ସ୍ୱେଚ୍ଛାକୃତ ଭାବେ ରକ୍ତଦାନ ପାଇଁ ଯୁବ ଗୋଷ୍ଠୀଙ୍କୁ ଆହ୍ୱାନ
ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ହିରଣ୍ୟ ବେହେରା): ପଞ୍ଚାୟତ ମହା ବିଦ୍ୟାଳୟ ଧର୍ମଗଡ଼ର ଯୁବ ରେଡକ୍ରସ ଓ ରେଡରିବନ କ୍ଲବ ଆନୁକୂଲ୍ୟରେ ଏଡସ୍ ସଚେତନତା ଓ ସ୍ବେଛାକୃତ ରକ୍ତଦାନ ପ୍ରୋତ୍ସାହନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଏସ୍ ଜଗନ୍ନାଥ ରାଓଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଯୁବ ରେଡକ୍ରସ୍ ଏବଂ ରେଡ୍ ରିବନ କ୍ଲବ୍ ସଂଯୋଜକ ଶାନ୍ତନୁ କୁମାର ପରିଡ଼ା, ମୁଖ୍ୟବକ୍ତା ଭାବେ ଇଂରାଜୀ ଅଧ୍ୟାପକ ଲିଙ୍ଗରାଜ ପାତ୍ର, ସମ୍ମାନୀତ ଅତିଥି ଭାବେ ସ୍ବାମୀ ଚିଦାନନ୍ଦ +୨ ମହାବିଦ୍ୟାଳୟ କରଚଲାର ଯୁବ ରେଡକ୍ରସ ପରାମର୍ଶଦାତା କ୍ୟାପଟେନ ଭବାନୀ ଶଙ୍କର ପଣ୍ଡା ଓ ଲଖିରାମ +୨ ମହାବିଦ୍ୟାଳୟ, ବେହେରାର ଯୁବ ରେଡକ୍ରସ୍ ପରାମର୍ଶଦାତା ମୋହନ ଚରଣ ବିଶି ପ୍ରମୁଖ ଯୋଗ ଦେଇଥିଲେ। ଜନ ସାଧାରଣ ସଚେତନ ହେଲେ ଏଡ଼ସ ନିରାକରଣ ସମ୍ଭବ। ଏଥିପାଇଁ ଜାତୀୟ ଏଡ଼ସ ନିୟନ୍ତ୍ରଣ ସଂସ୍ଥା ହେଲ୍ପ ଲାଇନ ଟୋଲ୍ ଫ୍ରି ନମ୍ବର ୧୦୯୭ ସହାୟତା ନେବାପାଇଁ ଆଲୋଚନା କରାଯାଇଥିଲା। ସମ୍ପ୍ରତି ଦେଖା ଦେଇଥିବା ରକ୍ତ ସଂକଟକୁ ଦୂର କରିବା ପାଇଁ ସ୍ବେଛାକୃତ ରକ୍ତଦାନ କରିବାକୁ ଆଗେଇ ଆସିବାକୁ ଛାତ୍ର ଛାତ୍ରୀ ମାନଙ୍କୁ ଆହ୍ଵାନ ଦେବା ସହ ରକ୍ତଦାନର ମହତ୍ତ୍ୱ ବିଷୟରେ ଅତିଥି ମାନେ ଆଲୋଚନା କରିଥିଲେ। ବରିଷ୍ଠ ଯୁବ ରେଡକ୍ରସ୍ ପରାମର୍ଶଦାତା ସରୋଜ କୁମାର ପଣ୍ଡା ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ଅନ୍ୟତମ ଯୁବ ରେଡକ୍ରସ୍ ପରାମର୍ଶଦାତା ରାଜେଶ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଅଧ୍ୟାପକ ଦୀନବନ୍ଧୁ ବାଗ ସହାୟତା କରିଥିଲେ। ଏଥିରେ ମହାବିଦ୍ୟାଳୟର ଯୁବ ରେଡକ୍ରସ୍ ଓ ରେଡ୍ ରିବନ କ୍ଳବ୍ ସ୍ୱେଚ୍ଛାସେବୀ ଛାତ୍ର ଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ।