ଜୁନାଗଡ଼ ରାଜନୀତିରେ ହଟଚମଟ: କ୍ୟାପଟେନଙ୍କ ସହ ହେବ ବିଜେପି ଓ କଂଗ୍ରେସର ବିଗ୍ ଫାଇଟ୍

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): କଳାହାଣ୍ଡି ଜିଲ୍ଲାର ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ଜୁନାଗଡ଼ ଏଥର ଦେଖିବ ବିଗ୍ ଫାଇଟ୍। ବିଜେଡ଼ି ପ୍ରାର୍ଥୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ସହ ଏଥର ଜୋରଦାର ଲଢେ଼ଇ କରିବେ ବିଜେପି ଓ କଂଗ୍ରେସ ପ୍ରାର୍ଥୀ। ଏପରି ଚର୍ଚ୍ଚା ଆଲୋଚନା ଜୁନାଗଡ଼ ରାଜନୀତିକୁ ସରଗମ କରିଦେଇଛି। ୨୦୨୪ ସାଧାରଣ ନିର୍ବାଚନ ପାଇଁ ତିନି ପ୍ରମୁଖ ଦଳ ଜୁନାଗଡ଼ରେ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି। ଗତ ନିର୍ବାଚନରେ ବିଜେଡ଼ି ଟିକେଟରୁ ବିଜୟୀ ହୋଇ ବିଧାୟକ ହୋଇଥିବା କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ପୁଣି ରିପିଟ କରିଛି ଦଳ। କ୍ୟାପଟେନ ମିଶ୍ର ଦୁଇଥର ବିଧାୟକ ହୋଇ ସାରାଥିବା ବେଳେ ଓଡ଼ିଶା ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ରହି ଆସିଛନ୍ତି। ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ନିର୍ମଳ ଭାବମୂର୍ତ୍ତି ସହ ବିଗତ ୧୦ ବର୍ଷରେ ଜୁନାଗଡ଼ର ବିକାଶକୁ ପାଥେୟ କରି ନିର୍ବାଚନ ଯୁଦ୍ଧ ଜିତିବାକୁ ପ୍ରୟାସ କରିବେ କ୍ୟାପଟେନ। ଓଡ଼ିଶା ରାଜନୀତିରେ ନିଜର ସ୍ବତନ୍ତ୍ରତା ପ୍ରତିପାଦନ କରି ପାରିଥିବା ଦିବ୍ୟଶଙ୍କର ଏଥର ଜୁନାଗଡ଼ରେ ବିଜେଡ଼ିର ଦୁର୍ଗକୁ ସୁରକ୍ଷିତ ରଖିବା ପାଇଁ ବ୍ୟୁହ ରଚନା କରିବେ।

କ୍ୟାପଟେନଙ୍କୁ ଚେକ୍ ଦେବାପାଇଁ ବିଜେପି ସ୍ଥାନୀୟ ନେତୃତ୍ବ ତଥା ଗତ ନିର୍ବାଚନରେ ପରାଜିତ ହୋଇଥିବା ମନୋଜ ମେହେରଙ୍କୁ ମଇଦାନକୁ ଓହ୍ଲାଇଛି। ତୃଣମୂଳ ସ୍ତରରେ ଶ୍ରୀ ମେହେରଙ୍କ ଉତ୍ତମ ଜନସଂପର୍କ ଥିବା କୁହାଯାଉଛି। କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାର ବାର୍ତ୍ତା ଘରେ ଘରେ ପହଞ୍ଚି ସାରିଛି, ଯାହା ଉଭୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ପ୍ଲସ ପଏଣ୍ଟ ହୋଇପାରେ। ତେଣୁ ୨୦୧୯ ନିର୍ବାଚନ ଅପେକ୍ଷା ଏଥରର ନିର୍ବାଚନ ବିଜେପି ପାଇଁ ଅଧିକ ମଙ୍ଗଳ ଦାୟକ ହେବ ବୋଲି କୁହାଯାଉଛି।

ଏପଟେ କଂଗ୍ରେସ ଏକ ଭିନ୍ନ ଧରଣର ରଣନୀତି ନେଇ ଗୋଲାମୁଣ୍ଡା ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତୁଲେଶ୍ୱର ନାଏକଙ୍କୁ ଜୁନାଗଡ଼ ବିଧାନସଭା ପାଇଁ ଟିକେଟ ଦେଇଛି। ମାଳି ସମାଜର  ସଂଗଠକ ତଥା ବିଶିଷ୍ଟ ସମାଜସେବୀ ଭାବେ ଜନମାନସରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ଶ୍ରୀ ନାଏକ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତାକୁ ମୁଦ୍ଦା କରି ନିର୍ବାଚନ ବୈତରଣୀ ପାରି ହେବା ଚକ୍କରରେ ରହିଛି କଂଗ୍ରେସ। ୮ ରାଜ୍ୟର ପ୍ରଭାରୀ ତଥା ପ୍ରଦେଶ କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ଭକ୍ତ ଚରଣ ଦାସ ଏଥର ନର୍ଲା ବିଧାନସଭା କ୍ଷେତ୍ରରେ ଲଢୁଥିବାରୁ ପୁରା ଉତ୍ସାହିତ ଅଛନ୍ତି କର୍ମୀ। ଭକ୍ତ ଦାସଙ୍କ ରଣନୀତି ଯୋଗୁଁ ଏଥର ଜୁନାଗଡ଼ ରାଜନୀତି ମଧ୍ୟ ଭିନ୍ନ ମୋଡ଼ ନେଇପାରେ।

ଅନ୍ୟପକ୍ଷରେ କେତେକ ବିଶେଷ କାରଣ ଯୋଗୁଁ ବିଜେଡ଼ିର ଅନେକ ବରିଷ୍ଠ କାର୍ଯ୍ୟକର୍ତ୍ତା ଓ କର୍ମୀମାନେ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଛି। ତେବେ ବିଜେଡ଼ି ଜୁନାଗଡ଼ରେ ନିଜ ଦୁର୍ଗ ରକ୍ଷା କରିବାକୁ ରଣନୀତି ପ୍ରସ୍ତୁତ କରି ରହିଥିବାବେଳେ ଦୁର୍ଗ ଅଧିକାର କରିବାକୁ ଫୁଲ୍ ଦମରେ ଲାଗି ପଡ଼ିବେ ବିରୋଧି ବିଜେପି ଏବଂ କଂଗ୍ରେସ। ତେଣୁ ଏଥର ଜୁନାଗଡ଼ରେ ବିଗ୍ ଫାଇଟ୍ ହେବ ବୋଲି ଚର୍ଚ୍ଚା ଆଲୋଚନା ଜୋର ଧରିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.