ଓଡ଼ିଆ ବାର୍ତ୍ତା/ କେସିଙ୍ଗା: କେସିଙ୍ଗା ବ୍ଲକ ଯାଦବ ସମିତି ପକ୍ଷରୁ ସୁକୁନାଭଟା ସ୍ଥିତ ଖର୍ସେଲ ଡୁଙ୍ଗରୀଠାରେ ଚାଲିଛି ଗିରିଗୋବର୍ଦ୍ଧନ ପୂଜା ଓ ଷୋହଳ ପ୍ରହର ନାମଯଜ୍ଞ। ରବିବାର ଅଧିବାସ ଓ କଳସ ଯାତ୍ରା ଅନୁଷ୍ଠିତ ହୋଇଥିବାବେଳେ ସୋମବାର ସକାଳେ ଗୋବର୍ଦ୍ଧନ ପୂଜା ଓ ପୂର୍ବାହ୍ନ ୯.୪୫ରେ ନାମାରମ୍ଭ ହୋଇଥିଲା। ବୁଧବାର ଦିନ ନାମଯଜ୍ଞର ପୂର୍ଣ୍ଣାହୁତି ସହ ଭାଗବତ ପାରାୟଣ, ଗୋସେବା ଆଦି କାର୍ଯ୍ୟକ୍ରମ ରହିଥିବା ସମିତି ସୂତ୍ରରୁ ପ୍ରକାଶ। କେସିଙ୍ଗା ବ୍ଲକ ଯାଦବ ସମିତି ସଭାପତି ପାନ୍ନାଲାଲ ବେମାଲଙ୍କ ତତ୍ବାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହେଉଥିବାବେଳେ କଶୃପଡା ଆଞ୍ଚଳିକ ଯାଦବ କମିଟି ଓ ବ୍ଲକର ସମସ୍ତ ଆଞ୍ଚଳିକ କମିଟି, ବ୍ଲକ ଏବଂ ଏନଏସି କାର୍ଯ୍ୟକର୍ତ୍ତାମାନେ ସହଯୋଗ କରୁଛନ୍ତି। ନାମଯଜ୍ଞର କର୍ତ୍ତା ଦାଇତ୍ୱ ନିର୍ବାହ କରୁଛନ୍ତି ଅଶୋକ ପୋଢ ଓ ତାଙ୍କ ଧର୍ମପତ୍ନୀ ରଶ୍ମିତା ପୋଢ। ପଣ୍ଡିତ ଡୋଳାମଣି ରଥ, ବାଳକୃଷ୍ଣ ପାଢ଼ୀ ଓ ସହଯୋଗୀ ବୃନ୍ଦ ପୂଜନ କାର୍ଯ୍ୟ ସଂପାଦନ କରୁଛନ୍ତି। ଗିରିଗୋବର୍ଦ୍ଧନ ରାଧାକୃଷ୍ଣ ମନ୍ଦିରରେ ଚାଲିଥିବା ସ୍ବତନ୍ତ୍ର ପୂଜା ଦେଖିବା ସହ ଯଦୁପତିଙ୍କ ଦର୍ଶନ ପାଇଁ ଜିଲ୍ଲାର ପ୍ରାୟ ସମସ୍ତ ବ୍ଲକ ଯାଦବ ସମିତି ଓ ଜିଲ୍ଲା ଯାଦବ ମହାସଭା କର୍ମକର୍ତ୍ତାମାନଙ୍କ ସମାଗମ ଲାଗିରହିଛି। ନାମଯଜ୍ଞରେ ୧୪ଗୋଟି ଦଳ ଭାଗ ନେଇଥିବାବେଳେ ହରିନାମ ଶ୍ରବଣ କରିବାକୁ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହେଉଛି।





