ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡ଼ା ଥାନା ଧାମନପୁରୀ ଗାଁ ନିକଟ ଜାତୀୟ ରାଜପଥ ୩୫୩ ଉପରେ ବାଇକକୁ ଏକ ଟ୍ରକ ଧକ୍କା ଦେଇଛି । ଏଥିରେ ୫ ବର୍ଷର ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ବେଳେ ବାପା ଓ ଜେଜେ ମା ଗୁରୁତର ଆହତ ହୋଇଛନ୍ତି । ମୃତକ ଶିଶୁ କାଣ୍ଡେତରା ଗାଁର ହିତେଶ ସାହୁ(୫), ଗୁରୁତର ବାପା କାହ୍ନୁଲାଲ ସାହୁ(୩୫) ଓ ଜେଜେ ମା ରାମଶିଳା ସାହୁ(୬୫) ବୋଲି ଜଣାପଡିଛି । ତେବେ ଏନେଇ ନୂଆପଡ଼ା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ପ୍ରକଶ କରିଛି । ପ୍ରକାଶ ଯେ ଆଜି ମଧ୍ୟାହ୍ନରେ କାଣ୍ଡେତରା ଗାଁର କାହ୍ନୁଲାଲ ଓ ପୁଅ ହିତେଶ କୌଣସି କାମରେ ଖରିଆରରୋଡ଼କୁ ବାଇକରେ ଯାଇଥିଲେ । ସେଠାରୁ କାହ୍ନୁଲାଲଙ୍କ ଭାଇଙ୍କ ଶାଶୁ ରାମଶିଳାଙ୍କୁ ଧରି କାଣ୍ଡେତରା ଗାଁକୁ ଫେରୁଥିଲେ । ଜାତୀୟ ରାଜପଥ ୩୫୩ ଧାମନପୁରୀ ଗାଁ ଛକ ନିକଟରେ ଏକ ସିମେଣ୍ଟ ବୋଝେଇ ଟ୍ରକ ଦ୍ରୁତଗତିରେ ଆସି ବାଇକକୁ ପଛପଟୁ ଧକ୍କା ଦେଇ ଚାଲି ଯାଇଥିଲା । ଏଥିରେ ବାଇକ ଆରୋହି ମାନେ ଛିଟିକି ପଡି ଶିଶୁ ହିତେଶ ଟ୍ରକ ଚକ ତଳେ ପସିଯାଇ ଖଣ୍ଡ ବିଖଣ୍ଡିତ ହୋଇ ଘଟଣା ସ୍ଥଳରେ ହିଁ ତାର ମୃତ୍ୟୁ ହୋଇଯାଇଥିଲା । ଅନ୍ୟପକ୍ଷରେ ବାପା କାହ୍ନୁଲାଲ ଓ ଜେଜେ ମା ରାମଶିଳା ଗୁରୁତର ଆହତ ହୋଇଛନ୍ତି । ଏହି ଖବର ପାଇ ନୂଆପଡ଼ା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶିଶୁ ଟିର ମୃତଦେହକୁ ଜବତ କରିବା ସହ ବାପା ଓ ଜେଜେ ମାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ଏହି ଦୁର୍ଘଟଣାରେ କାହ୍ନୁଲାଲ ଓ ରାମଶିଳାଙ୍କ ଗୋଡ ଭାଙ୍ଗିବା ସହ ଦେହ ଓ ମୁହଁରେ କ୍ଷତ ଲାଗିଛି । ତେବେ ଦୁର୍ଘଟଣାକାରୀ ଟ୍ରକ ଫେରାର ମାରିବାରେ ଅସଫଳ ହୋଇଛି । ନୂଆପଡା ପୋଲିସ ତରବୋଡ଼ ଠାରେ ଟ୍ରକଟି କୁ କାବୁ କରିଛି ଓ ଅଧିକ ଛାନବିନ କରୁଥିବା ନୂଆପଡା ଆଇ ଆଇ ସି ଦିଲୀପ ସାହୁ ସୂଚନା ପ୍ରଦାନ କାରିଛନ୍ତି |