ତୁମେ ଖୋଜୁଥିବ ଆଖିର ଲୁହରେ
ବିଗତ ଦିନର ସ୍ମୃତି
ମୁଁ’ ପାଉଥିବି ବିରହତା ମଧ୍ୟେ,
ନୂଆ ଏକ ଆତ୍ମତୃପ୍ତି ।
ତୁମେ ଦେଖୁଥିବ ମନ ଆଇନାରେ
ସେଇ ମଧୁଭରା ଛବି
ମୋ’ ହୃଦୟ ଦୁଃଖ ବଖାଣିବା ପାଇଁ,
ସାଜିଥିବି ମୁହିଁ କବି ।
ତୁମେ ପଢୁଥିବ ସାଇତା ଚିଠିରୁ
ମୋ’ ହୃଦୟ କଥା ନିତି
ମୁହିଁ ଏଠି ପୁଣି ତୁମରି ନାଆଁରେ,
ଲେଖୁଥିବି ପ୍ରେମଗୀତି ।
ଆମେ ଦୁହେଁ ପରା ଏଇ ଦୁନିଆଁରେ
ଦୁଇ ସମାନ୍ତର ରେଖା
ମିଶିବା ଆମର ଅସମ୍ଭବ ଅଟେ,
ଆଗରୁ ରହିଛି ଲେଖା ।