ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର (ପ୍ରଦୀପ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ପାଲଜୋର୍ ନିକଟ ଥୁଆମୂଳ ରାମପୁର-ଭବାନୀପାଟଣା ମୁଖ୍ୟ ରାସ୍ତାରେ ଏକ ଧାନ ବୋଝେଇ ଟ୍ରାକ୍ଟରରୁ ଖସି ଦୁଇଜଣ ଗୁରୁତର। ଯୁବ ସାମ୍ବାଦିକ ବୀରବଜ୍ରଙ୍ଗ ଚାରୁ ମଜୁମଦାର ନାଏକ ଘଟଣା ସ୍ଥଳରୁ ଉଦ୍ଧାର କରି ଏକ ଅଟୋ ଯୋଗେ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ମାନବିକତାର ପରିଚୟ ଦେଇଛନ୍ତି।ବର୍ତ୍ତମାନ ଦୁହିଁଙ୍କ ଚିକିତ୍ସା ଚାଲିଛି। ସୂଚନା ମୁତାବକ ଥୁଆମୂଳ ରାମପୁର ବ୍ଲକ ତଲାମପଦର ପଞ୍ଚାୟତ ଅଧିନ ନୁନରେସ୍ ଗାଁର ୧୨ ଜଣ ପୁରଷ ଓ ମହିଳା କିଛି ଦିନ ତଳେ ଧାନ କାଟିବା ପାଇଁ କଲମପୁରକୁ ଯାଇଥିଲେ। ଧାନ କାଟି ସାରି ନିଜ ନିଜ ପାରିଶ୍ରମିକ ପାଉଣା ସ୍ବରୁପ ଧାନ ବସ୍ତା ନେଇ ଏକ ଟ୍ରାକ୍ଟର ଯୋଗେ ନିଜ ଗାଁକୁ ଫେରୁଥିବା ବେଳେ ଏଭଳି ଅଘଟଣ ଘଟିଥିଲା। ଟ୍ରାକ୍ଟରରେ ବୋଝେଇ କିଛି ଧାନ ବସ୍ତା ଖସି ଯିବା ଫଳରେ ଟ୍ରାକ୍ଟର ଉପରେ ବସିଥିବା ଶ୍ରମିକ ମାନଙ୍କ ମଧ୍ୟରୁ ଝିରି ମାଝୀ (୪୦) ଏବଂ ମାଲାଡି ମାଝୀ (୨୫) ଚଳନ୍ତା ଗାଡିରୁ ଖସି ପଡିଥିଲେ। ଝିରି ମାଝୀଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ଅନ୍ୟ ଜଣେ ଆହତ ମହିଳା ମାଲାଡିଙ୍କ ଛାତିରେ ଆଘାତ ଲାଗିଥିବା ଜଣାପଡିଛି। ତାଙ୍କ ଛାତିରେ ଅଧିକ ଯନ୍ତ୍ରଣା ଭୋଗୁଥିବା ଦେଖି ଡାକ୍ତର ତାଙ୍କୁ ଏକ୍ସ-ରେ କରିବା ପାଇଁ କହିଛନ୍ତି।






