ଓଡ଼ିଆ ବାର୍ତ୍ତା/ କଲମପୁର (ଶରତ ଚନ୍ଦ୍ର ସୁନାନି): ଅଲ୍ ଇଣ୍ଡିଆ ଡ୍ରାଇଭର ମହାସଂଘର ଆହ୍ବାନ କ୍ରମେ ଓଡ଼ିଶା ଡ୍ରାଇଭର ସଂଘ ଷ୍ଟେରିଂ ଛାଡ ଆନ୍ଦୋଳନକୁ ଓହ୍ଲାଇଛନ୍ତି। କିଛିଦିନ ତଳେ କେନ୍ଦ୍ର ସରକାର ଡ୍ରାଇଭରଙ୍କ ପାଇଁ ଏକ ବିଲ୍ ପାସ୍ କରିଛନ୍ତି, ଯାହା ଡ୍ରାଇଭର ସଂଘ ଅସନ୍ତୋଷ ପ୍ରକାଶ କରିଛି। ଏଥିରେ ଦୁର୍ଘଟଣାଜନିତ ମାମଲାରେ ଡ୍ରାଇଭରଙ୍କ ପାଇଁ ୭ ଲକ୍ଷ ଟଙ୍କା ଜୋରିମାନା ସହିତ ୧୦ ବର୍ଷ କାଳ କାରାଦଣ୍ଡ ବିଧି ବ୍ୟବସ୍ଥା ରହିଛି। ଏପରିକି ଦୁର୍ଘଟଣାଗ୍ରସ୍ତ ସମୟରେ ଡ୍ରାଇଭର ପଳାୟନ କରେ ସେଥପ୍ରତି ମଧ୍ୟ ଦୃଢ଼ ଆଇନ ପ୍ରଣୟ ହୋଇଥିବା ବ୍ୟବସ୍ଥା ରହିଛି। ଯାହାକୁ ଡ୍ରାଇଭର ସଂଘ ଘୋର ବିରୋଧ କରିଛି। ଏହି ଆଇନ କେବଳ ଡ୍ରାଇଭରଙ୍କୁ କ୍ଷିଣୀତ କରିବା ସହ ତାଙ୍କ ପ୍ରତି କେନ୍ଦ୍ର ସରକାର ଜାଣିଶୁଣି ଅନ୍ୟାୟ କରିଥିବା ସଂଘ ଅଭିଯୋଗ କରିଛି। ଅନ୍ୟପଟେ ରାଜ୍ୟ ସରକାରଙ୍କ ନିକଟରେ ବିଗତ ଦିନମାନଙ୍କରେ ଅନେକ ଦାବି ସଂଘ ଉପସ୍ଥାପନ କରିଛି। ଏପରିକି ଅନେକ ଦାବିକୁ ସରକାର ମାନି ନେଉଥିଲେ ହଁ ଆଜିଯାଏ ଲାଗୁ କରି ନଥିବା ସଂଘ କ୍ଷୁବ୍ଧ ପ୍ରକାଣ କରିଛି।ଓଡ଼ିଶାରେ ଆଜି ଯାଏ ମୋଟ ୬୦ଜଣ ଡ୍ରାଇଭର ଦୁର୍ଘଟଣା ଜନିତରେ ମୃତ୍ୟୁ ହୋଇଥିଲେ ମଧ୍ୟ ସରକାରଙ୍କ ମୁତାବକ ମୃତ ପରିବାରକୁ ସହାୟତା ପ୍ରଦାନ କରାଯାଇନାହିଁ। ଡ୍ରାଇଭରଙ୍କ ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅଣଦେଖା କରୁଥିବା ଓ ନୂତନ ଆଇନ ପ୍ରଣୟନ କରିବା ଦୁର୍ଭାଗ୍ୟ ଜନକ ବୋଲି ସଂଘ ପ୍ରକାଶ କରିଛି।ଆଜି କଲମପୁର ବ୍ଲକ ସଭାପତି ଅବନୀ ଶବରଙ୍କ ନେତୃତ୍ୱରେ କଲମପୁର ବଜାର ପଡ଼ିଆ ଠାରେ ଶହ ଶହ ଡ୍ରାଇଭର ଏକତ୍ରିତ ହୋଇ ଷ୍ଟରିଙ୍ଗ ଛାଡ ଆନ୍ଦୋଳନକୁ ସମର୍ଥନ କରି ନାରାବାଜି କରିଥିଲେ ଓ କେନ୍ଦ୍ର ସରକାରଙ୍କ ନୂତନ ବିଲ ପ୍ରତ୍ୟାହାର କରିବାକୁ ଦାବି ଜଣାଇଛନ୍ତି। ଏପରିକି ଓଡ଼ିଶା ସରକାର ଦେଇଥିବା ପ୍ରତିଶୃତି ତୁରନ୍ତ କାର୍ଯ୍ୟକାରୀ କରିବା ଓ କେନ୍ଦ୍ର ସରକାରଙ୍କ ନୂତନ ଵିଲ୍ ପ୍ରତ୍ୟାହାର ନ କରିବା ଯାଏ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଷ୍ଟରୀଙ୍ଗ ଛାଡ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ଦାବି ରଖିଛି। ଉକ୍ତ ଆନ୍ଦୋଳନରେ ବ୍ଲକ ସଭାପତି ଅବନୀ ଶବରଙ୍କ ସହିତ ଉପସଭାପତି ରଘୁନାଥ ମାଝୀ, ସଂପାଦକ ତିଳ ପାତ୍ର, କୋଷାଧ୍ୟକ୍ଷ ମଧୁ ମାଝୀ,ଆଡମିନ୍ ଯୁବରାଜ ହଂସ ସମେତ ବ୍ଲକର ସମସ୍ତ ଡ୍ରାଇଭାର ଉପସ୍ଥିତ ରହି ଆନ୍ଦୋଳନ କୁ ସମର୍ଥନ ଜଣାଇଥିଲେ। ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ଗାଡ଼ି, ମୋଟର ଚଳାଚଳ ବନ୍ଦ ଥିବା ହେତୁ କଲମପୁର ଅଞ୍ଚଳରେ ଲୋକେ ନାହିଁ ନଥୁବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଦେଇଛି।