ସାଧାରଣତନ୍ତ୍ର ଦିବସ ପରେଡରୁ କାହିଁକି ବାଦ ପଡିଲେ ପଞ୍ଜାବ ଓ ପଶ୍ଚିମବଙ୍ଗ ପ୍ରଜ୍ଞାପନ ମେଢ; ଜାଣନ୍ତୁ କାରଣ..

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ-୨୦୨୪ ପରେଡରେ କର୍ତ୍ତବ୍ୟପଥରେ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନୀରେ ଅଂଶଗ୍ରହଣ କରିବାରୁ ବାଦ ପଡିଛନ୍ତି ପଞ୍ଜାବ ଓ ପଶ୍ଚିମବଙ୍ଗ । ଏହି ଦୁଇ ରାଜ୍ୟର ପ୍ରସ୍ତାବିତ ପ୍ରଜ୍ଞାପନ ମେଢକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଚୟନ କରିନାହିଁ । ଏହା ପରେ ଉଭୟ ରାଜ୍ୟ କେନ୍ଦ୍ର ସରକାରଙ୍କ ବିରୋଧରେ ପକ୍ଷପାତିତାର ଅଭିଯୋଗ ଆଣିଥିଲେ । ଏହାକୁ ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ସ୍ପଷ୍ଟୀକରଣ ରଖିଛି । ଉଭୟ ରାଜ୍ୟ ଦ୍ବାରା ପ୍ରସ୍ତୁତ ହୋଇଥିବା ପ୍ରଜ୍ଞାପନ ମେଢ଼ରେ ଚଳିତ ବର୍ଷର ସାଧାରଣତନ୍ତ୍ର ଦିବସର ଥିମ ସହ ବିଶେଷ ସମ୍ପର୍କ ନାହିଁ। ପ୍ରତିରକ୍ଷା ମନ୍ତ୍ରଣାଳୟ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାଗଓ୍ବନ୍ତ ମାନ୍‌ଙ୍କ ଅଭିଯୋଗ ସହ ଏହି ପ୍ରସଙ୍ଗରେ ବିସ୍ତୃତ ପ୍ରେସ୍‌ ରିଲିଜ୍‌ ଜାରି କରିଛି । ପଞ୍ଜାବ ସରକାର କେନ୍ଦ୍ର ନିକଟକୁ ପଠାଇଥିବା ପ୍ରସ୍ତାବିତ ପ୍ରଜ୍ଞାପନ ମେଢ଼କୁ ବିଶେଷଜ୍ଞ କମିଟି ଏକାଧିକ ପ୍ରର୍ଯ୍ୟାୟରେ ତର୍ଜମା କରିଥିଲା । କମିଟି ଦ୍ବାରା ତୃତୀୟ ପର୍ଯ୍ୟାୟ ସମୀକ୍ଷା ପର୍ଯ୍ୟନ୍ତ ଏହାକୁ ବିଚାରକୁ ନିଆଯାଇଥିଲା । ହେଲେ ଚଳିତ ବର୍ଷର ଥିମ ସହ ବ୍ୟାପକ ଦୃଷ୍ଟିଭଙ୍ଗୀ ନଥିବା କାରଣରୁ ଏହାକୁ ଚତୁର୍ଥ ପର୍ଯ୍ୟାୟରେ ବାଦ୍‌ ଦିଆଯାଇଛି । ସେହିପରି ପଶ୍ଚିମବଙ୍ଗ ସରକାରଙ୍କ ଦ୍ବାରା ପ୍ରସ୍ତାବିତ ମେଢ଼ ତୃତୀୟ ପର୍ଯ୍ୟାୟ ସମୀକ୍ଷାରୁ ବାଦ ପଡିଛି । ଉଭୟ ରାଜ୍ଯର ପ୍ରଜ୍ଞାପନ ମେଢ଼ ବାଦ ପଡିବା ପରେ କେନ୍ଦ୍ର ବିରୋଧରେ ପକ୍ଷପାତିତା ଅଭିଯୋଗ ଉଠିଥିଲା । କେନ୍ଦ୍ର ଏହା ମଧ୍ୟ ସ୍ପଷ୍ଟ କରିଛି ଯେ, ବିଶେଷଜ୍ଞଙ୍କୁ ନେଇ ଗଠିତ ଚୟନ କମିଟିର ଏକାଧିକ ପର୍ଯ୍ୟାୟର ସମୀକ୍ଷା ପରେ ମାତ୍ର ୧୫ରୁ ୧୬ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଜ୍ଞାପନ ମେଢକୁ ଚୂଡ଼ାନ୍ତ କରିଛି । ଏହି ପ୍ରଜ୍ଞାପନ ମେଢଗୁଡ଼କ ପରେଡରେ ଅଂଶଗ୍ରହଣ କରିବେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.