ଅଖିଳଚକ୍ର ପକ୍ଷରୁ କବି କୃଷ୍ଣ କୁମାର ମହାନ୍ତି ପାଇବେ ରବୀନ୍ଦ୍ର ପାଢୀ କବିତା ପୁରସ୍କାର

ମକରମିଳନରେ ପ୍ରଦାନ କରାଯିବ ଅଖିଳଚକ୍ର ସମ୍ମାନ ଓ ପୁରସ୍କାର

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଅଖିଳଚକ୍ର ଅନୁଷ୍ଠାନ ପକ୍ଷରୁ ଚଳିତବର୍ଷ ମକରମିଳନରେ ଯାଜପୁର ବରଉଣଏଶ୍ଵର ପୀଠରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ସାରସ୍ଵତ ସମାରୋହରେ କବି କୃଷ୍ଣ କୁମାର ମହାନ୍ତିଙ୍କୁ ‘ରବୀନ୍ଦ୍ର ପାଢୀ କବିତା ସମ୍ମାନ’ ପ୍ରଦାନ କରାଯିବ ବୋଲି ଅଖିଳଚକ୍ର ସମ୍ପାଦକ ହରେକୃଷ୍ଣ ପଣ୍ଡା ଓ ଉପ ସଭାପତି କବି ଶ୍ରୀହରି ଧଳ ଜଣାଇଛନ୍ତି।

ପ୍ରତିବର୍ଷ ମକର ସଂକ୍ରାନ୍ତି ଅବସରରେ ଅଖିଳଚକ୍ର ଅନୁଷ୍ଠାନ ପକ୍ଷରୁ ରାଜ୍ୟସ୍ତରୀୟ ସାରସ୍ଵତ ସମାରୋହ, ମକର ସମ୍ବର୍ଦ୍ଧନା ଏବଂ କବିତା ପାଠୋତ୍ସବ ଆୟୋଜିତ ହୋଇଥାଏ। ଚଳିତ ବର୍ଷ ଅନ୍ୟାନ୍ୟ ସମ୍ମାନ ସହିତ ଶ୍ରୀ ମହାନ୍ତିଙ୍କୁ କବିତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ରବୀନ୍ଦ୍ର ପାଢୀ କବିତା ସମ୍ମାନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯିବ।
ଶ୍ରୀମହାନ୍ତି ବାଲେଶ୍ଵର ସମେତ ସମଗ୍ର ଓଡ଼ିଶାର ଜଣେ ଜଣାଶୁଣା କବି ଭାବରେ ପରିଚିତ। ସେ କେବଳ କବିତା ଲେଖନ୍ତି ନାହିଁ, ସେ ମଧ୍ୟ ଗପ ଲେଖନ୍ତି ଏବଂ ସମ୍ପାଦନା କରନ୍ତି। ବର୍ତ୍ତମାନ ସେ ବାଲେଶ୍ଵରରୁ ପ୍ରକାଶ ପାଉଥିବା ମାସିକ ପତ୍ରିକା ‘ରେବତୀ’ର ସହଯୋଗୀ ସମ୍ପାଦକ ଭାବେ କାର୍ଯ୍ୟ କରୁଛନ୍ତି।
ତାଙ୍କର ଏହି ସଫଳତାରେ ବାଲେଶ୍ଵରର କବି ଓ ଲେଖକଙ୍କ ମଧ୍ୟରେ ଆନନ୍ଦ ଦେଖା ଯାଇଥିବା ବେଳେ ଶ୍ରୀ ମହାନ୍ତିଙ୍କୁ ଅଭିନନ୍ଦନର ସୁଅ ଛୁଟିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.