ନର୍ଲା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ ବିଜେଡ଼ି : ଆଶା ଆଶଙ୍କାରେ ଆଶାୟୀ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଚଳିତ ସାଧାରଣ ନିର୍ବାଚନ ପାଇଁ ବିଜେଡ଼ି କଳାହାଣ୍ଡି ଲୋକସଭା କ୍ଷେତ୍ରର ୭ ଗୋଟି ବିଧାନସଭା ଆସନ ମଧ୍ୟରୁ ନର୍ଲା ଆସନକୁ ଛାଡ଼ି ଅନ୍ୟ ୬ଟିରେ ପ୍ରାର୍ଥୀ ଘୋଷଣା କରି ସାରିଛି। ନର୍ଲା ଆସନକୁ ବିଜୁ ଜନତା ଦଳ ଝୁଲେଇ ରଖି ଥିବାରୁ ଆଶାୟୀମାନେ ଦ୍ୱନ୍ଦ୍ୱରେ ଅଛନ୍ତି। ବିଜେଡ଼ି କଳାହାଣ୍ଡି ଲୋକସଭା ସାଂସଦ ପ୍ରାର୍ଥୀ ଭାବେ ଲମ୍ବୋଦର ନିଆଲଙ୍କୁ ଟିକେଟ ଦେଇଥିବାବେଳେ ଜୁନାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ନୂଆପଡ଼ାରେ ରାଜେନ୍ଦ୍ର ଢୋଲକିଆ ଓ ଲାଞ୍ଜିଗଡ଼ରେ ପ୍ରଦୀପ ଦିଶାରୀଙ୍କୁ ପୁଣି ରିପିଟ କରିଛି। ଧର୍ମଗଡ଼ରେ ବିଧାୟକ ମୌଷଧୀ ବାଗଙ୍କ ଟିକେଟ କାଟି ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓଙ୍କୁ ପ୍ରାର୍ଥୀ କରିଛି। ଭବାନୀପାଟଣାରେ ନାରୀ ନେତ୍ରୀ ଲଳିତା ନାଏକ ଏବଂ ଖଡ଼ିଆଳ ଆସନରେ ହାତ ଛାଡ଼ି ଶଙ୍ଖ ଧରିଥିବା ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀଙ୍କ ଟିକେଟ ପ୍ରଦାନ କରିଛି ବିଜେଡ଼ି। ଇତି ମଧ୍ୟରେ ବିଜୁ ଜନତା ଦଳ ଦୁଇଟି ପର୍ଯ୍ୟାୟରେ ପ୍ରାର୍ଥୀ ଘୋଷଣା କରିଛି, କିନ୍ତୁ ଏଥିରେ ନର୍ଲା ଆସନର ନାଁ ନାହିଁ। ବିଜେଡ଼ିର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଉପରେ ସମସ୍ତଙ୍କ ନଜର ରହିଥିବାବେଳେ ଆଶା ଆଶଙ୍କାର ଦୋଛକିରେ ରହିଛନ୍ତି ଆଶାୟୀ। ଏଥର ନର୍ଲା ଆସନ ପାଇଁ ବିଜେଡ଼ି ଟିକେଟ ଆଶାୟୀଙ୍କ ଲମ୍ବା ତାଲିକା ରହିଛି। ୨୦୧୯ ନିର୍ବାଚନରେ ବିଜେଡ଼ି ଟିକେଟରୁ ନର୍ଲା ଆସନରେ ବିଜୟୀ ହୋଇଥିବା ବିଧାୟକ ଭୁପିନ୍ଦର ସିଂ ପୁଣି ଟିକେଟ ଆଶାରେ ରହିଛନ୍ତି। ଏପଟେ ସ୍ଥାନୀୟ ପ୍ରାର୍ଥୀତ୍ଵ ପ୍ରସଙ୍ଗ ଉଠିଥିବାରୁ ଜନସାଧାରଣଙ୍କ ସୁଖଃ ଦୁଃଖରେ ସାଥି ହୋଇ ପାରୁଥିବା ସ୍ଥାନୀୟ ନୂଆ ଚେହାରାଙ୍କୁ ମଧ୍ୟ ପ୍ରାଧାନ୍ୟ ଦିଆଯିବାର ସମ୍ଭାବନାକୁ ଆଡେଇ ଦିଆଯାଇ ପାରିବ ନାହିଁ। ଆଶାୟୀ ପ୍ରାର୍ଥୀ ମଧ୍ୟରେ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓଙ୍କ ସମେତ ଚିତ୍ତରଞ୍ଜନ ମଣ୍ଡଳ, ହରିଶଙ୍କର ମାଝୀ ଆଦି ଅନେକ ନେତାଙ୍କ ନାମ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ପରିସରକୁ ଆସୁଛି। ବିଜେଡ଼ି ଯଦି ନର୍ଲା ଆସନ ପାଇଁ ମହିଳା ତଥା ସ୍ଥାନୀୟ ପ୍ରାର୍ଥୀତ୍ଵକୁ ଗୁରୁତ୍ବ ଦିଏ ତେବେ ମନୋରମାଙ୍କୁ ଟିକେଟ ମିଳିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଏପରି ସ୍ଥଳେ ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ କାହାକୁ ପ୍ରାର୍ଥୀ କରିବ ସେଥିପ୍ରତି ସମସ୍ତଙ୍କର ନଜର ରହିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.