ଆଦିବାସୀଙ୍କ ରଣହୁଙ୍କାର: ସ୍ୱାଧୀନ ପ୍ରାର୍ଥୀ ହେଲେ ଘାସିରାମ ମାଝୀ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ଆଦିବାସୀ ସଂଘ ଘାସିରାମ ମାଝୀଙ୍କୁ ସର୍ବ ସମ୍ମତି କ୍ରମେ ନୂଆପଡା ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ରୂପେ ୨୦୨୪ ସାଧାରଣ ନିର୍ବାଚନରେ ଲଢ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ପରିପେକ୍ଷୀରେ ଆଜି ସଦର ମହକୁମା ସ୍ଥିତ ଗୋଡ଼ଫୁଲା ପଡିଆ ଠାରେ ଆଦିବାସୀଙ୍କର ଏକ ବିଶାଳ ସମାବେଶ ଅନୁଷ୍ଠିତ ହୋଇଥିଲା। ଘାସିରାମ ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଦିବାସୀ ସମାବେଶରେ ଖାମ ସିଂ ମାଝୀ, ଭାନୁ ପ୍ରତାପ ସିଂ ମାଝୀ,ବାଳକୃଷ୍ଣ ଶବର, ସୋମନାଥ ଖମାରି, ବିହାରୀ ଲାଲ ବିଶ୍ୱାଳ, ଭକ୍ତବନ୍ଧୁ ଧରୁଆ ତଥା ଆଦିବାସୀଙ୍କ ସମସ୍ତ ସମ୍ପ୍ରଦାୟ ମୁଖିଆ ଗଣ ଉପସ୍ଥିତ ଥିଲେ। ଘାସିରାମ ମାଝୀ ୨୦୧୯ ସାଧାରଣ ନିର୍ବାଚନରେ ୪୫ ହଜାରରୁ ଉର୍ଦ୍ଧ ଭୋଟ ପାଇ ବିଜୟୀ ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆଙ୍କ ପରେ ଫଳାଫଳରେ ଦ୍ଵିତୀୟ ସ୍ଥାନରେ ଥିଲେ। ଆଦିବାସୀ ସଙ୍ଘର ନିଷ୍ପତ୍ତି ପରେ ଜିଲ୍ଲା ଆଦିବାସୀ ସଙ୍ଘ ତରଫରୁ ଏକ ବିଶାଳ ଶୋଭାଯାତ୍ରା ଗୋଡ଼ଫୁଲା ଠାରୁ ବାହାରି ନୂଆପଡା ଏକତା ଛକରେ ପହଂଚି ଥିଲା। ସେଠାରେ ସ୍ବର୍ଗତ ଘାସିରାମ ମାଝୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ବିଶାଳ ଶୋଭାଯାତ୍ରା ପ୍ରଥମେ ନୂଆପଡା ସହର ପରିକ୍ରମା କରି ସେଠାରୁ କୋମନା ଯାଇଥିଲା। ସେଠାରେ ମଧ୍ୟ ଏହି ଶୋଭାଯାତ୍ରା କୋମନା ନଗର ପରିକ୍ରମା କରିଥିଲା। ଆଦିବାସୀ ସମର୍ଥିତ ପ୍ରାର୍ଥୀ ଘାସିରାମ ମାଝୀ ବିଜେଡି, ବିଜେପି ଓ କଂଗ୍ରେସ ଦଳୀୟ ପ୍ରାର୍ଥୀଙ୍କୁ କିପରି ଟକ୍କର ଦେବେ ତାହାକୁ ନେଇ ନୂଆପଡା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଉଷ୍ମତା ବୃଦ୍ଧି ହୋଇଯାଛି। ନୂଆପଡା ନିର୍ବାଚନ ମଣ୍ଡଳୀର ୩ ପ୍ରମୁଖ ଦଳ ମଧ୍ୟରେ ଏକ ବିଗ ଫାଇଟ ଦେଖିବାକୁ ମିଳିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଦିବାସୀ ଭୋଟର ପ୍ରଭାବ ଓ ଘାସିରାମ ମାଝୀଙ୍କ ନିର୍ବାଚନ ଲଢ଼ିବା ବିରୋଧୀଙ୍କ ପାଇଁ କାଠିକର ପାଠ ହୋଇପାରେ ବୋଲି ଜନସାଧାରଣରେ ଚର୍ଚ୍ଚା ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.