ଜିଲ୍ଲାପାଳ କହିଲେ, ଗ୍ରୀଷ୍ମ ପ୍ରବାହ ଏବଂ ଆଦର୍ଶ ଆଚରଣ ସଂହିତାକୁ ଦୃଷ୍ଟିରେ ରଖି କରାଯିବ ସମସ୍ତ ବ୍ୟବସ୍ଥା
ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଆସନ୍ତା ୧୧ ତାରିଖରେ ପାଳନ ହେବାକୁ ଥିବା ଇଦ-ଉଲ-ଫିତର ଓ ୧୭ ତାରିଖରେ ପାଳନ ହେବାକୁ ଥିବା ରାମନବମୀ ଉତ୍ସବକୁ ଦୃଷ୍ଟିରେ ରଖି ଆଜି ପୂର୍ବାହ୍ନ ଘ.୧୧.୩୦ ମି ସମୟରେ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ ଆଶୀଷ ଠାକରେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ସାଗରିକା ନାଥ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ସୁଧାକର ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ନିରଞ୍ଜନ ବେହେରା ଓ ଉପଜିଲ୍ଲାପାଳ ଶ୍ରୀ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ପ୍ରମୁଖ ମଞ୍ଚାସୀନ ଥିଲେ I ଏଥି ସହିତ ପାନୀୟଜଳ, ସ୍ୱାସ୍ଥ୍ୟ, ପୋଲିସ, ବିଦ୍ୟୁତ, ସ୍ୱାସ୍ଥ୍ୟ ବିଭାଗ, ସ୍ଥାନୀୟ ଧାର୍ମିକ ଏବଂ ଗୋଷ୍ଠୀଙ୍କ ପ୍ରତିନିଧି ଏବଂ ଅନ୍ୟାନ୍ୟ ବିଭାଗର ବରିଷ୍ଠ ପଦାଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ।
ଗ୍ରୀଷ୍ମ ପ୍ରବାହ ଏବଂ ଆଦର୍ଶ ଆଚରଣ ସଂହିତା ଦ୍ୱାରା ଲାଗୁ ହୋଇଥିବା କଟକଣାକୁ ଦୃଷ୍ଟିରେ ରଖି ଭକ୍ତଙ୍କ ପାଇଁ ଏକ ସୁରକ୍ଷିତ ପରିବେଶ ଯୋଗାଇ ଦେବା ପାଇଁ ସମସ୍ତ ପ୍ରକାରର ଆବଶ୍ୟକୀୟ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ଠାକରେ ମତ ପ୍ରକାଶ କରିଥିଲେ I ଅନୁରୂପ ଭାବରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହ ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ଉପରେ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ନାଥ ଗୁରୁତ୍ୱାରୋପ କରିଥିଲେ I
ରାମନବମୀ ଉପଲକ୍ଷେ ଆସନ୍ତା ୧୬ ତାରିଖରେ ହେବାକୁ ଥିବା ମୋଟର ସାଇକଲ ରାଲି ନିମନ୍ତେ ଅପରାହ୍ନ ୩ ଘଟିକାରୁ ୬ ଘଟିକା ପର୍ଯନ୍ତ ସମୟ ନିର୍ଧାରଣ କରାଯାଇଛି I ସେହି ଭଳି, ଆସନ୍ତା ୧୭ ତାରିଖରେ ହେବାକୁ ଥିବା ପଦଯାତ୍ରା ନିମନ୍ତେ ଅପରାହ୍ନ ଘ. ୧ ଠାରୁ ରାତ୍ରି ୯ ପର୍ଯ୍ୟନ୍ତ ସମୟ ଚୂଡାନ୍ତ କରାଯାଇଛି I ମୋଟର ସାଇକଲ ରାଲି ଓ ପଦଯାତ୍ରା ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସାରିବାକୁ ଏବଂ ଡି.ଜେ ମୁ୍ୟଜିକ ସିଷ୍ଟମ ଉପରେ ସମ୍ପୂର୍ଣ କଟକଣା ପାଇଁ ବୈଠକରେ ନିଷ୍ପତି ନିଆଯାଇଥିଲା । ଝାଙ୍କିର ଉଚ୍ଚତା ଭୂମିପୃଷ୍ଠରୁ ୮ ଫୂଟ ମଧ୍ୟରେ ରହିବ I ଯାତ୍ରା ବେଳେ କୌଣସି ପ୍ରକାରର ତୀକ୍ଷ୍ଣ ଧାରଯୁକ୍ତ ଖଣ୍ଡା, ଅସ୍ତଶସ୍ତ୍ର ବ୍ୟବହାର ନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି I ଗ୍ରୀଷ୍ମ ପ୍ରବାହ ସମୟରେ ଉପସ୍ଥିତ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପର୍ୟ୍ୟାପ୍ତ ଜଳ କେନ୍ଦ୍ର ଏବଂ ଚିକିତ୍ସା ସୁବିଧାର ବ୍ୟବସ୍ଥା କରାଯିବାର ସୂଚନା ଦିଆଯାଇଥିଲା। ଟ୍ରାଫିକ୍ ପରିଚାଳନା, ଭିଡ଼ ନିୟନ୍ତ୍ରଣ, ନିର୍ବାଚନ କମିଶନଙ୍କ ଦ୍ୱାରା ନିର୍ଦ୍ଧାରିତ ଗାଇଡ୍ଲାଇନ୍କୁ କଡ଼ାକଡ଼ି ଲାଗୁ କରିବା ପାଇଁ ପୁଲିସ ବିଭାଗ ସହ ସମନ୍ୱୟ ରକ୍ଷା କରାଯିବ।
ସିଟି ଡିଏସପି ଶ୍ରୀମତୀ ଗାୟତ୍ରୀ ପ୍ରଧାନ ମଞ୍ଚ ପରିଚାଳନା କରିବା ସହିତ ବିଭିନ୍ନ ନିୟମାବଳୀ ସମ୍ପର୍କରେ ସଭାକୁ ସୂଚନା ଦେଇଥିଲେ । ଆସନ୍ତା ଇଦ-ଉଲ-ଫିତର ଓ ରାମନବମୀକୁ ଆନନ୍ଦ ଉଲ୍ଲାସ ତଥା ଶାନ୍ତିଶୃଙ୍ଖଳାର ସହ ପାଳନ ପାଇଁ ଜିଲ୍ଲାପାଳ ଶ୍ରୀ ଠାକରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।