✍️ରଜତ ବଂଶଲ
କଳାହାଣ୍ଡି ଜିଲ୍ଲାର ଦଣ୍ଡପାଟ ଅଞ୍ଚଳ ତାହାର ପ୍ରାଚୀନ ଐତିହ୍ୟ, କଳା ସଂସ୍କୃତି, ପ୍ରଥା ପରମ୍ପରା ଓ ପ୍ରାକୃତିକ ସୁଷମା ପାଇଁ ବିଶ୍ୱବିଦିତ। ଗୁଡ଼ହାଣ୍ଡିର ପ୍ରାକ୍-ଐତିହାସିକ ଗୁମ୍ଫାଚିତ୍ରରୁ ଆରମ୍ଭ କରି ଡୋକରୀଚଞ୍ଚରାର ନୈସର୍ଗିକ ସୌନ୍ଦର୍ଯ୍ୟ କାଳେ କାଳେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସିଛି। ତେବେ ଅଞ୍ଚଳରେ ବିକଟ ଦାଦନ ସମସ୍ୟା ଭଳି ଅନେକ ଅନ୍ଧକାର ଦିଗ ମଧ୍ୟ ରହିଛି। ଏସବୁର ସଠିକ ଉପସ୍ଥାପନ ପାଇଁ ଏକ ପ୍ରକୃଷ୍ଟ ମଞ୍ଚ ପାଲଟିଛି ଦଣ୍ଡପାଟ ଅଞ୍ଚଳର କେନ୍ଦ୍ରସ୍ଥଳ ବେହେରାଠାରେ ଆୟୋଜିତ ଦଣ୍ଡପାଟ ଧନୁଯାତ୍ରା। ଏଠି ଏକତ୍ର ହୁଅନ୍ତି ମନ୍ତ୍ରୀ, ଯନ୍ତ୍ରୀ, ପ୍ରଶାସନିକ ଅଧିକାରୀ, ରାଜନେତା, କଳାକାର ତଥା ଅଞ୍ଚଳବାସୀ; ଯାହାକି ସାଂସ୍କୃତିକ ବିନିମୟ ତଥା ସମସ୍ୟା ସମାଧାନର ଏକ ପ୍ରମୁଖ ମଞ୍ଚ ପାଲଟିଛି। ଏଠାକାର ଯୁବଗୋଷ୍ଠୀର ପ୍ରୟାସରେ ଏହାର ସଫଳ ରୂପାୟନ ହୋଇପାରୁଛି।
ଦୀର୍ଘ ସାତ ଦିନର ଏହି ମହୋତ୍ସବ ଦେଖିବା ପାଇଁ ଆଖପାଖ ତଥା ଦୂର ଦୁରାନ୍ତରୁ ପ୍ରତ୍ୟେକ ଦିନ ହଜାର ହଜାର ଜନତା ସାମିଲ ହୋଇଥାନ୍ତି। ଡିସେମ୍ବର ମାସରେ ପାଳିତ ଏହି ଧନୁଯାତ୍ରାରେ ଶୀତ କାକରକୁ ନ ଡରି ଛୁଟି ଆସନ୍ତି ଦର୍ଶକଗଣ। ଚଳିତ ବର୍ଷ କଂସ ଭୂମିକାରେ ଅଭିନୟ କରୁଥିବା କଳାକାହ୍ନୁ ଚୌହାନଙ୍କ ଉଚ୍ଚକୋଟୀର ଅଭିନୟ ମୁଖ୍ୟ ଆର୍କଷଣର କେନ୍ଦ୍ର ହୋଇଥିବା ବେଳେ ମୀନାବଜାର ଦୋଳି, ଝୁଲଣ, ବ୍ରେକଡ୍ୟାନ୍ସ, ଡଙ୍ଗା ସହ ଭଳିକିଭଳି ଖାଦ୍ୟର ପସରାର ମଜା ନେଇଥାନ୍ତି ଦର୍ଶକ।
ପୌରାଣିକ କଥାବସ୍ତୁର ନାଟ୍ୟାଭିନୟ ଭାବେ ମଞ୍ଚସ୍ଥ ହୋଇଥାଏ ଦଣ୍ଡପାଟ ଧନୁଯାତ୍ରା। ଗୋପଲୀଳା, ପୁତନା ବଧ, ସଣ୍ଢାସୁର, ଶକଟାସୁର, ଅଘାସୁର, ବକାଶୁର ବଧ ତଥା ଗୋପାଙ୍ଗନାଙ୍କ ଦହିବିକା ଏବଂ କୃଷ୍ଣ ବଳରାମଙ୍କ ମଥୁରା ଗମନ, କଂସ ବଧ ଆଦି ଦୃଶ୍ୟ ଅତ୍ୟନ୍ତ ମର୍ମସ୍ପର୍ଶୀ ହୋଇଥାଏ। ଯାତ୍ରା ସମୟରେ ବେହେରା ଗାଁ କଂସଙ୍କ ମଥୁରା ପାଲଟୁଥିବାବେଳେ ମଝିପଡ଼ା ପାଲଟି ଥାଏ ଗୋପପୁର, ଦଣ୍ଡପାଟ ଅଞ୍ଚଳବାସୀ ଓ ବହିରାଗତ ଦର୍ଶକ ପାଲଟିଥାନ୍ତି ପ୍ରଜା। ଏହି ମଞ୍ଚରେ ମହାରାଜ ପ୍ରଜାମାନଙ୍କୁ ଦଣ୍ଡବିଧାନ ମଧ୍ୟ କରିଥାନ୍ତି। ଏଥିସହ ସୃଜନୀ ପ୍ରତିଭାର ବିକାଶ ନିମନ୍ତେ ଏକ କବି ସମ୍ମିଳନୀର ମଧ୍ୟ ଆୟୋଜନ କରାଯାଇଥାଏ। ଯେଉଁଥିରେ ଅଞ୍ଚଳର ବଭିନ୍ନ ପ୍ରାନ୍ତରୁ କବିମାନେ ସ୍ୱରଚିତ କବିତା ପାଠ କରି ସାହିତ୍ୟର ବିକାଶ ଦିଗରେ ଯୋଗଦାନ କରନ୍ତି। ଏହି ଉତ୍ସବରେ ଦଣ୍ଡପାଟର କଳା ସଂସ୍କୃତି ଯଥା ଘୁମୁରା, ବନାବାଡି, ବଜାଶାଲ, ମାଦଲି ଇତ୍ୟାଦି ଲୋକକଳାକୁ ଉଜ୍ଜୀବିତ କରି ରଖିବାର ଏକ ଅଭିନ୍ନ ପ୍ରୟାସ ଦେଖିବାକୁ ମିଳିଥାଏ। ଅଞ୍ଚଳର ବରେଣ୍ୟ ସାହିତ୍ୟିକ, ଲେଖକ, ରାଜନେତା, ଶିକ୍ଷକ, ଅଧ୍ୟାପକମାନଙ୍କ କଂସ ଦରବାରରେ ଅତିଥି ଭାବେ ଯୋଗଦାନ ସହ ଦଣ୍ଡପାଟର ଐତିହ୍ୟ ସଂସ୍କୃତି ବଖାଣ ଅତ୍ୟନ୍ତ ମନମୋହକ ହୋଇଥାଏ।
ସାଂସ୍କୃତିକ ଐତିହ୍ୟକୁ ବଞ୍ଚାଇ ରଖିବା ପାଇଁ ତାର ପ୍ରଦର୍ଶନ ଜରୁରୀ। ଏଥିପାଇଁ ଏକ ମଞ୍ଚର ଆବଶ୍ୟକତା ରହିଛି, ଯାହାକି ଦଣ୍ଡପାଟ ଧନୁଯାତ୍ରା ମହୋତ୍ସବ ଯୋଗାଇଦେଇଛି। ମଞ୍ଚଟିଏ ସେତେବେଳେ ସଫଳ ହୁଏ, ଯେତେବେଳେ ତାହା ଦର୍ଶକଙ୍କ ଆଖିର ପିତୁଳା ସାଜେ, ଦର୍ଶକ ତାକୁ ମନଭରି ଉପଭୋଗ କରିବାକୁ ବ୍ୟଗ୍ର ହୋଇଉଠେ। ଧନୁଯାତ୍ରା ଆଳରେ ଦଣ୍ଡପାଟ ଅଞ୍ଚଳର ସଂସ୍କୃତିକୁ ପ୍ରଦର୍ଶନ କରିବା ପାଇଁ ଏକ ଦର୍ଶକ ମଣ୍ଡଳୀ ମିଳିପାରିଛି। ଏହି ଦର୍ଶକ ମଣ୍ଡଳୀ ଧନୁଯାତ୍ରା