ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧୁ ମହାନ୍ତିଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ପ୍ରଥମେ ଖରିଆର ରୋଡ, ପରେ ନୂଆପଡା, କୋମନା ଓ ଖଡ଼ିଆଳରେ ତାଙ୍କୁ ତାଙ୍କର ସମର୍ଥକଙ୍କ ଦ୍ୱାରା ସ୍ୱାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ନୂଆପଡା ସହର ଏକତା ଛକଠାରେ ଶତାଧିକ ମହିଳା ମଧୁ ମହାନ୍ତିଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ। ଶ୍ରୀ ମହାନ୍ତି ଏକତା ଛକ ସ୍ଥିତ ପୂର୍ବତନ ମନ୍ତ୍ରୀ ସ୍ୱାଗତ ଘାସିରାମ ମାଝୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ ଉପସ୍ଥିତ ଜନସମୂହକୁ ସମ୍ବୋଧିତ କରିଥିଲେ। ସେ କହିଥିଲେ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ କଳାହାଣ୍ଡି ଓ ନୂଆପଡା ଜିଲ୍ଲା ଅବହେଳିତ ନ ରହୁ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସବୁ ଲୋକଙ୍କ ପାଖକୁ ପହଂଚି ପାରୁନାହିଁ। ଜନତା ଆଶୀର୍ବାଦ କଲେ ବିଧାୟକ ଓ ସାଂସଦର ପରିଭାଷାକୁ ବଦଳାଇ ଦେଖାଇବି ବୋଲି ଶ୍ରୀ ମହାନ୍ତି କହିଥିଲେ। ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଜନ୍ମିତ ମଧୁ ମହାନ୍ତି ଜଣେ ବରିଷ୍ଠ ସମାଜସେବୀ। ଡିଭାଇନ କଳାହାଣ୍ଡିର ଆବାହକ ଭାବେ ସେ ଘରେ ଘରେ ପରିଚିତ ମୁହଁ।




