରେ ବାୟୋଲୋଜି ନରଖି ପାସ୍ ହୋଇଥିବା ପିଲା ଏମବିବିଏସ ଏବଂ ବିଡିଏସ (MBBS & BDS) ଆଡମିସନ୍ ପାଇଁ ନୀଟ-ୟୁଜି (NEET-UG) ପରୀକ୍ଷା ଦେଇପାରିବେ। ଏହି ପ୍ରାର୍ଥୀମାନଙ୍କୁ ଏନଏମସି ନାମଲେଖା ପାଇଁ ଯୋଗ୍ୟତା ପ୍ରମାଣପତ୍ର ଦେବ। ପୂର୍ବ ନିୟମ ଅନୁସାରେ ଦ୍ୱାଦଶ ଶ୍ରେଣୀ ପାସ୍ କରିବା ପରେ ଛାତ୍ରଛାତ୍ରୀଙ୍କୁ ଅତିରିକ୍ତ ବିଷୟବସ୍ତୁ ନେବାକୁ ଅନୁମତି ଦେଉନଥିଲା। ଏମବିବିଏସ ଏବଂ ବିଡିଏସ ନାମଲେଖା ପାଇଁ ଯୋଗ୍ୟ ହେବାକୁ ଫିଜିକ୍ସ, କେମିଷ୍ଟ୍ରି, ମ୍ୟାଥମେଟିକ୍ସ, ବାୟୋଲୋଜି/ବାୟୋଟେକ୍ନୋଲୋଜି ଏବଂ ଇଂରାଜୀରେ ଦୁଇ ବର୍ଷର କ୍ରମାଗତ ଅଧ୍ୟୟନ କରିବା ବାଧ୍ୟତାମୂଳକ ଥିଲା। ଉପରକ୍ତ ସମସ୍ତ ବିଷୟରେ ଏକକାଳୀନ ଗୋଟିଏ ବୋର୍ଡର ପାସ୍ ସାର୍ଟିଫିକେଟ୍ ଦରକାର ପଡୁଥିଲା। କିନ୍ତୁ ନୂତନ ଏନଏମସି ଆଦେଶ ଏହି ପ୍ରତିବନ୍ଧକକୁ ହଟାଇ ଦେଇଛି। ଏନଏମସିର ଅଫିସିଆଲ ୱେବସାଇଟରେ ଅପଲୋଡ୍ ହୋଇଥିବା ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ଏହି ନିଷ୍ପତ୍ତି ସେହି ଛାତ୍ରମାନଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ ଯେଉଁମାନଙ୍କର ଆବେଦନ ପୂର୍ବରୁ ପ୍ରତ୍ୟାଖ୍ୟାନ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.