ଦେଖିବା ସହ ଦଣ୍ଡପାଟର କଳା ସଂସ୍କୃତିକୁ ମନଭରି ଉପଭୋଗ କରନ୍ତି। ଯେଉଁ କଳାକାରଟିଏ ନିଜ କଳା ପ୍ରଦର୍ଶନ କରୁଥାଏ, ସେ ବି ମନ ଭିତରେ ବିପୁଳ ଉତ୍ସାହ ଓ ଆନନ୍ଦ ନେଇ ମଞ୍ଚରୁ ଓହ୍ଲାଇଥାଏ ଏବଂ ଆଗାମୀ ବର୍ଷ ପାଇଁ ନିଜକୁ ପ୍ରସ୍ତୁତ କରୁଥାଏ। ଏଣେ ଦର୍ଶକ ମଣ୍ଡଳୀରେ ଥିବା ସୁପ୍ତ କଳାକାର ନିଜକୁ ଜାଗ୍ରତ କରୁଥାଏ ଆଗାମୀ ବର୍ଷରେ ମୁହଁରେ ରଙ୍ଗ ବୋଳିହୋଇ ମଞ୍ଚକୁ ଯିବା ପାଇଁ। ଏହା ପୁଣି ମୋବାଇଲ ମାୟାରେ ମଜ୍ଜି ଆମ ସଂସ୍କୃତିରୁ ଦୁରେଇ ଯାଉଥିବା ଯୁବପିଢ଼ି ଭିତରେ ଦଣ୍ଡପାଟ ସଂସ୍କୃତିର ପ୍ରଚାର ପ୍ରସାର ସହ ଆଗ୍ରହ ବୃଦ୍ଧି କରୁଥାଏ।
କେବଳ ଏତିକି ନୁହେଁ, ଏହି ଧନୁଯାତ୍ରା ମହୋତ୍ସବ ଦଣ୍ଡପାଟ ଅଞ୍ଚଳର ବିଭିନ୍ନ ସମସ୍ୟା ସମାଧାନର ରାହା ମଧ୍ୟ ଦେଖାଇଥାଏ। ଦରବାରକୁ ଆସୁଥିବା ପ୍ରଶାସନିକ ଅଧିକାରୀ ଓ ରାଜନେତାଙ୍କ ସମ୍ମୁଖରେ କଂସ ମହାରାଜ ଅଞ୍ଚଳର ବିଭିନ୍ନ ପ୍ରସଙ୍ଗ ଉତ୍ଥାପନ କରି ତାହାର ସମାଧାନ ପାଇଁ ଆଦେଶ ଦେଇଥାନ୍ତି। ଦଣ୍ଡପାଟ ଅଞ୍ଚଳରେ ବିଭିନ୍ନ ପର୍ବପର୍ବାଣୀ ପାଳନ କରାଯାଏ।ସେଥିମଧ୍ୟରୁ ଦୁର୍ଗା ପୂଜା, ଦଶରା, ନୂଆଁଖାଇ ପାରମ୍ପରିକ ଭାବେ ଘରେ ଘରେ ପାଳନ କରାଯାଏ। ଏଥିସହ ସାର୍ବଜନୀନ ଦୁର୍ଗାପୂଜା ମଧ୍ୟ ପାଳିତ ହୋଇଥାଏ। ଏବେ ଧନୁଯାତ୍ରାକୁ ନେଇ ଦଣ୍ଡପାଟ ଅଞ୍ଚଳରେ ଏକ ନୂତନ ପରମ୍ପରା ସୃଷ୍ଟି ହେଉଥିବା କୁହାଯାଉଛି। ଲୋକସଂସ୍କୃତିର ବାର୍ତ୍ତାବହ ଭାବେ ଏହା ଧୀରେ ଧୀରେ ଲୋକାଭିମୁଖୀ ହେବାକୁ ଲାଗିଛି। ଏହି ମହୋତ୍ସବ ଅଞ୍ଚଳ ପାଇଁ ଏକ ନୂତନ ପରିଚୟ ସୃଷ୍ଟି କରିବା ସହ କଳାହାଣ୍ଡି ତଥା ବାହାର ଜିଲ୍ଲାରେ ନିଜର ସ୍ୱତନ୍ତ୍ର ପରିଚୟ ବିସ୍ତାର କରିଚାଲିଛି। ଏହାକୁ ଆହୁରି ପ୍ରୋତ୍ସାହନର ଆବଶ୍ୟକତା ରହିଛି।