ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ସଦର ମହକୁମା ସ୍ଥିତ ମିନି ଷ୍ଟାଡିଅମ ଠାରେ ଆସନ୍ତା ଜାନୁଆରୀ ୪ ତାରିଖରୁ ୩୨ତମ ସର୍ବ ଭାରତୀୟ ୱାଇ.ଏମ.ସି କପ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହେବାକୁ ଯାଉଛି। ଏନେଇ ଆଜି ମଧ୍ୟାହ୍ନରେ ଆୟୋଜକ ୱାଇ.ଏମ.ସି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରାଯାଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ୱାଇ. ଏମ. ସି କପ ଆବାହକ ତଥା ଜିଲ୍ଲା କ୍ରିକେଟ ସଂଙ୍ଘ ସାଧାରଣ ସମ୍ପାଦକ ଭୈରବ ସାହୁ, ୱାଇ. ଏମ. ସି ସଭାପତି ଅମରେଶ ଦାସ, ଜିଲ୍ଲା କ୍ରିକେଟ ସଙ୍ଘ ସଭାପତି ପ୍ରକାଶ ସାହୁ, ୱାଇ. ଏମ. ସି ସମ୍ପାଦକ ତପନ ବଗର୍ତି ପ୍ରମୁଖ ମଂଚାସୀନ ଥିଲେ। ତେବେ ଚଳିତ ବର୍ଷ ଆୟୋଜନରେ ୱାଇ.ଏମ.ସି ପକ୍ଷରୁ ନିମନ୍ତ୍ରିତ ସମସ୍ତ ଦଳରେ ରଣଜୀ ଖେଳାଳି ଅଛନ୍ତି। ଏହି ଟୁର୍ନାମେଣ୍ଟଟି ଆସନ୍ତା ଜାନୁଆରୀ ୪ ତାରିଖରୁ ଆରମ୍ଭ ହେଇବାକୁ ଥିବା ବେଳେ ୧୦ ତାରିଖରେ ଫାଇନାଲ ମ୍ୟାଚ ଖେଳାଯିବ। ଗ୍ରୁପ (ଏ) ଦଳରେ କେ.ଏଫ.ସି ରାଇପୁର, ଆଭାର ସମ୍ବଲପୁର, ଇଷ୍ଟ କୋଷ୍ଟ ରେଳବାଇ ଖୋର୍ଦ୍ଧା ଓ ଏସ.ଇ.ସି.ଆର.ଏସ.ଏ ବିଳାସପୁର ଦଳ ଥିବା ବେଳେ ଗ୍ରୁପ (ବି) ରେ ୱାଇ. ଏମ. ସି ନୂଆପଡା, ରାଇଜିଙ୍ଗ ସ୍ଟୁଡେଣ୍ଟ କଟକ, ଫରେଷ୍ଟ ଭିଲାଇ ଇ ଇଷ୍ଟର୍ଣ ରେଲୱେ ରାଞ୍ଚି ଦଳ ରହିଛନ୍ତି। ସର୍ବମୋର ୮ ଟି ଦଳ ୩୦ ଓଭର ବିଶିଷ୍ଟ ମ୍ୟାଚ ଖେଳିବେ। ଏହି ଟୁର୍ନାମେଣ୍ଟରେ ବିଜେତା ଦଳକୁ ନଗଦ ୮୦ ହଜାର ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯିବାକୁ ଥିବାବେଳେ ଉପ ବିଜେତା ଦଳ କୁ ୫୦ହଜାର ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯିବାକୁ ସ୍ଥିର କରାଯାଇଛି। ଆଜିର ଏହି ସମ୍ମିଳନୀରେ ସମ୍ମାନିତ ଅତିଥି ଭାବେ କ୍ଷୀରୋଧ ପାଢ଼ୀ, ସଞ୍ଜୟ ପୁରୋହିତ, ସୁରେଶ ସାହୁ, ସଞ୍ଜୟ ପଟ୍ଟନାୟକ, ରାଜେନ୍ଦ୍ର ବଢ଼େଇ, ସନ୍ତୋଷ ସୁପକାର, ବାବି ମହଲା, ରଂଜିତ ସୁନା, ପିଣ୍ଟୁ ଭୋଇ, ଅନିଲ ଦାସ, ଶ୍ରୀରାମ ମିଶ୍ର, ଜିତୁ ହୋତା, ଟିପୁ ଖାନ, ଜନି ହରପାଲ, ମୁକେଶ ସହିସ, ବାଲେଶ୍ୱର ମାଝୀ, ପ୍ରତିକ୍ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।